ବାରବାଟୀ ଷ୍ଟାଡିୟମର ନାହିଁ ଫାୟାର ସେଫଟୀ ସାର୍ଟିଫିକେଟ୍, ଓସିଏକୁ ମାନବାଧିକାର କମିଶନଙ୍କ ରିପୋର୍ଟ

କଟକ: ଅନିଶ୍ଚିତତାରେ ବାରବାଟୀ ଟି-୨୦। ବାରବାଟୀ ପରି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସାର୍ଟିଫିକେଟ୍। ବିଶ୍ଵାସ ନହେଲେ ବି ଏହି ଖବର ସତ। ଏ ନେଇ ଓଡିଶା କ୍ରିକେଟ୍ ଆସୋସିଏସନର ସଂପାଦକଙ୍କୁ ରାଜ୍ୟ ମାନବାଧିକାର କମିଶନ ନୋଟିସ୍ ଜାରି କରିଛନ୍ତି। ମେ ୨୬ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ତେବେ ଏହା ପୂର୍ବରୁ କେମିତି ବିନା ଅଗ୍ନି ନିରାପତ୍ତା ସାର୍ଟିଫିକେଟରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ଆୟୋଜନ ହେଉଥିଲା। କଣ ଫାୟାର ସେଫଟି ବିଭାଗ ଜାଣି ପାରିନଥିଲେ କି କଟକ ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି କି ନାହିଁ ?

ଜୁନ ୧୨ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମୁକାବିଲା ଖେଳାଯିବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଏହା ହେବ ଦ୍ଵିତୀୟ ମୁକାବିଲା। ଏ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଦର୍ଶକଙ୍କୁ ଷ୍ଟାଡିୟମରେ ଅନୁମତି ମିଳିବା ନେଇ ଓସିଏ ଉଦ୍ୟମ ଜାରି ରହିଥିବା ବେଳେ ଏବେ ରାଜ୍ୟ ମାନବାଧିକାର କମିଶନ ଝଟକା ଦେଇଛନ୍ତି। ଫାୟାର ସେଫଟୀ ସାର୍ଟିଫିକେଟ୍ ନଥିବା ନେଇ ଓସିଏଙ୍କୁ ନୋଟିସ୍ ଜାରି କରାଯାଇଛି। ମେ ୨୬ ସୁଦ୍ଧା ଏହା ଉପରେ ରିପୋର୍ଟ ଦେବାକୁ କୁହାଯାଇଛି।

ସୂଚନାଯାେଗ୍ୟ, ପ୍ରାୟ ଅଢେଇ ବର୍ଷ ପରେ କଟକ ବାରବାଟୀ କ୍ରିକେଟ୍ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମୁକାବିଲା। ଶେଷ ଥର ବାରବାଟୀରେ ଡିସେମ୍ବର ୨୨ ତାରିଖରେ ଦିନିକିଆ ମ୍ୟାଚ୍ ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିଲା। ଚଳିତ ବର୍ଷ ଫେବୃଆରୀ ୧୫ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆୟୋଜନ ହେବାର ଥିଲା। ତେବେ କରୋନା ମହାମାରୀର ପ୍ରକୋପ କାରଣରୁ ବାରବାଟୀରେ ମ୍ୟାଚ୍ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ପରେ ବାରବାଟୀରୁ ମ୍ୟାଚ୍ ସ୍ଥାନାନ୍ତର ହୋଇଥିଲା।

nis-ad
Leave A Reply

Your email address will not be published.