‘ବୈବାହିକ ବଳାତ୍କାର’ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ବିଭାଜିତ ରାୟ ବିରୋଧରେ ସୁପ୍ରିମ୍‌ କୋର୍ଟରେ ହେଲା ଆବେଦନ

ନୂଆଦିଲ୍ଲୀ: ‘ବୈବାହିକ ବଳାତ୍କାର’ର ଅପରାଧୀକରଣ ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟଙ୍କ ବିଭାଜିତ ରାୟକୁ ଚ୍ୟାଲେଞ୍ଜ କରି ଶୀର୍ଷ ଅଦାଲତ ସୁପ୍ରିମକୋର୍ଟରେ ମଙ୍ଗଳବାର ଏକ ଆବେଦନ ଦାଖଲ କରାଯାଇଛି। ଉଲ୍ଲେଖଯୋଗ୍ୟ, ଆବେଦନକାରୀ ଖୁସବୁ ସୈଫି ଦିଲ୍ଲୀ ହାଇକୋର୍ଟରେ କରିଥିବା ଏକ ଆବେଦନକୁ ଗତ ମେ ୧୧ ତାରିଖରେ ଶୁଣାଣି କରି ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଏକ ବିଭାଜିତ ରାୟ ଦେଇଥିଲେ। ତଥାପି, ଖଣ୍ଡପୀଠର ଉଭୟ ବିଚାରପତି- ଜଷ୍ଟିସ ରାଜୀବ ଶାଖଧେର ଏବଂ ବିଚାରପତି ଜଷ୍ଟିସ ସି ହରିଶଙ୍କର ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କୁ ଅନୁମତି ପ୍ରଦାନ କରିଥିଲେ। କାରଣ, ଏ ପ୍ରସଙ୍ଗରେ ଆଇନର ଗୁଡ଼ିଏ ପ୍ରଶ୍ନ ଅନ୍ତର୍ଭୁକ୍ତ ରହିଥିଲା, ଯାହା ଶୀର୍ଷ ଅଦାଲତଙ୍କ ନିଷ୍ପତ୍ତି ଆବଶ୍ୟକ କରୁଥିଲା।
ଖଣ୍ଡପୀଠର ନେତୃତ୍ୱ ନେଇଥିବା ଜଷ୍ଟିସ ଶାଖଧେର ବୈବାହିକ ବଳାତ୍କାର ବ୍ୟତିକ୍ରମକୁ ଅସାମ୍ବିଧାନିକ ବୋଲି ସମର୍ଥନ କରିଥିବା ବେଳେ ଏବଂ ଆଇପିସି ପ୍ରଣୟନ ପରଠାରୁ ୧୬୨ ବର୍ଷ ପରେ ମଧ୍ୟ ଜଣେ ବିବାହିତ ମହିଳାଙ୍କ ଦ୍ୱାରା ନ୍ୟାୟ ପାଇଁ ହୋଇଥିବା ଆହ୍ଵାନର ଶୁଣାଣି ନହେଲେ ଏହା ଦୁଃଖଦ ହେବ ବୋଲି କହିଥିଲେ। ଅନ୍ୟପକ୍ଷରେ ଜଷ୍ଟିସ ହରିଶଙ୍କର କହିଥିଲେ ଯେ ବଳାତ୍କାର ଆଇନ ଅନୁଯାୟୀ ବ୍ୟତିକ୍ରମ ଅସାମ୍ବିଧାନିକ ନୁହେଁ ଏବଂ ଏହା ଏକ ଅବିସ୍ମରଣୀୟ ଭିନ୍ନତା ଉପରେ ଆଧାରିତ।
ଶୁଣାଣି କାଳରେ ଜଷ୍ଟିସ ରାଜୀବ ଶାକଧେର ଏ କ୍ଷେତ୍ରରେ ଭାରତୀୟ ପିଙ୍ଗଳ କୋର୍ଡ (ଆଇପିସି)ର ଧାରା ୩୭୫ (ବଳାତ୍କାର)ର ବ୍ୟତିକ୍ରମ-୨କୁ ଅସମ୍ବିଧାନିକ ବୋଲି କହିଥିଲେ; ଯେଉଁଥିରେ ସ୍ତ୍ରୀ ସହ ସ୍ୱାମୀର ବଳପୂର୍ବକ ସହବାସ ବା ଯୌନକ୍ରିୟାକୁ ଏକ ଅପରାଧ ଭାବେ ଗ୍ରହଣ କରାଯାଇ ନାହିଁ। ଜଷ୍ଟିସ ଶାକଧେର କହିଥିଲେ ଯେ ଜଣେ ଗର୍ଲଫ୍ରେଣ୍ଡ ବା ଲିଭ୍‌-ଇନ ପାର୍ଟନର ଯେତେବେଳେ ମନା କରୁଛି, ସେତେବେଳେ ତା’ର ପୁରୁଷ ସାଥୀ ତା’ ସହ ବଳପୂର୍ବକ ସହବାସ କଲେ ତାହାକୁ ଧର୍ଷଣ ଓ ବଳାତ୍କାର ଅପରାଧ ଭାବେ ବିବେଚନା କରାଯାଉଥିବା ବେଳେ ବିବାହିତ ସ୍ୱାମୀ ସ୍ତ୍ରୀଙ୍କ କ୍ଷେତ୍ରରେ ତାହା ପ୍ରଯୁଜ୍ୟ ହେବ ନାହିଁ କାହିଁକି? ନାରୀ ତ ଉଭୟ କ୍ଷେତ୍ରରେ ନାରୀ; ତେବେ ଆଇନ ଦୁଇଟି କ୍ଷେତ୍ରରେ ଦୁଇ ପ୍ରକାର ହେବ କାହିଁକି?
ଅନ୍ୟପକ୍ଷରେ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ ହରିଶଙ୍କର କହିଥିଲେ ଯେ ସେ ଏ ଯୁକ୍ତି ସହ ଏକମତ ନୁହନ୍ତି। ସେ କହିଥିଲେ ଯେ ଆଇପିସିର ଧାରା ୩୭୫ର ବ୍ୟତିକ୍ରମ-୨ ସମ୍ବିଧାନର ବିରୁଦ୍ଧାଚରଣ କରୁନାହିଁ। ଆଇପିସିର ଧାରା ୩୭୫ର ବ୍ୟତିକ୍ରମ-୨ ଅନୁଯାୟୀ ସ୍ୱାମୀ ଯଦି ନିଜର ବିବାହିତା ସ୍ତ୍ରୀଙ୍କ ସହ ସହବାସ ବା ଯୌନକ୍ରିୟା କରନ୍ତି, ଯେ କି ଜଣେ ନାବାଳିକା ନୁହନ୍ତି; ତେବେ, ତାକୁ ବଳାତ୍କାର କିମ୍ବା ଧର୍ଷଣ ବୋଲି ବିବେଚନା କରାଯାଇ ପାରିବ ନାହିଁ।
ଆବେଦନକାରୀ ଧାରା ୩୭୫ ଆଇପିସି (ବଳାତ୍କାର) ଅନୁଯାୟୀ ବୈବାହିକ ବଳାତ୍କାର ବ୍ୟତିକ୍ରମର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରିଥିଲେ। କାରଣ ଏହା ବିବାହିତ ମହିଳାମାନଙ୍କ ପ୍ରତି ଭେଦଭାବ କରିଥିଲା; ଯେଉଁମାନେ ସେମାନଙ୍କ ସ୍ୱମୀଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୁଅନ୍ତି।
ଏହି ମାମଲାରେ ଖଣ୍ଡପୀଠ ୩୯୩ ପୃଷ୍ଠାର ବିଭାଜିତ ରାୟ ପ୍ରଦାନ କରିଥିଲେ। ଜଷ୍ଟିସ୍‌ ଶାଖଧେର ଏପ୍ରସଙ୍ଗରେ ତାଙ୍କ ଦ୍ୱାରା ଲିଖିତ ୧୯୨ ପୃଷ୍ଠାର ରାୟରେ ଉଲେଏ୍ଲଖ କରିଛନ୍ତି ଯେ ସେ ଜଷ୍ଟିସ୍‌ ହରିଶଙ୍କରଙ୍କୁ ତାଙ୍କ ଦୃଷ୍ଟିକୋଣକୁ ମନାଇବାରେ ସକ୍ଷମ ନୁହେଁ ଏବଂ ଏ କ୍ଷେତ୍ରରେ ତାଙ୍କ ତର୍ଜମା ଭିନ୍ନ; ମୁଁ ତାହାକୁ ସମ୍ମାନ କରେ।
ଅନ୍ୟପକ୍ଷରେ ନିଜର ୨୦୦ ପୃଷ୍ଠା ସମ୍ବଳିତ ବିଭାଜିତ ରାୟରେ ଜଷ୍ଟିସ୍‌ ହରିଶଙ୍କର କହିଛନ୍ତି ଯେ ଆଇପିସିର ଧାରା ୩୭୫ ଏବଂ ଧାରା ୩୭୬ ବି ଏବଂ ଅପରାଧିକ ପ୍ରକ୍ରିୟା ସଂହିତାର ଧାରା ୧୯୮ ବି କୁ ଦ୍ୱିତୀୟ ବ୍ୟତିକ୍ରମର ଚ୍ୟାଲେଞ୍ଜ ଅକାମୀ କରିଦେବ।

nis-ad
Leave A Reply

Your email address will not be published.