ଆସିପାରେ କରୋନାର ଚତୁର୍ଥ ଲହର, ଭାରତରେ ଓମିକ୍ରନ୍‌ର BA.4 ଓ BA.5 ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ପୁଣିଥରେ ଭୟଙ୍କର ରୂପ ନେଇପାରେ କରୋନା ମହାମାରୀ। ଆସିପାରେ ଚତୁର୍ଥ ଲହର। ଭାରତରେ ଓମିକ୍ରନ୍‌ର ସବୁ ଭାରିଏଣ୍ଟ BA.4 ଓ BA.5 ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ ହୋଇଛି। ଏହି ଭୂତାଣୁରେ ଦେଶର ତିନି ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି ତିନି ଜଣଙ୍କ ମଧ୍ୟରେ ତାମିଲନାଡୁରୁ ଜଣେ ଓ ତେଲଙ୍ଗାନାର ଦୁଇ ଜଣ ଅଛନ୍ତି।
ଓମିକ୍ରନ୍‌ର ସବ୍‌ ଭାରିଏଣ୍ଟ BA.4 ଓ BA.5 ବେଶ୍‌ ଦ୍ରୁତ ଗତିରେ ବ୍ୟାପୁଛି। ଏହି ଦୁଇ ସବ୍‌ ଭାରିଏଣ୍ଟ ସବୁଠୁ ଅଧିକ ସଂକ୍ରାମକ ବୋଲି ବିଶ୍ୱାସ କରାଯାଉଛି। ତାମିଲନାଡୁରେ ଜଣେ ୧୯ ବର୍ଷୀୟ ଯୁବକ BA.4 ସବ୍‌ ଭାରିଏଣ୍ଟରେ ଆକ୍ରନ୍ତ ହୋଇଥିବା ଚିହ୍ନଟ କରାଯାଇଛି। ଉକ୍ତ ଯୁବକଙ୍କ ଠାରେ କରୋନାର ହାଲୁକା ଲକ୍ଷଣ ଦେଖାଦେଇଛି। ଏଥିସହ ସେ କରୋନା ଟିକାର ଦୁଇଟି ଡୋଜ୍‌ ମଧ୍ୟ ନେଇସାରିଛି। ସଂକ୍ରମି ଯୁବକଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ବୋଲି ରବିବାର ଭାରତୀୟ SARS-CoV-2 ଜେନୋମିକ୍ସ କନ୍ସୋର୍ଟିୟମ୍ର କହିଛି।
ଏହାପୂର୍ବରୁ ହାଇଦ୍ରାବାଦ ବିମାନବନ୍ଦରରେ ଜଣେ ଦକ୍ଷିଣ ଆଫ୍ରିକାର ନାଗରିକ ଓମିକ୍ରନ୍‌ର BA.4 ଭାରିଏଣ୍ଟରେ ସଂକ୍ରମିତ ହୋଇଥିଲେ। ଏହି ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକାରୁ ହାଇଦ୍ରାବାଦ ଆସିଥିଲେ। ବିମାନ ବନ୍ଦରରେ ଯାଞ୍ଚ ପରେ ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହାପରେ ତାଙ୍କୁ ଆଇସୋଲେସନରେ ରଖାଯାଇଛି।
ସେହିପରି ତେଲେଙ୍ଗାନର ଜଣେ ୮୦ ବର୍ଷୀୟ ବୟସ୍କ ବ୍ୟକ୍ତି BA.5 ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଉକ୍ତ ସଂକ୍ରମିତ ବୟସ୍କ ବ୍ୟକ୍ତିଙ୍କ ଠାରେ ହାଲୁକା ଲକ୍ଷଣ ଦେଖିବାକୁ ମିଳିଛି। ସେ ମଧ୍ୟ କରୋନା ଟିକାର ଡବଲ୍‌ ଡୋଜନ ନେଇସାରିଛନ୍ତି। ବୟସ୍କ ବ୍ୟକ୍ତିଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। BA.4 ଓ BA.5ରେ ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ଟ୍ରେସିଂ ଚାଲିଛି। ସବ୍‌ ଭାରିଏଣ୍ଟରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ ପଡିନାହିଁ।
BA.4 ଏବଂ BA.5 ସର୍ବଭାରତୀୟ ସ୍ତରରେ ଚିନ୍ତା ବଢ଼ାଇବାରେ ଲାଗିଛି। ଏଗୁଡିକୁ ଓମିକ୍ରନ୍ ର ଉପ-ପ୍ରକାର ବା ସବ୍‌ ଭାରିଏଣ୍ଟ ବୋଲି କୁହାଯାଏ। ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚଳିତ ବର୍ଷ ଆରମ୍ଭରେ ସବ୍‌ ଭାରିଏଣ୍ଟରେ ବ୍ୟାପିଥିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଅନେକ ଦେଶକୁ ଓମିକ୍ରନ୍‌ର ଏହି ସବ୍‌ ଭାରିଏଣ୍ଟ ବ୍ୟାପି ସାରିଥିବା ସୂଚନା ରହିଛି।

nis-ad
Leave A Reply

Your email address will not be published.