କଂଗ୍ରେସ ଛାଡ଼ିଲେ ସୁନୀଲ ଝାକର

ଚଣ୍ଡିଗଡ଼: ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିର ଚାଲିଥିବା ବେଳେ ପଞ୍ଜାବରେ ଦଳକୁ ଲାଗିଛି ଝଟକା । ହାତ ଛାଡ଼ିଛନ୍ତି ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଝାକର । ଏନେଇ ସେ ନିଜେ ଘୋଷଣା କରିବା ସହ ପାର୍ଟିକୁ ଗୁଡ୍‌ ଲକ୍‌ ଓ ଗୁଡ୍‌ ବାଏ କହିଛନ୍ତି। ଫେସବୁକ୍‌ର ଏକ ଲାଇଭ ସେଶନରେ ସୁନୀଲ ଝାକର ଏହି ଘୋଷଣା କରିଥିବା ବେଳେ ଏହାକୁ ନିଜ ଟ୍ୱିଟର ପେଜରେ ବି ପୋଷ୍ଟ କରିଛନ୍ତି।
ଗତ ଶୁକ୍ରବାର ଝାକର ନିଜ ଟ୍ୱିଟର ପେଜରେ ଏକ ପୋଷ୍ଟ କରି ନିଜ ‘ଦିଲ କି ବାତ’ ଶନିବାର ଜଣାଇବେ ବୋଲି ଉଲ୍ଲେଖ କରିଥିଲେ। ଏହାପରେ ଶନିବାର ସେ ନିଜ ଫେସବୁକ୍‌ ପେଜ୍‌ର ଲାଇଭ ସେଶନ, ଟ୍ୱିଟରରେ ବି ଶେଅର କରିଥିଲେ, ଯେଉଁଥିରେ ସେ କଂଗ୍ରେସ ଛାଡ଼ିବା କଥା ଘୋଷଣା କରିଥିଲେ।
ଉଦୟପୁରରେ ଗତକାଲିଠୁ କଂଗ୍ରେସର ଚିନ୍ତନ ଶିବିର ଚାଲିଥିବା ବେଳେ ଦ୍ୱିତୀୟ ଦିନରେ ଏପରି ଘଟଣା ସାମନାକୁ ଆସିଛି। କଂଗ୍ରେସ ଚିନ୍ତନ ଶିବିର ବଦଳରେ ଏକ ଚିନ୍ତା ଶିବିର କରିବା ଉଚିତ ବୋଲି ଉଲ୍ଲେଖ କରିଛନ୍ତି ଝାକର । ଏହା କେବଳ ଏକ ଔପଚାରିକତା। ଦଳର ଆଗ ଧାଡ଼ିର ନେତାଙ୍କର ଦଳକୁ ବଞ୍ଚାଇବାକୁ ଆନ୍ତରିକତା ଥିବା ପରିଲକ୍ଷିତ ହେଉନି ବୋଲି ସେ ଉଲ୍ଲେଖ କରିଛନ୍ତି।
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ମାଟି କାମୁଡ଼ିଥିବା ବେଳେ ଏହାର କାରଣ ଖୋଜିବାକୁ ଆଉ ଏକ କମିଟି ଗଠନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏଥିସହ କଂଗ୍ରେସର ବିପର୍ଯ୍ୟୟ ପାଇଁ ସେ ହରିଶ ରାୱତଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି । ପଞ୍ଜାବ ପୂର୍ବରୁ ବି ବହୁ ଦୁର୍ଦ୍ଦିନ ଦେଖି ସାରିଥିବା ବେଳେ ଏହି ରାଜ୍ୟକୁ ନେଇ କୌଣସି ପଲଟିକ୍ସ ନ କରିବାକୁ ସେ କଂଗ୍ରେସ ପ୍ରେସିଡେଣ୍ଟ ସୋନିଆ ଗାନ୍ଧୀଙ୍କୁ ଅପିଲ କରିଛନ୍ତି।
ସୂଚନାଯୋଗ୍ୟ, ସୁନୀଲ ଝାକର ୨୦୧୭ରୁ ୨୦୨୧ ମସିହା ପର୍ଯ୍ୟନ୍ତ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ପ୍ରେସିଡେଣ୍ଟ ଥିଲେ। ଏହାପୂର୍ବରୁ ୨୦୦୨ରୁ ୨୦୧୭ ମଧ୍ୟରେ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗୁରୁଦାସପୁରରୁ ନିର୍ବାଚନ ଜିତି ଲୋକସଭାକୁ ମଧ୍ୟ ଯାଇଥିଲେ। ପଞ୍ଜାବ ବିଧାନସଭାରେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ଥିଲେ। ଦୀର୍ଘ ଦିନ କଂଗ୍ରେସରେ ରହିବା ସତ୍ତ୍ୱେ ସୁନୀଲ ଝାକର ଦଳ ଛାଡ଼ିବା କଂଗ୍ରେସକୁ ଏକ ଶକ୍ତ ଝଟକା ଦେଇଛି।

nis-ad
Leave A Reply

Your email address will not be published.