ହାଇ ସିକ୍ୟୁରିଟି ନମ୍ବର ପ୍ରଚଳନ ଦ୍ୱାରା ରୋଜଗାର ହରାଇବେ ୨୦ ହଜାରରୁ ଅଧିକ ପରିବାର

ଭୁବନେଶ୍ୱର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପ୍ରଚଳନ ପରଠାରୁ ନମ୍ବର ପ୍ଲେଟ କାମ ଦ୍ୱାରା ରୋଜଗାର କରୁଥିବା ରାଜ୍ୟର ହଜାର ହଜାର ନମ୍ବର ପ୍ଳେଟ ଆର୍ଟିଷ୍ଟମାନେ ବେକାର ହୋଇଯାଇଛନ୍ତି। ଅଦ୍ୟାବଧି ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କର ଜୀବନ ଜୀବିକାର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ଅନ୍ୟପଟେ ପୁରୁଣା ଗାଡ଼ିର ନମ୍ବର ପ୍ଲେଟ ଲେଖି ଚଳୁଥିବା ଏହି ଶ୍ରମିକମାନେ ନୂଆ ପରିବହନ ନୀତି ବ୍ୟବହାର ଫଳରେ ସେମାନଙ୍କ ହାତରୁ ରୋଜଗାରକୁ ଛଡ଼ାଇ ନିଆଯାଇଛି।

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନାମରେ ଏମାନଙ୍କ ରୋଜଗାର ଛଡ଼େଇ ନେଇଥିବାରୁ ଓଡ଼ିଶା ନମ୍ବର ପ୍ଲେଟ ଆଣ୍ଡ ଷ୍ଟିକରିଂ ଆର୍ଟିଷ୍ଟ ଆସୋସିଏସନ ତରଫରୁ ଏହାର ଦୃଢ ନିନ୍ଦା କରାଯାଇଛି। ସରକାର ଝିଣ୍ଟିକା ମାରି ବଣି ପୋଷିବା ନୀତିରେ ରାଜ୍ୟର ୨୦ ହଜାରରୁ ଅଧିକ ପରିବାର ନିଜର ଜୀବନ ଜୀବିକା ହରାଇ ବସିଛନ୍ତି ବୋଲି ଅଲ ଓଡ଼ିଶା ନମ୍ବର ପ୍ଲେଟ ଆର୍ଟିଷ୍ଟ ୱାର୍କର ଆସୋସିଏସନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି।

ଗାଡ଼ିରେ ଲାଗୁଥିବା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟର କୌଣସି ସ୍ୱଚ୍ଛତା ନାହିଁ। ନମ୍ବର ପ୍ଲେଟରେ ଦିଆଯାଇଥିବା ବାରକୋଡ଼ ଏବଂ ଚିଫ୍କୁ ଲିଭେଇଲେ ଲିଭିଯାଉଛି। ଏହା କେବଳ ହାଇ ସିକ୍ୟୁରିଟି ନାମରେ ଜନସାଧାରଣଙ୍କୁ ଭୂଆଁ ବୁଲାଇ ଲୁଟ୍ କରାଯାଇଛି ବୋଲି ଆସୋସିଏସନ ତରଫରୁ ଅଭିଯୋଗ କରାଯାଇଛି। ପ୍ରକୃତ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ କାର୍ଯ୍ୟକାରୀ କରାଯାଇ ନମ୍ବର ପ୍ଲେଟ ପ୍ରଚଳନ କରିବା ପାଇଁ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି। ନମ୍ବର ପ୍ଲେଟକୁ ଠିକାଦାରମାନଙ୍କ ଦ୍ୱାରା ନକରାଇ ରାଜ୍ୟର ସମସ୍ତ ନମ୍ବର ପ୍ଲେଟ ଆର୍ଟିଷ୍ଟମାନେ ଏହି କାମ କିପରି ପାଇବେ ଏବଂ ସେମାନଙ୍କ ପରିବାର କିପରି ଚଳିବେ, ତାହାର ବନ୍ଦୋବସ୍ତ କରିବା ପାଇଁ ସରକାର ଓ ପରିବହନ ବିଭାଗ ନିକଟରେ ଦାବି କରଯାଇଛି। ଯଦି ସରକାର ଓ ପରିବହନ ବିଭାଗ ନମ୍ବର ପ୍ଲେଟ ଆର୍ଟିଷ୍ଟ ପରିବାରର ସୁରକ୍ଷା ପ୍ରତି ଦୃଷ୍ଟି ନଦିଅନ୍ତି, ତେବେ ୨୦ ହଜାରରୁ ଅଧିକ ନମ୍ବର ପ୍ଲେଟ ଆର୍ଟିଷ୍ଟମାନେ ସେମାନଙ୍କର ଜୀବନ ଜୀବିକା ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଆସୋସିଏସନର ସଭାପତି ରଣଜିତ ସିଂ, ଉପସଭାପତି ଗଙ୍ଗାଧର ଡ଼ାକୁଆ, ସମ୍ପାଦକ ଶିବଶଙ୍କର ଡ଼ାକୁଆ, ଯୁଗ୍ମ ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଆଦିତ୍ୟ ଲେଙ୍କା, ଚିତ୍ତରଞ୍ଜନ ଦାସ, ପ୍ରକାଶ ମହାରଣା, ସତ୍ୟରଞ୍ଜନ ମହାନ୍ତି ଓ ସନାତନ ମହାରଣା ପ୍ରମୁଖ ଚେତୋବନୀ ଦେଇଛନ୍ତି ।

nis-ad
Leave A Reply

Your email address will not be published.