ଜାତି ଭିତ୍ତିକ ଜନଗଣନା କରିବାକୁ ନୀତିଶ ପ୍ରସ୍ତୁତ ହେଉଛନ୍ତି

ପାଟନା: ବିଜେପିକୁ ଶକ୍ତ ଝଟ୍‌କା। ମେଣ୍ଟ ସରକାରରେ ପଡିବ କି ଫାଟ। ବିଜେପିର ବିରୋଧ ସତ୍ତ୍ୱେ ମେଣ୍ଟରେ ଥିବା ବିହାରର ନୀତୀଶ ସରକାର ଜାତିଗତ ଜନଗଣନା ଉପରେ କାମ କରିବେ। ଜାତି ଭିତ୍ତିକ ଜନଗଣନା ଉପରେ ଆସନ୍ତା ମେ’ ୨୭ ତାରିଖ ସର୍ବଦଳୀୟ ବୈଠକ ବସିବ। ଆଜି ଏନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ଖୁବଶୀଘ୍ର ସମସ୍ତ ଦଳର ପରାମର୍ଶ ନେବା ପରେ ଏହି ଜାତିଗତ ଜନଗଣନା ଉପରେ କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି।
ସମାଚାର ଏଜେନ୍ସି ଏଏନ୍‌ଆଇ ମୁତାବକ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ‘ଜାତି ଜନଗଣନା ସମ୍ପର୍କରରେ ସମସ୍ତଙ୍କ ମତାମତ ଜାଣିବା ଉଦ୍ଦେଶ୍ୟରେ ଆମେ ଏକ ସର୍ବଦଳୀୟ ବୈଠକ ଡକାଇବୁ। ଏହା ପରେ ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବ ଉପସ୍ଥାପନ କରାଯିବ। ମେ’ ୨୭ରେ ଏହି ବୈଠକ ଆୟୋଜନ କରିବାକୁ। ଆମେ କିଛି ଦଳ ସହ କଥା ହୋଇଛୁ, କିନ୍ତୁ ବର୍ତ୍ତମାନ ଆଉ କିଛି ଦଳର ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି। ଅନ୍ତିମ ନିଷ୍ପତ୍ତି ନିଆଯିବା ପରେ ପ୍ରସ୍ତାବ କ୍ୟାବିନେଟକୁ ଯିବ ଏବଂ ତା’ପରେ ଆମେ ଏହାଉପରେ କାମ ଆରମ୍ଭ କରିବୁ।’ ଆମେ ପ୍ରତ୍ୟେକ ଦଳ ସହ ଏବିଷୟରେ ଆଲୋଚନା କରିବା ଆରମ୍ଭ କରିଦେଇଛି। କିଛି ଦଳର ସହମତି ନାହିଁ। ଆମେ କିନ୍ତୁ ତାଙ୍କ ଉତ୍ତରର ଅପେକ୍ଷା କରିବୁ ବୋଲି ଆଜି ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି।
ଜାତିଗତ ଜନଗଣନାକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ବିବାଦ ଜାରି ରହିଛି। ଗୋଟିଏ ପଟେ ବିଜେପି ଏଭଳି ଜନଗଣନା କରିବାକୁ ରାଜି ନଥିବା ବେଳେ ଜେଡିୟୁ କିନ୍ତୁ ଅଡି ବସିଛି। ଏହାରି ଭିତରେ ବିହାର ଉପ-ମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ କହିଛନ୍ତି ଯେ ‘ବର୍ତ୍ତମାନ ତାଙ୍କ ଦଳରେ ଆଲୋଚନା ଚାଲିଛି, ଅର୍ଥାତ ସେ ହାଇକମାଣ୍ଡଙ୍କଠାରୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ସହମତି ପାଇ ନାହାଁନ୍ତି।’
ଜାତିଗତ ଜନଗଣନା ନେଇ ବିହାରରେ ଖୁବ୍ ଶୀଘ୍ର ଏକ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ଆପଣଙ୍କୁ କହିରଖୁଛୁ ଯେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଜାତି ଭିତ୍ତିକ ଜନଗଣନାକୁ ନେଇ ଅନେକ ଥର ପ୍ରଶ୍ନ କରାଯାଇଥିଲା। ବର୍ତ୍ତମାନ ସେ ଏହି ପ୍ରସଙ୍ଗରେ ଦୃଷ୍ଟି ଦେଉଥିବା ଜଣାପଡିଛି। ବିହାରରେ ଜାତିଗତ ଜନଗଣନା କରାଯିବ ବୋଲି ନୀତୀଶ କୁମାର କହିଛନ୍ତି। କେନ୍ଦ୍ର ସରକାର ମନା କରିବା ପରେ ସେ ନିଜ ସମ୍ବଳ ମୁତାବକ ଏହି ଦିଗରେ ଆଗକୁ ବଢ଼ିବାକୁ ଇସାରା ଦେଇଛନ୍ତି।

nis-ad
Leave A Reply

Your email address will not be published.