ନିଟ ପିଜି ପରୀକ୍ଷା ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୋଷ୍ଟଗ୍ରାଜ୍ୟୁଏଟ ମେଡିକାଲ ପ୍ରବେଶିକା ପରୀକ୍ଷା ବା ନିଟ୍‌ ପିଜି ପରୀକ୍ଷା ୨୦୨୨କୁ ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହି ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ବିଭିନ୍ନ ସଂଗଠନ ଆନ୍ଦୋଳନ କରିଥିଲେ। ତେବେ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିବା ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଆବେଦନକୁ ଅଗ୍ରାହ୍ୟ କରିଥିବା କହିଛନ୍ତି। କୋର୍ଟ କହିଛନ୍ତି, ପରୀକ୍ଷାକୁ ବିଳମ୍ବ କଲେ ପ୍ରାୟ ୨ ଲକ୍ଷ ପିଲା ପ୍ରଭାବିତ ହେବେ। କାରଣ ସେମାନେ ପରୀକ୍ଷା ପାଇଁ ପଞ୍ଜିକରଣ କରିବା ସହ ଏନେଇ ପ୍ରସ୍ତୁତି କରିଛନ୍ତି। ସେହିପରି ହସ୍ପିଟାଲରେ ପରୀକ୍ଷା ବିଳମ୍ବ ଯୋଗୁ ଡାକ୍ତରଙ୍କ ଅଭାବ ମଧ୍ୟ ଦେଖାଯିବ। ସମସ୍ତଙ୍କ ଠାରୁ ରୋଗୀମାନେ ହିଁ ସବୁଠୁ ଉପରେ। ତେଣୁ ରୋଗୀଙ୍କ ଉପଯୁକ୍ତ ସ୍ୱାସ୍ଥ୍ୟସେବାକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖିବାକୁ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରାଯାଉଥିବା କୋର୍ଟ କହିଛନ୍ତି।
ପରୀକ୍ଷା ସ୍ଥଗିତ ପାଇଁ ହୋଇଥିବା ଆବେଦନର ଶୁଣାଣି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ କରଛନ୍ତି। ଖଣ୍ଡପୀଠ କହିଛନ୍ତି, ରିଭାଇଭାଲ ସବମିସନକୁ ବିଚାରକୁ ନିଆଯାଉଥିଲେ ମଧ୍ୟ ଶିକ୍ଷାବର୍ଷ ବର୍ତ୍ତମାନ ସୁଦ୍ଧା ୪ ମାସ ଡେରିରେ ଚାଲୁଥିବା କଥାକୁ ବି ଗୁରୁତ୍ୱ ଦେବାକୁ ହେବ। ମହାମାରୀ ଯୋଗୁ ନିଟ୍‌ ୨୦୨୨-୨୩ ପରୀକ୍ଷାରେ ପରିବର୍ତ୍ତନ କରାଯାଇଥିଲା। ଆବେଦନକାରୀ ଓ ସମାନ ସ୍ଥିତିରେ ଥିବା ଡାକ୍ତରମାନେ ନିଟ୍‌ ପିଜି-୨୦୨୧ର କାଉନସିଲିଂ ପ୍ରକ୍ରିୟାରେ ସାମିଲ ଅଛନ୍ତି। ସେମାନଙ୍କୁ ନିଟ୍‌ ପିଜି-୨୦୨୨ ପାଇଁ ପଞ୍ଜିକରଣ କରିବାରେ କୌଣସି ପ୍ରକାରର ବାଧା ଦିଆଯାଇନି।
ନିଟ୍‌ ପିଜି-୨୦୨୨ ପାଇଁ ପଞ୍ଜିକରଣ ପ୍ରକ୍ରିୟା ମାର୍ଚ୍ଚ ୨୫ରେ ବନ୍ଦ ହୋଇଛି। ପ୍ରାୟ ୨ ଲକ୍ଷ ୬ ହଜାର ଡାକ୍ତର ପରୀକ୍ଷା ପାଇଁ ପଞ୍ଜିକରଣ କରିଛନ୍ତି। କୋର୍ଟ ଅଧିକାଂଶ ଡାକ୍ତର ଓ ରୋଗୀଙ୍କ ଆବଶ୍ୟକତାକୁ କେବେ ହେଲେ ଅଣଦେଖା କରିପାରିବେ ନାହିଁ। ରହିତାଦେଶ କେବଳ ବିବାଦ ଓ ଅନିଶ୍ଚିତତା ସୃଷ୍ଟି କରିବ।
ପରୀକ୍ଷା ବନ୍ଦ କଲେ ରେସିଡେଣ୍ଟ ଡାକ୍ତରଙ୍କ ସଂଖ୍ୟା ହ୍ରାସ ପାଇବ। ଏହାଦ୍ୱାରା ରୋଗୀଙ୍କ ଚିକିତ୍ସା ଉପରେ ପ୍ରଭାବ ପଡ଼ିବ। ପଞ୍ଜିକରଣ କରିଥିବା ଶିକ୍ଷାର୍ଥୀମାନେ ପରୀକ୍ଷା ବନ୍ଦ ଯୋଗୁ ପ୍ରଭାବିତ ହେବେ। ତେଣୁ ଏହି ଆବେଦନକୁ ଖାରଜ କରାଯାଉଥିବା ଖଣ୍ଡପୀଠ କହିଛନ୍ତି। ଆବେଦନ ଖାରଜ ହୋଇଥିବାରୁ ମେ’ ୨୧ ତାରିଖରେ ନିଟ୍‌ ପିଜି ପରୀକ୍ଷା ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ, ଆବେଦନକାରୀ କହିଥିଲେ ଯେ ପୂର୍ବ ବର୍ଷର ପରୀକ୍ଷା ଆଧାରରେ କାଉନସିଲିଂ ପ୍ରକ୍ରିୟା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟ ୨୦୨୨ ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଜାତୀୟ ପରୀକ୍ଷା ବୋର୍ଡ (NBE)କୁ ନିର୍ଦ୍ଦେଶ ଦେବା ଉଚିତ୍। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ମଧ୍ୟ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଥିଲା।

nis-ad
Leave A Reply

Your email address will not be published.