ଆସନ୍ତା ୨୦ରୁ କଟକରେ ପ୍ରଥମ ଥର ଜିଲ୍ଲା ପଡ଼ିଆରେ ଆୟୋଜନ ହେବ ଜାତୀୟ ଆଦିବାସୀ ମେଳା…

କଟକ: ପ୍ରଦର୍ଶିତ ହେବ ଓଡି଼ଶା ସମେତ ୧୭ଟି ରାଜ୍ୟର ଆଦିବାସୀ କଳାକୃତି । ଲୋକନୃତ୍ୟ ପରିବେଷଣ ହେବ । ଷ୍ଟଲ୍‌ରେ ସ୍ଥାନ ପାଇବ ଆଦିବାସୀଙ୍କ ହସ୍ତଶିଳ୍ପ ଓ ଭଳିକି ଭଳି ଖାଦ୍ୟସାମଗ୍ରୀ । ସହରୀ ଦୁନିଆରେ ଆଦିବାସୀ କଳାକୃତିର ଚାହିଦା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ କଟକରେ ଆରମ୍ଭ ହେବାକୁ ଯାଉଛି ଜାତୀୟ ସ୍ତରୀୟ ଆଦିବାସୀ ମେଳା ।

ସା ପରିଚୟ ଫାଉଣ୍ଡେସନ୍‌ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଉପର ବାଲିଯାତ୍ରା ପଡ଼ିଆରେ ଆସନ୍ତା ୨୦ତାରିଖରୁ ଆରମ୍ଭ ହେବ ଉକ୍ତ ମେଳା । ଏଥିରେ ୧୪୦ଟି ଷ୍ଟଲ୍‌ ପଡିବ। ୧୧ଦିନ ଧରି ଲୋକମାନେ ଏହି ମେଳାର ମଜା ଉଠାଇପାରିବେ ବୋଲି ଶୁକ୍ରବାର ସର୍କିଟ୍‌ ହାଉସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନ୍‌ର ସଭାପତି ତଥା ମେୟର ସୁବାସ ସିଂ ସୂଚନା ଦେଇଛନ୍ତି ।

ପାଖାପାଖି ଦୁଇ ବର୍ଷର ବ୍ୟବଧାନ ପରେ କଟକବାସୀ ମେଳାର ଆନନ୍ଦ ଉଠାଉଛନ୍ତି । ବର୍ତ୍ତମାନ ବୈଶାଖୀ ବାଣିଜ୍ୟ ମେଳା ଚାଲିଥିଲାବେଳେ ପୁଣି ଆଉ ଏକ ମେଳା ପ୍ରଦର୍ଶିତ ହେବ । କଟକବାସୀଙ୍କ ରୁଚିକୁ ଦୃଷ୍ଟିରେ ରଖି ପରିଚୟ ଫାଉଣ୍ଡେସନ୍‌ ଦ୍ୱାରା କଟକ ଜିଲ୍ଲାରେ ପ୍ରଥମ ଥର ପାଇଁ ଆଦିବାସୀ ମେଳାର ଆୟୋଜନ କରାଯିବ । ଆୟୋଜିତ ହେବାକୁ ଥିବା ଏହି ମେଳାରେ ୧୪୦ଟି ଷ୍ଟଲ୍‌ ରହିବ । ଏଥିରେ ଓଡି଼ଶାର ୧୧ଟି ଜିଲ୍ଲା ସମେତ ଦେଶର ୧୬ଟି ରାଜ୍ୟରୁ ବିଭିନ୍ନ ଆଦିବାସୀ ଜନଜାତି ସମ୍ପ୍ରଦାୟର ଲୋକମାନେ ଆସି ଭାଗ ନେବେ । ଏହି ଷ୍ଟଲ୍‌ମାନଙ୍କରେ ସେମାନଙ୍କ କଳାକୃତି ତଥା ହସ୍ତଶିଳ୍ପ ସାମଗ୍ରୀର ପ୍ରଦର୍ଶନ କରାଯିବା କାର୍ଯ୍ୟକ୍ରମ ରହିଛି । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷଣ ହେବ ଲୋକନୃତ୍ୟ । ଜାତୀୟ ସ୍ତରରେ ଏ ପ୍ରକାର ମେଳା ଆୟୋଜନ ହୋଇସାରିଥିବା ବେଳେ ଏହା କଟକରେ ପ୍ରଥମ ଆଦିବାସୀ ମେଳା ଭାବେ ସମସ୍ତଙ୍କୁ ଆକୃଷ୍ଟ କରିବ ବୋଲି ଫାଉଣ୍ଡେସନ୍‌ ପକ୍ଷରୁ ଆଶା କରାଯାଇଛି ।

ସୂଚନା ଅନୁସାରେ, ସା ପରିଚୟ ଫାଉଣ୍ଡେସନ୍‌ ପକ୍ଷରୁ ଆଜିକୁ ୪ବର୍ଷ ହେବ ରାଜ୍ୟ ତଥା ଦେଶର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ଚାଲିଚଳନ ତଥା ସେମାନଙ୍କ କଳାକୃତି, ହସ୍ତଶିଳ୍ପ, ଖାଦ୍ୟପେୟକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ ଜାରି ରହିଛି । ସେମାନଙ୍କ ଏହି କଳାକୃତିକୁ ଲୋକପ୍ରିୟ କରାଇବା ଲକ୍ଷ୍ୟରେ ଜାତୀୟ ଆଦିବାସୀ ମେଳା ଆୟୋଜନ କରାଯାଉଛି । ବିଗତ ଚାରିବର୍ଷ ଧରି ଉକ୍ତ ଅନୁଷ୍ଠାନ ଆଦିବାସୀ କଳାକୃତିକୁ ଲୋକପ୍ରିୟ କରାଇବା ସହ ସେମାନଙ୍କର ଆର୍ଥିକ ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଆସିଛି । ଫାଉଣ୍ଡେସନ୍‌ ପକ୍ଷରୁ ୨୦୧୭ରେ ପୁରୀରେ ଓ ୨୦୧୮ ଓ ୨୦୧୯ରେ ଭୁବନେଶ୍ୱର ଠାରେ ମେଳା ଆୟୋଜନ କରାଯାଇଥିଲା । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମେୟରଙ୍କ ସମେତ ଡେପୁଟି ମେୟର ଦମୟନ୍ତୀ ମାଝୀ, ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଶୁଭାଶିଷ ଦାସ, ପରିଚାଳନା ଟ୍ରଷ୍ଟି ରାଜୀବ ମହାନ୍ତି ଓ ସ୍ଥାନୀୟ କର୍ପୋରେଟର ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.