ଏସପିସିବି ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ


ରାଉରକେଲା(୫/୬) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଆରଏସପିର ସିପିଟିଆଇ ଅଡିଟୋରିୟମ୍‌ଠାରେ ଆଜି ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆରଏସପିର ଇଡି (ୱାର୍କ୍ସ) ଏସ.ଆର. ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ରାଉରକେଲା ଆରସିସିଏଫ୍ ଅରୁଣ କୁମାର ମିଶ୍ର ଓ ଏନଆଇଟି ମାଇନିଂ ବିଭାଗର ଏଚଓଡି ପ୍ରଫେସର ଏଚ.ବି. ସାହୁ ମଞ୍ଚାସୀନ ଥିଲେ । ଜୀବସତ୍ତା ତିଷ୍ଠି ପାରୁଥିବା ଏକମାତ୍ର ପୃଥିବୀପୃଷ୍ଠର ପ୍ରାକୃତିକ ସମ୍ପଦ ଅଯଥା ଅପଚୟ ନ କରିବା ଓ ଜଳ, ବାୟୁ, ମୃତ୍ତିକା ପ୍ରଦୂଷଣର ମାତ୍ରାକୁ ହ୍ରାସ କରାଇବା କ୍ଷେତ୍ରରେ ପ୍ରତ୍ୟେକେ ଯତ୍ନବାନ ହେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ସେମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ, ପ୍ରକୃତି ସୁରକ୍ଷିତ ହେଲେ ପରିବେଶ ସନ୍ତୁଳିତ ହେବ । ଫଳରେ ପ୍ରାଣୀ ଓ ଉଦ୍‌ଭିଦ୍ ଜଗତ ସୁରକ୍ଷିତ ହୋଇ ସ୍ଥିର ଭାବେ ବଞ୍ଚି ପାରିବ । ତେବେ ଯାଇ ଚଳିତ ବର୍ଷର ସ୍ଲୋଗାନ ‘କେବଳ ଏକକ ପୃଥିବୀ’ ସୁରକ୍ଷିତ ହୋଇପାରିବ ।


ଏସପିସିବିର ରାଉରକେଲା ଆଞ୍ଚଳିକ ଅଧିକାରୀ ତଥା ବରିଷ୍ଠ ପରିବେଶ ବିଜ୍ଞାନୀ ଡ. ବିନୋଦ ବିହାରୀ ଦାଶ ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସେ ତାଙ୍କ ଭାଷଣ ପ୍ରସଙ୍ଗରେ ରାଉରକେଲା ଅ ଞ୍ଚଳରେ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବା ପାଇଁ ନିଆଯାଇଥିବା ବିବିଧ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବିଶେଷ କରି ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସେ ସ୍ଥାନୀୟ ଶିଳ୍ପ କାରଖାନା ସମେତ ଅନ୍ୟମାନଙ୍କର ସହଯୋଗ ଲୋଡ଼ିଥିଲେ । ଚଳିତ ବର୍ଷର ବିଷୟବସ୍ତୁ ସମ୍ପର୍କରେ ଆଲୋକପାତ କରି ପ୍ରାକୃତିକ ସମ୍ପଦର ସୁରକ୍ଷା କରିବାକୁ ପରାମର୍ଶ ଦେଇଥିଲେ ।
ମୁଖ୍ୟବକ୍ତା ଶ୍ରୀ ଅରୁଣ କୁମାର ମିଶ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ, CV ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ନଦୀ ଓ ଭୂତଳ ଜଳସ୍ତର ହ୍ରାସ ପାଉଛି । ବାୟୁମଣ୍ଡଳରେ ଅତି ସୂକ୍ଷ୍ମ ଭାସମାନ ଧୂଳିକଣା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏଣୁ ଏ ଦିଗରେ ଜନ ସହଭାଗିତାର ଆବଶ୍ୟକତା ରହିଛି । ପ୍ରତ୍ୟେକେ ସଚେତନ ହେବା ସହ ଅଭ୍ୟାସରେ ପରିବ ର୍ନ କଲେ ପ୍ରାକୃତିକ ପରିବେଶ, ଜଙ୍ଗଲ, ବନ୍ୟଜନ୍ତୁ ସୁରକ୍ଷିତ ହୋଇ ରହିପାରିବେ । ପ୍ଲାଷ୍ଟିକ୍ ବ୍ୟବହାରକୁ ହ୍ରାସ କରାଇବା ସହ ସବୁଜିମା ବୃଦ୍ଧି କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି ଆରଏସପିର ଇଡି(ୱାର୍କ୍ସ) ଶ୍ରୀ ଏସ.ଆର. ସୂର୍ଯ୍ୟବଂଶୀ ତାଙ୍କ ବକ୍ତବ୍ୟ ପ୍ରସଙ୍ଗରେ ବାୟୁମଣ୍ଡଳର କାର୍ବନ ମାତ୍ରାକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜଳ ଓ ବାୟୁ ପ୍ରଦୂଷଣ ମାତ୍ରା ହ୍ରାସ କରିବା ପାଇଁ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ସୂଚନା ଦେଇଥିଲେ । ଅଧିକରୁ ଅଧିକ ବୃକ୍ଷରୋପଣ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ପରିବେଶର ସୁରକ୍ଷା ପାଇଁ ପ୍ରତ୍ୟେକେ ପଦକ୍ଷେପ ନେବାପାଇଁ ସେ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଆଲୋଚକ ପ୍ରଫେସର ଏଚ.ବି. ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆମେ ଆବଶ୍ୟକତାଠାରୁ ଅଧିକ ପ୍ରାକୃତି ସମ୍ପଦର ବିନିଯୋଗ କରିଚାଲିଛୁ । ଫଳରେ ପରିବେଶ ବିଗିଡ଼ିବାରେ ଲାଗିଛି । ପ୍ଲାଷ୍ଟିକ୍‌ର ବହୁଳ ବ୍ୟବହାର ଚିନ୍ତାର କାରଣ ପାଲଟିଛି । ଦ୍ରୁତ ଜନସଂଖ୍ୟା ବୃଦ୍ଧି ଫଳରେ ପରିବେଶ ମଧ୍ୟ ଦୂଷିତ ହେଉଛି । ତେଣୁ ଏ ଦିଗରେ ପ୍ରତ୍ୟେକେ ସଚେତନ ହୋଇ କାର୍ଯ୍ୟ କରିବାକୁ ଶ୍ରୀ ସାହୁ ଆହ୍ୱାନ କରିଥିଲେ । ଏସପିସିବିର ସହକାରୀ ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପୂର୍ବରୁ ଅନୁଷ୍ଠିତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ଉପ ପରିବେଶ ଯନ୍ତ୍ରୀ ଆର. ଆର. ଦାଶ, ସେକ୍ସନ ଅଫିସର ଅନୁପମ ଦତ୍ତ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ୱାଇଏମଏଫଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ବିଭିନ୍ନ ଖଣି, ଶିଳ୍ପ, ହସ୍ପିଟାଲର ପ୍ରତିନିଧି, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ବିଜୟ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଦୂଷଣ କାର୍ଯ୍ୟାଳୟ ପରିସରରେ ଆଜି ସକାଳେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା ।

nis-ad
Leave A Reply

Your email address will not be published.