ଦାୟିତ୍ୱ ନେବା ମାତ୍ରେ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ: ଆର୍ଥିକ ସଙ୍କଟ ଓ ଅସ୍ଥିରତା ମଧ୍ୟରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଦାୟିତ୍ୱ ନେବା ମାତ୍ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ତାଙ୍କ କାର୍ଯ୍ୟକାଳ ସମୟରେ ସେ ଭାରତ ଓ ଶ୍ରୀଲଙ୍କା ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।
ଶ୍ରୀଲଙ୍କା ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବାରୁ ଭାରତ ସରକାର ଆର୍ଥିକ ସହାୟତା କରି ଆସୁଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ବିକ୍ରମସିଂହ ତାଙ୍କ ଭାରତ ପ୍ରତିପକ୍ଷ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗୁରୁବାର ସନ୍ଧ୍ୟାରେ ୭୩ ବର୍ଷୀୟ ବିକ୍ରମସିଂହ ଶ୍ରୀଲଙ୍କାର ୨୬ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ଋଣ ବୋଝ ଯୋଗୁ ଶ୍ରୀଲଙ୍କାରେ ଏବେ ଅଭବାନୀୟ ପରିସ୍ଥିତି ଦେଖାଯାଇଛି। ସେହିପରି ରାଜନୀତିକ ଅସ୍ଥିରତା ଯୋଗୁ ପୋଡ଼ାଜଳା ଘଟିବାରେ ଲାଗିଛି। ଏସବୁ ଭିତରେ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ବିକ୍ରମସିଂହଙ୍କୁ ନିଯୁକ୍ତି ଦେଇଛନ୍ତି।
ଶପଥ ନେବା ପରେ ବିକ୍ରମସିଂହ ଗୋଟିଏ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି ସମୟରେ ସେ କହିଛନ୍ତି, “ମୁଁ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚାହୁଁଛି। ଏଥିସହ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଉଛି। ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାକୁ ମୁକୁଳାଇବା ମୋର ଏକମାତ୍ର ଲକ୍ଷ୍ୟ। ମୁଁ ଲୋକଙ୍କ ପାଖରେ ପେଟ୍ରୋଲ, ଡିଜେଲ ଓ ବିଜୁଳି ପହଞ୍ଚାଇବି। ଏହାଦ୍ୱାରା ହିଁ ସବୁ ସମସ୍ୟାର ସମାଧାନ ହୋଇପାରିବ।”
ଅନ୍ୟପକ୍ଷରେ ଗଣତାନ୍ତ୍ରିକ ଉପାୟରେ ଗଠନ ହେବାକୁ ଯାଉଥିବା ଶ୍ରୀଲଙ୍କାର ନୂଆ ସରକାରଙ୍କ ସହ ମିଳିତ ଭାବେ କାମ କରିବାକୁ ଚାହୁଁଥିବା ଭାରତ ସରକାର ଗୁରୁବାର କହିଥିଲେ। ଶ୍ରୀଲଙ୍କାର ଲୋକଙ୍କୁ ସହଯୋଗ କରିବା ପାଇଁ ଭାରତ ସବୁବେଳେ ପ୍ରତିଶ୍ରୁତିବଦ୍ଧ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଥିଲା।
ସୋମବାର ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦା ରାଜପକ୍ଷ ଇସ୍ତଫା ଦେଇଥିଲେ। ସେବେଠାରୁ ବିନା ସରକାରରେ ଶ୍ରୀଲଙ୍କା ଚାଲିଥିଲା। ସୋମବାର ଠାରୁ ଦେଶରେ ପୋଡ଼ାଜଳା ଘଟି ଚାଲିଛି। ବିଭିନ୍ନ ସ୍ଥାନରେ ଲୋକମାନେ ଲୁଟପାଟ କରୁଛନ୍ତି। ଏସବୁ ଭିତରେ ଗୁରୁବାର ସନ୍ଧ୍ୟାରେ ୟୁନାଇଟେଡ ନ୍ୟାଶନାଲ ପାର୍ଟି(ୟୁଏନପି)ର ନେତା ରନିଲ ବିକ୍ରମସିଂହ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ପୂରା ସ୍ଥିତିକୁ କେମିତି ମୁକାବିଲା କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

nis-ad
Leave A Reply

Your email address will not be published.