ଜେଲରେ ସିଦ୍ଧୁ

ଅମୃତସର: ୧୯୮୮ ରୋଡ଼ରେଜ୍‌ ମାମଲାରେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂହ ସିଦ୍ଧୁ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ ଯାଇଛନ୍ତି। ଗତକାଲି ସେ ପଞ୍ଜାବର ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲ ପଠାଇଦିଆଯାଇଛି। ସେ ଏବେ ପଟିଆଲା ଜେଲରେ କଏଦୀ ନମ୍ବର ୨୪୧୩୮୩। ୧୯୮୮ ରୋଡ଼ରେଜ ମାମଲାରେ ସିଦ୍ଧୁଙ୍କୁ ବର୍ଷେ ଜେଲଦାଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ଆସିବା ପରେ ଶୁକ୍ରବାର ସିଦ୍ଧୁ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସିଦ୍ଧୁଙ୍କର ମେଡିକାଲ ପରୀକ୍ଷା ହେବା ପରେ ତାଙ୍କୁ ଜେଲକୁ ପଠାଇଦିଆଯାଛି। ପଟିଆଲା ଜେଲରେ ସିଦ୍ଧୁଙ୍କୁ ବାରାକ ନମ୍ବର ୧୦ରେ ରଖାଯାଇଥିବା ବେଳେ କଏଦୀ ନମ୍ବର ମଧ୍ୟ ସ୍ଥିର ହୋଇଛି। ସେ ରହୁଥିବା ଜେଲର କୋଠରୀରେ ଅନ୍ୟ ୮ ଜଣ ହତ୍ୟା ଅପରାଧୀ ରହୁଛନ୍ତି।
ଗତକାଲି ରାତିରେ ସିମେଣ୍ଟ ପ୍ରସ୍ତୁତ ବେଡରେ ସିଦ୍ଧୁ ରାତି କଟାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୭ଟା ୧୫ରେ ତାଙ୍କୁ ଡିନର ଭାବେ ଡାଲି ଏବଂ ରୋଟି ଦିଆଯାଥିଲା। ଜେଲ ମନୁଆଲ ଅନୁଯାୟୀ ତାଙ୍କୁ ଏହି ଖାଦ୍ୟ ପରସା ଯାଇଥିବା ବେଳେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଏହାକୁ ଖାଇବାକୁ ମନା କରିଦେଇଥିଲେ। ସେ କେବଳ ସାଲାଡ ଓ ଫଳ ଖାଇଥିଲେ। ସିଦ୍ଧୁଙ୍କର ଲିଭର ସମସ୍ୟା ଥିବାରୁ ସ୍ୱତନ୍ତ୍ର ଡାଏଟ ପାଇଁ ଅପିଲ କରିଥିବା ଜଣାପଡ଼ିଛି। ସେହିପରି ସିଦ୍ଧୁଙ୍କୁ ୪ଟି ସେଟର ଧଳା ପଞ୍ଚାବୀ କୁର୍ତ୍ତା-ପାଇଜାମା, ଗୋଟିଏ ଚେୟାର ଓ ଟେବୁଲ, ଗୋଟିଏ କପବୋର୍ଡ଼ ଆଦି ପ୍ରଦାନ କରାଯାଇଛି।
ରୋଡ଼ରେଜ ମାମଲାରେ ବର୍ଷେ ଜେଲଦଣ୍ଡାଦେଶ ପାଇବାର ଦିନକ ପରେ ସିଦ୍ଧୁ ଗତକାଲି ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆତ୍ମସମର୍ପଣ ନିମନ୍ତେ ଅଧିକ ସମୟ ଲୋଡ଼ିଥିଲେ। କିନ୍ତୁ ତାଙ୍କ ଆବେଦନ ଖାରଜ ହୋଇଯାଇ ଥିଲା। ୧୯୮୮ର ‘ରୋଡ୍‌ ରେଜ୍‌’ ମାମଲାରେ ସୁପ୍ରିମ୍‌କୋର୍ଟ ଗୁରୁବାର ଏକ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେବା ପରେ ନବଜୋତ୍‌ଙ୍କୁ ଆତ୍ମସମର୍ପଣ କରିବା ଲାଗି ଆଦେଶ ଦେଇଥିଲେ।
୧୯୮୮ ମସିହାରେ ଗାଡ଼ି ପାର୍କିଂକୁ ନେଇ ସିଦ୍ଧୁ ଓ ଗୁରନାମ ସିଂହଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ସିଦ୍ଧୁ ତାଙ୍କୁ ମାଡ଼ ମାରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଗୁରନାମ ସିଂହଙ୍କ ମୃତ୍ୟୁ ଘଟିଥିଲା। ଏହାର ବିଚାର କରି ଗୁରୁବାର ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ୧ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ପଞ୍ଜାବରେ ଘଟିଥିଲା ଏହି ରୋଡ୍ ରେଜ୍ କେସ୍। ପଟିଆଲାରେ ରାସ୍ତା ମଝିରେ ଗାଡ଼ି ପାର୍କିଂ କରିଥିଲେ। ଏହି ସମୟରେ ଗୁରୁନାମ ସିଂହ ନାମକ ୬୫ ବର୍ଷୀୟ ବୃଦ୍ଧ ତାଙ୍କୁ କାର୍ ରାସ୍ତାରୁ ହଟାଇବାକୁ କହିଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ସିଦ୍ଧୁ ରାଗରେ ବୃଦ୍ଧଙ୍କ ମୁଣ୍ଡକୁ ପିଟିଥିଲେ। ଏଥିରେ ବୃଦ୍ଧ ଜଣଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ବୃଦ୍ଧଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସିଦ୍ଧୁ କହିଥିଲେ। ଏହି ଘଟଣାରେ ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୁପିନ୍ଦର ସିଂହଙ୍କ ବିରୋଧରେ ପଟିଆଲା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା।
୨୦୦୬ ରେ ପଞ୍ଜାବ-ହରିୟାଣା ହାଇକୋର୍ଟ ଏହି ମାମଲାରେ ସିଦ୍ଧୁଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ।ଏହାପରେ ସିଦ୍ଧୁ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ୨୦୧୮ ମେ ରେ ସିଦ୍ଧୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ସୁପ୍ରିମକୋର୍ଟ । ଏହା ପରେ ପୀଡ଼ିତଙ୍କ ପରିବାର ପକ୍ଷରୁ ଏହା ଉପରେ ଏକ ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶ ଶୁଣାଇଥିଲେ। ସିଦ୍ଧୁଙ୍କୁ ଆଇପିସିର ଧାରା ୩୨୩ ଆଧାରରେ ଗୋଟିଏ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ ।

nis-ad
Leave A Reply

Your email address will not be published.