ରାଜ୍ୟରେ ୪୩ ଡିଗ୍ରି ଉପରେ ୯ ସହର

ଭୁବନେଶ୍ବର : ପ୍ରବଳ ଗରମ ଓ ଗୁଳୁଗୁଳିରେ ରାଜ୍ୟବାସୀ ସନ୍ତୁଳି ହେଉଛନ୍ତି। ପଶ୍ଚିମ ଓଡ଼ିଶା‌ର ତାତି ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଥିବା ବେଳେ ଉପକୂଳରେ ଦାଉ ସାଧୁଛି ଗୁଳୁଗୁଳି। ଆଜି ରାଜ୍ୟର ୧୫ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ପଶ୍ଚିମ ଓଡ଼ିଶାର ୯ ସହର ୪୩ ଡିଗ୍ରି ଅତିକ୍ରମ କରିଛି। ୪୪.୮ ଡିଗ୍ରି ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା।

ଏହା ପଛକୁ ବଲାଙ୍ଗୀର (୪୪.୫ ଡିଗ୍ରି) ଓ ଟିଟିଲାଗଡ଼(୪୪.୪ଡିଗ୍ରି)। ସେହିଭଳି ଝାରସୁଗୁଡ଼ା(୪୩.୪ ଡିଗ୍ରି), ସମ୍ବଲପୁର (୪୩.୮ ଡିଗ୍ରି), ଭବାନୀପାଟଣା, ମାଲକାନଗିରି ଓ ହୀରାକୁଦ (୪୩.୫), ବରଗଡ଼ (୪୩.୬ ଡିଗ୍ରି) ଓ ମାଲକାନଗିରିର ତାପମାତ୍ରା ୪୩ଡିଗ୍ରି ଉପରେ ରହିଥିଲା।

ଅପରପକ୍ଷେ ଉପକୂଳର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଉପରେ ରହୁଥିଲେ ମଧ୍ୟ ଆପେକ୍ଷିକ ଆର୍ଦ୍ରତା ୬୦%ରୁ ଅଧିକ ରହୁଥିବାରୁ ଗରମ ଗୁଳୁଗୁଳି ୪୪ଡିଗ୍ରି ପର୍ଯ୍ୟନ୍ତ ଅନୁଭୂତ ହେଉଛି। ଆଜି ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୭.୨ଡିଗ୍ରି ରହିଥିଲା। କିନ୍ତୁ ଆପେକ୍ଷିକ ଆର୍ଦ୍ରତା ୬୧% ରହିଥିବାରୁ ୪୪ ଡିଗ୍ରି ପର୍ଯ୍ୟନ୍ତ ଗରମ ଅନୁଭୂତ ହୋଇଥିଲା। କାଳବୈଶାଖୀ ସୃଷ୍ଟି ନ ହୋଇପାରିବା ଫଳରେ ଆସନ୍ତା‌ ୫ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି।

ଆସନ୍ତା ୨ ଦିନ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ନାହିଁ। ପାଗ ସମ୍ପୂର୍ଣ୍ଣ ଖରାଟିଆ ଓ ଶୁଖିଲା ରହିବ। ୫ତାରିଖ ବେଳକୁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ରାୟଗଡ଼‌ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଭଦ୍ରକ, ଯାଜପୁର ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି ସ୍ଥାନରେ କାଳବୈଶାଖୀଜନିତ ବର୍ଷାର ସମ୍ଭାବନା ରହିଛି। କେନ୍ଦ୍ର କହିଛି, ଆସନ୍ତା ୨ ଦିନରେ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗର, ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଅବଶିଷ୍ଟ ଅଂଶ, ପଶ୍ଚିମବଙ୍ଗ ଓ ସିକିମ୍‌ର କିଛି ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ‌ମୌସୁମୀ ବାୟୁ ସକ୍ରିୟ ହେବାକୁ ଅନୁକୂଳ ବାତାବରଣ ରହିଛି।

nis-ad
Leave A Reply

Your email address will not be published.