ମହିଳା ଟି-୨୦ ଚାଲେଞ୍ଜରେ ପ୍ରିୟଙ୍କା, ସୁଜାତା: ମାଧୁରୀ ପୁଣି ଉପେକ୍ଷିତ

କଟକ: ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଆରମ୍ଭ ହେବାକୁଥିବା ମହିଳା ଟି-୨୦ ଚାଲେଞ୍ଜ ପ୍ରତିଯୋଗିତାରେ ଓଡ଼ିଶାରୁ ଦୁଇଜଣ ଖେଳାଳି ମନୋନୀତ ହୋଇଛନ୍ତି। ସ୍ମୃତି ମନ୍ଧାନାଙ୍କ ନେତୃତ୍ବାଧିନ ଟ୍ରେଲବ୍ଲେଜର୍ସ ଦଳରେ ଓଡ଼ିଶାର ଦ୍ରୁତ ବୋଲର ସୁଜାତା ମଲ୍ଲିକ ଓ ସ୍ପିନର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ସ୍ଥାନ ପାଇଛନ୍ତି। ନିକଟରେ ଶେଷ ହୋଇଥିବା ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଓଡ଼ିଶା ସେମିଫାଇନାଲ୍‌ରେ ରେଳବାଇଠୁ ପରାସ୍ତ ହୋଇଥିଲେ ହେଁ ସୁଜାତା ଓ ପ୍ରିୟଙ୍କା ଉଭୟ ୧୧ ଵିକେଟ ଲେଖାଏଁ ଅକ୍ତିଆର କରି ତାଲିକାର ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଉଭୟଙ୍କୁ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ସଭାପତି ପଙ୍କଜ ଲୋଚନ ମହାନ୍ତି ଏବଂ ସମ୍ପାଦକ ସଞ୍ଜୟ ବେହେରା ଅଭିନନ୍ଦନ ଜଣାଇବା ସହ ଶୁଭକାମନା ଜଣାଇଛନ୍ତି। ଭୁବନେଶ୍ବର ନୂଆପଲ୍ଲୀ ଇନ୍ଦିରା ମଇଦାନର ଜାଗୃତି କ୍ରିକେଟ୍‌ ଏକାଡେମିରେ ପ୍ରଶିକ୍ଷିତ ଏହି ଦୁଇ ଖେଳାଳିଙ୍କୁ ତାଙ୍କ ପ୍ରଶିକ୍ଷକ କ୍ଷୀରୋଦ ବେହେରା ମଧ୍ୟ ଶୁଭକାମନା ଜଣାଇଛନ୍ତି। ଅନ୍ୟପକ୍ଷରେ ଲଗାତାର ଭାବେ ଟି-୨୦ ଚାଲେଞ୍ଜ ପ୍ରତିଯୋଗିତାରେ ଖେଳି ଆସୁଥିବା ଅଲ୍‌ରାଉଣ୍ଡର୍‌ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ପ୍ରଦର୍ଶନ ନୈରାଶ୍ୟଜନ ରହିବାରୁ ସେ ଏଥର କୌଣସି ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଛନ୍ତି।
ଟି-୨୦ ଚାଲେଞ୍ଜ ପ୍ରତିଯୋଗିତାରେ ଟ୍ରେଲବ୍ଲେଜର୍ସ ବ୍ୟତୀତ ସୁପରନୋଭାସ୍‌ ଓ ଭେଲୋସିଟି ଅନ୍ୟ ଦୁଇଟି ଦଳ ଥିବାବେଳେ ହରମନପ୍ରୀତ କୌର ଓ ଦୀପ୍ତି ଶର୍ମା ଯଥାକ୍ରମେ ଏହି ଦୁଇ ଦଳର ନେତୃତ୍ବ ନେଉଛନ୍ତି। ଭାରତୀୟ ଖେଳାଳିଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଇ˚ଲଣ୍ତ, ୱେଷ୍ଟଇଣ୍ତିଜ ଓ ଅଷ୍ଟ୍ରେଲିଆରୁ ମୋଟ ୧୨ ଜଣ ଖେଳାଳିଙ୍କୁ ଉକ୍ତ ତିନି ଦଳରେ ସାମିଲ କରାଯାଇଛି। ୨୩ ତାରିଖରେ ଟ୍ରେଲବ୍ଲେଜର୍ସ ଓ ସୁପରନୋଭାସ ମଧ୍ୟରେ ପ୍ରଥମ ମୁକାବିଲା ହେବ। ଏହାପରେ ୨୪ ତାରିଖରେ ସୁପରନୋଭାସ ଓ ଭେଲୋସିଟି ମଧ୍ୟରେ ଏବ˚ ୨୬ ତାରିଖରେ ଭେଲୋସିଟି ଓ ଟ୍ରେଲବ୍ଲେଜର୍ସ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ ଖେଳାଯିବ। ଶ୍ରେଷ୍ଠ ଦୁଇ ଦଳଙ୍କୁ ନେଇ ୨୮ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।
ମାଧୁରୀ ପୁଣି ଉପେକ୍ଷିତ
ଓଡ଼ିଶା ଦଳର ବରିଷ୍ଠ ଖେଳାଳି ମାଧୁରୀ ମେହେଟ୍ଟା ପୁଣି ଥରେ ବିସିସିଆଇ ଚୟନକର୍ତ୍ତାଙ୍କ ଦ୍ବାରା ଉପେକ୍ଷିତ ହୋଇଛନ୍ତି। ସୋମବାର ଘୋଷଣା ହୋଇଥିବା ମହିଳା ଟି-୨୦ ଚାଲେଞ୍ଜ ପ୍ରତିଯୋଗିତା ଖେଳାଳି ତାଲିକାରେ ଓଡ଼ିଶାରୁ ଦୁଇଜଣ ସ୍ଥାନ ପାଇଥିଲେ ସୁଦ୍ଧା ଭଲ ପ୍ରଦର୍ଶନ କରିଥିବା ମାଧୁରୀ ମେହେଟ୍ଟାଙ୍କୁ ସ୍ଥାନ ମିଳିନାହିଁ। ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ରେ ମାଧୁରୀ ୭ ମ୍ୟାଚରୁ ୩୫.୫୦ହାରରେ ୨୧୩ ରନ୍‌ ସ˚ଗ୍ରହ କରିଥିଲେ। ଏଥିମଧ୍ୟରେ ସେ ୨ଟି ଅର୍ଧଶତକ ମଧ୍ୟ ଅର୍ଜନ କରିଥିଲେ। ଛତିଶଗଡ଼ ବିପକ୍ଷରେ ୬୬*, ବିହାର ବିପକ୍ଷରେ ୧୦, ତ୍ରିପୁରା ବିପକ୍ଷରେ ୨୮, ଝାଡ଼ଖଣ୍ତ ବିପକ୍ଷରେ ୮, ତାମିଲନାଡୁ ବିପକ୍ଷରେ ସେ ଖାତା ଖୋଲିପାରିନଥିଲେ। କ୍ବାର୍ଟର ଫାଇନାଲ୍‌ରେ ହରିଆଣା ବିପକ୍ଷରେ ୬୬ ଓ ସେମିଫାଇନାଲ୍‌ରେ ୩୫ ରନ୍‌ର ପାଳି ଖେଳିଥିଲେ। ଏପରିକି ସର୍ବାଧିକ ରନ୍‌ ସ˚ଗ୍ରହକାରୀଙ୍କ ତାଲିକାର ୧୩ତମ ସ୍ଥାନରେ ମଧ୍ୟ ସେ ରହିଥିଲେ। ଓଡ଼ିଶାର ଅଗ୍ରଣୀ ରନ୍‌ ସ୍କୋରର ‌ମଧ୍ୟ ହୋଇଥିଲେ। ଗତବର୍ଷ ଖେଳାଯାଇଥିବା ମହିଳା ଦିନିକିଆକୁ ମିଶାଇ ମାଧୁରୀ ମୋଟ ୪୫୪ ରନ୍‌ ସଂଗ୍ରହ କରି ରାଜ୍ୟର ସର୍ବପୁରାତନ କ୍ରିକେଟର୍‌ ଅଫ୍‌ ଦି ଇୟର୍‌ ପୁରସ୍କାର ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି। ଏହା ସତ୍ତ୍ବେ ଚୟନକର୍ତ୍ତାମାନେ ତାଙ୍କ ନାମକୁ ବିଚାରକୁ ନେଇନଥିଲେ।

nis-ad
Leave A Reply

Your email address will not be published.