ଟ୍ରେନ ଧକ୍କାରେ ଆଖି ବୁଜିଲେ ୩ ହାତୀ

କେନ୍ଦୁଝର: ଟ୍ରେନ ଧକ୍କାରେ ଆଖି ବୁଜିଲେ ୩ ହାତୀ । କେନ୍ଦୁଝର ଜିଲ୍ଲା ବାଂଶପାଣୀ ବେହେରା ହଟିଂ ନିକଟ ରେଳଧାରଣାରେ ୨୨ ଟିକିଆ ହାତୀ ପଲ ଧାରଣା ଅତିକ୍ରମ କରୁଥିବାବେଳେ ଗତକାଲି( ଶୁକ୍ରବାର) ବିଳମ୍ବିତ ରାତିରେ ସେମାନଙ୍କୁ ଏକ ମାଲବାହୀ ଟ୍ରେନ୍‌ ଧକ୍କା ଦେଇଥିଲା । ଗୋଟିଏ ମାଈ ହାତୀ ସମେତ 2ଟି ଛୁଆ ହାତୀର ମୃତ୍ୟୁ ହୋଇଛି ।

୨୨ ଟିକିଆ ଟିକିଆ ହାତୀପଲ ସନ୍ଧ୍ୟାରେ କେନ୍ଦୁଝର ବେହେରା ହଟିଂ ନିକଟରେ ରେଳ ଧାରଣା ପାରି ହେଉଥିଲେ । ଏହି ସମୟରେ ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ ହାତୀପଲଙ୍କୁ ଧକ୍କା ଦେଇଥିଲା । ଫଳରେ ୩ ହାତୀ ଗୁରୁତର ହୋଇଥିଲେ । ଆଜି ୩ ହାତୀଙ୍କର ମୃତ୍ୟୁ ହୋଇଛି । ହାତୀ ପଲ ଦୀର୍ଘ ଏକ ସପ୍ତାହ ଧରି ନିକଟସ୍ଥ ଜଙ୍ଗଲରେ ଡେରା ପକାଇଥିବାବେଳେ ବନବିଭାଗର ସେମାନଙ୍କ ପ୍ରତି ନିଘା ନ ଥିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ପରିବେଶବିତ୍‌ମାନେ କହିଛନ୍ତି ।

ଚମ୍ପୁଆ ରେଞ୍ଜ ଯୋଡା ସେକସନ ଅନ୍ତର୍ଗତ ଅନତି ଦୂରରେ ବିଚାକୁଣ୍ଡି ଜଙ୍ଗଲରେ ଏହି ହାତୀ ପଲ ୧୩ ତାରିଖଠାରୁ ଜଙ୍ଗଲ ଭିତରେ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ଅନ୍ୟ ହାତୀ ଜଗି ରହିଛନ୍ତି । ଘଟଣା ପରେ ଏହି ହାତୀ ପଲ ହିଂସ୍ର ହୋଇ ଉଠିଥିବାବେଳେ ଘଟଣାସ୍ଥଳକୁ କେହି ପଶି ପାରିନାହାନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ଠିକ୍ ଏହି ସ୍ଥାନରେ ଦୁର୍ଘଟଣାରେ ବହୁ ହାତୀଙ୍କ ମୃତ୍ୟୁ ହୋଇଛି । ଆଜି ସକାଳୁ ଜଙ୍ଗଲ ବିଭାଗ ଅଧିକାରୀ ପହଞ୍ଚି ତିନି ହାତୀକୁ ଉଦ୍ଧାର କରି ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଛନ୍ତି । ଏପର୍ଯ୍ୟନ୍ତ କାହା ନାଁରେ ମାମଲା ରୁଜୁ ହୋଇନଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.