ନୂଆଦିଲ୍ଲୀ: ରାଜ୍ୟସଭାର ଖାଲି ପଡ଼ିବାକୁ ଯାଉଥିବା ମୋଟ ୫୭ଟି ଆସନ ପାଇଁ ଜୁନ୍ ୧୦ରେ ଭୋଟିଂ ହେବ। ଓଡ଼ିଶା ସମେତ ମୋଟ ୧୫ଟି ରାଜ୍ୟରେ ଏତେ ସଂଖ୍ୟକ ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି। ଓଡ଼ିଶାରୁ ୩ଟି ରାଜ୍ୟସଭା ଆସନ ଖାଲି ପଡ଼ିବ। ଏନ ଭାସ୍କର ରାଓ, ସସ୍ମିତ ପାତ୍ର ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଜୁଲାଇ ୧ରେ ଶେଷ ହେବ। ଏଥିପାଇଁ ଖାଲି ଏହି ୩ଟି ରାଜ୍ୟସଭା ଆସନ ପାଇଁ ଆଗୁଆ ଭୋଟିଂ ହେବ।
ଦେଶର ୧୫ଟି ରାଜ୍ୟର ୫୭ ଜଣ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବ। ଯେଉଁ ସଦସ୍ୟଙ୍କ କାର୍ଯ୍ୟକାଳ ୨୧-୬-୨୦୨୨ରୁ ୧-୮-୨୦୨୨ ମଧ୍ୟରେ ସରିବାକୁ ଯାଉଛି, ସେହି ସବୁ ଆସନ ପାଇଁ ଜୁନ୍ ୧୦ରେ ଭୋଟ ହେବ। ନିର୍ବାଚନ ପାଇଁ ଗ୍ୟାଜେଟ ନୋଟିଫିକେସନ ୨୪ ତାରିଖରେ ପ୍ରକାଶ ପାଇବ। ସେହିପରି ନାମାଙ୍କନ ଦାଖଲର ଶେଷ ତାରିଖ ୩୧ ମେ’ ରହିଥିବା ବେଳେ ଯାଞ୍ଚ ପାଇଁ ଜୁନ୍ ୧ରେ ହେବ।
ନାମାଙ୍କନ ପ୍ରତ୍ୟାହ୍ୟାରର ଶେଷ ତାରିଖ ଜୁନ ୩ ଓ ଜୁନ୍ ୧୦ରେ ଭୋଟ ହେବ। ରାଜ୍ୟସଭା ଆସନଗୁଡ଼ିକ ପାଇଁ ଭୋଟ ସକାଳ ୯ଟାରୁ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ସେହିଦିନ ସନ୍ଧ୍ୟା ୫ଟାରୁ ଗଣତି ଆରମ୍ଭ ହେବ। ଜୁନ୍ ୧୩ ତାରିଖ ସୁଦ୍ଧା ସମସ୍ତ ପ୍ରକାରର ନିର୍ବାଚନ ପ୍ରକ୍ରିୟା ଶେଷ କରାଯିବ ବୋଲି କମିଶନର କହିଛନ୍ତି।
ଉତ୍ତର ପ୍ରଦେଶର ସର୍ବାଧିକ ୧୧ଟି ଆସନ ଖାଲି ହେବାକୁ ଯାଉଥିବା ବେଳେ ତାମିଲନାଡୁ ଓ ମହାରାଷ୍ଟ୍ରରେ ୬ଟି ଲେଖାଏ ରାଜ୍ୟସଭା ଆସନ ପାଇଁ ଭୋଟ ହେବ। ଏହାବାଦ ଆନ୍ଧ୍ର ପ୍ରଦେଶର ୪ଟି, ତେଲେଙ୍ଗାନାର ୨ଟି, ଛତିଶଗଡ଼ର ୨ଟି, ମଧ୍ୟପ୍ରଦେଶର ୩ଟି, କର୍ଣ୍ଣାଟକାର ୩ଟି, ଓଡ଼ିଶାର ୩ଟି, ପଞ୍ଜାବର ୨ଟି, ରାଜସ୍ଥାନର ୪ଟି, ଉତ୍ତରାଖଣ୍ଡର ୧, ବିହାରର ୫, ଝାରଖଣ୍ଡର ୨ଟି ଓ ହରିଆଣାର ୨ଟି ଆସନ ଖାଲି ହେବାକୁ ଯାଉଛି।
ରାଜ୍ୟସଭାରେ ମୋଟ ଆସନ ସଂଖ୍ୟା ୨୪୫। ଗତ ମାସରେ ବିଜେପି ୧୯୯୦ ମସିହା ପରେ ପ୍ରଥମ ରାଜନୀତିକ ଦଳ ଭାବେ ରାଜ୍ୟସଭାରେ ନିଜ ସଦସ୍ୟଙ୍କ ସଂଖ୍ୟା ୧୦୦ ପାର କରାଇଥିଲା। ଏବେ ସେମାନଙ୍କ ମଧ୍ୟରୁ କିଛି ସଦସ୍ୟ ଅବସର ନେବାକୁ ଯାଉଛନ୍ତି। ସେହିପରି ନୂଆ କରି ପୁଣି କିଛି ସଦସ୍ୟ ଗୃହକୁ ଆସିବେ।
Sign in
Sign in
Recover your password.
A password will be e-mailed to you.