ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଓ ଖଣି ଖନନ ହୋଇପାରିବ ନାହିଁ

ନୂଆଦିଲ୍ଲୀ: ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ଓ ଖଣି ଖନନ ହୋଇପାରିବ ନାହିଁ। ଏନେଇ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ନିର୍ମାଣ କାର୍ଯ୍ୟ ଓ ଖଣି ଖନନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
ଜଷ୍ଟିସ ଏଲ୍. ନାଗେଶ୍ୱର ରାଓ, ଜଷ୍ଟିସ୍ ବିଆର ଗବାଇ ଓ ଜଷ୍ଟିସ୍ ଅନିରୁଦ୍ଧ ବୋଷ୍ ମାମଲାର ଶୁଣାଣି କରି କହିଛନ୍ତି ଯେ, ସମ୍ବେଦନଶୀଳ ଜୈବ ମଣ୍ଡଳର ୧ କିଲୋମିଟ ପରିଧିରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ। ତେବେ ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ ପୂର୍ବରୁ ଆରମ୍ଭ ହୋଇ କାମ ଜାରି ରହିଛି। ସେସବୁ ଯଦି ନିୟମାବଳି ଭିତରେ ଆସୁଥିବ, ତା ହେଲେ ପିସିସିଏଫଙ୍କ ଅନୁମତି ନେଇ କାମ ଜାରି ରଖାଯାଇ ପାରିବ ବୋଲି କୋର୍ଟ କହିଛନ୍ତି।
ତେବେ କୌଣସି ପ୍ରକାର ନୂଆ ସ୍ଥାୟୀ ନିର୍ମାଣ କାର୍ଯ୍ୟ ହୋଇ ପାରିବ ନାହିଁ। ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟର ୧ କିଲୋମିଟର ପରିଧିରେ କୌଣସି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ହୋଇଥିଲେ ପିସିସିଏଫ ଏହାର ଏକ ତାଲିକା ପ୍ରସ୍ତୁତ କରି ୩ ମାସ ମଧ୍ୟରେ କୋର୍ଟରେ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟର ୧୦ କିମି ଅଞ୍ଚଳକୁ ବଫର ଜୋନ୍ ଘୋଷଣା କରିବା ଲାଗି କୋର୍ଟ ପ୍ରସ୍ତାବ ଦେଇଥିଲେ। ହେଲେ ରାଜ୍ୟଗୁଡ଼ିକ ଏହାକୁ ବିରୋଧ କରି ଆସୁଥିଲେ। ଏଣୁ ୨୦୧୧ର ନିୟମାବଳୀ ଅନୁସାରେ ଖଣି ଖନନ, କରତ କଳ, ବିଦ୍ୟୁତ ପ୍ରକଳ୍ପ ଉପରେ ପ୍ରତିବନ୍ଧକ ରହିଛି।
ଦୁଇଟି ମକଦ୍ଦମା ଉପାରେ ଶୁଣାଣି କରି କୋର୍ଟ ପକ୍ଷରୁ ଏହି ରାୟ ଦିଆଯାଇଛି। “ପ୍ରଥମ ମକଦ୍ଦମାଟି ରାଜସ୍ଥାନର ଜାମୁଆ ରାମଗଡ଼ ଅଭୟାରଣ୍ୟର ହୋଇଥିବା ବେଳେ ଏଠାରେ ଥିବା ଏକ ବନ୍ୟପ୍ରାଣୀ ଅଭୟାରଣ୍ୟର ଆଖପାଖ ଅଞ୍ଚଳରେ ଚାଲିଥିବା ଖଣି କାର୍ଯ୍ୟକଳାପକୁ ନେଇ ମାମଲା ରୁଜୁ ହୋଇଥିଲା। ପ୍ରତ୍ୟେକ ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟର ସର୍ବନିମ୍ନ ପରିଧି ୧ କିମି ବୋଲି ଧାର୍ଯ୍ୟ ହୋଇଥିବା ବେଳେ ଜାମୁଆ ରାମଗଡ଼ ପାଇଁ ଏହା ୫୦୦ ମିଟର ଧାର୍ଯ୍ୟ ହୋଇଛି। ଜାମୁଆ ରାମଗଡ଼ ଅଭୟାରଣ୍ୟରେ ଖନନ ଚାଲିଥିବା ବେଳେ କୌଣସି ନିୟମ ଉଲ୍ଲଘଂନ ହୋଇଥିଲେ ତଦନ୍ତ ପରେ ଖଣି ମାଲିକଙ୍କଠାରୁ କ୍ଷତିପୂରଣ ଆଦାୟ ହେବ ବୋଲି କହିଛନ୍ତି କୋର୍ଟ।
ଦ୍ୱିତୀୟ ମାମଲା ମୁଖ୍ୟତଃ ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ଜାତୀୟ ଉଦ୍ୟାନଗୁଡିକର ଚାରିପାଖରେ ଥିବା ସମ୍ବେଦନଶୀଳ ଜୈବ ମଣ୍ଡଳ( ESZ)ର ସଂରକ୍ଷଣ ଉପରେ ଉଦ୍ଦିଷ୍ଟ ବୋଲି ବେଞ୍ଚ କହିଛନ୍ତି। ବେଞ୍ଚ କହିଛନ୍ତି ଯେ, ବିଭିନ୍ନ ରାଜ୍ୟରେ ସମ୍ବେଦନଶୀଳ ଜୈବ ମଣ୍ଡଳର ପରିସୀମା ଭିନ୍ନ ଭିନ୍ନ ଧାର୍ଯ୍ୟ ହୋଇଛି। ଏଥିନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ପରିସୀମା ନାହିଁ। କିନ୍ତୁ ସମସ୍ତଙ୍କ ପାଇଁ ଏକ ନିୟମ ଲାଗୁ କରିବାର ଆବଶ୍ୟକତା ଥିବା ବେଞ୍ଚ ପକ୍ଷରୁ କୁହାଯାଇଛି।

nis-ad
Leave A Reply

Your email address will not be published.