ନୀରବି ଗଲେ ସନ୍ତୁର ସମ୍ରାଟ; ୮୪ ବର୍ଷ ବୟସରେ ପଣ୍ଡିତ ଶିବକୁମାର ଶର୍ମାଙ୍କ ଦେହାନ୍ତ

ମୁମ୍ବାଇ: ନୀରବି ଗଲେ ସନ୍ତୁର ସମ୍ରାଟ। ଆଉ ଶୁଭିବନି ତାଙ୍କ ସନ୍ତୁରର ସହସ୍ର ତାରରୁ ସୃଷ୍ଟି ବୀଣାଜିଣା ମଧୁର ସ୍ବର। ଭାରତରେ ସନ୍ତୁର ବାଦନର କର୍ଣ୍ଣଧାର ପଣ୍ଡିତ ଶିବକୁମାର ଶର୍ମା ଆଉ ନାହାନ୍ତି। ପ୍ରଖ୍ୟାତ ସନ୍ତୁର ବାଦକ ତଥା ସଂଗୀତ ନିର୍ଦ୍ଦେଶକ ପଣ୍ଡିତ ଶିବକୁମାର ଶର୍ମାଙ୍କର ମଙ୍ଗଳବାର ପରଲୋକ ହୋଇଛି। ମୃତ୍ୟୁ‌ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଗତ ୬ ମାସ ହେବ ଯକୃତଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କର ହୃଦ୍‌ଘାତ ହେତୁ ମୃତ୍ୟୁ ହୋଇଥିବା ସୂଚନା ରହିଛି।
ଜମ୍ମୁ-କଶ୍ମୀରରେ ଖୁବ୍‌ ସ୍ବଳ୍ପ ଜଣାଶୁଣା ବାଦ୍ୟ ସନ୍ତୁରକୁ ଶସ୍ତ୍ରୀୟ ସଂଗୀତ ସହ ଯୋଡ଼ିବାରେ ଶିବକୁମାରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଏକଦା କଶ୍ମୀରର ଏକ ସ୍ଥାନୀୟ ବାଦ୍ୟଯନ୍ତ୍ର ଭାବେ ପରିଚିତ ସନ୍ତୁରକୁ ସେ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇଛନ୍ତି। ଶାସ୍ତ୍ରୀୟ ସଂଗୀତ, ଲୋକ ସଂଗୀତ କି ସିନେ ସଂଗୀତ, ‌ସବୁ କ୍ଷେତ୍ରରେ ସେ ଛାଡ଼ି ଯାଇଛନ୍ତି ତ‌ାଙ୍କର ଉଜ୍ଜ୍ବଳ ପଦଚିହ୍ନ।
ଶିବକୁମାର ୧୯୩୮ ମସିହା ଜାନୁଆରି ୧୩ ତାରିଖରେ ଜାମ୍ମୁରେ ଜନ୍ମଗ୍ରହଣ କରିଥିଲେ। ସେ ପାଞ୍ଚ ବର୍ଷ ବୟସରୁ କଣ୍ଠ ସଂଗୀତ ଓ ତାବ୍‌ଲା ଶିଖିବା ଆରମ୍ଭ କରିଥିଲେ। ତାଙ୍କୁ ଯେତେବେଳେ ୧୩ ବର୍ଷ ବୟସ ହୋଇଥିଲା ସେ ସନ୍ତୁର ଶିଖିବା ଆରମ୍ଭ କଲେ। ଏହାପରେ ୧୯୫୫ ମସିହାରେ ପ୍ରଥମେ ସନ୍ତୁର ସହ ମଞ୍ଚକୁ ଆସିଲେ ଓ ତା’ପରେ ଆଉ ପଛକୁ ଫେରିଚାହିଁ ନାହାନ୍ତି ଶିବକୁମାର। ଭାରତୀୟ ସଂଗୀତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ଶିବକୁମାରଙ୍କୁ ୧୯୮୬ ମସିହାରେ ସଂଗୀତ ନାଟକ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୯୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ଏବଂ ୨୦୦୧ ମସିହାରେ ତାଙ୍କୁ ପଦ୍ମଭୂଷଣ ପୁରସ୍କାରରେ ଭୂଷିତ କରାଯାଇଥିଲା।
କେବଳ ଶସ୍ତ୍ରୀୟ ସଂଗୀତ ନୁହେଁ, ସିନେ-ସଂଗୀତ କ୍ଷେତ୍ରରେ ମଧ୍ୟ ନିଜର ଛାପ ଛାଡ଼ି ଯାଇଛନ୍ତି ସେ। ବନ୍ଧୁ ତଥା ବିଶିଷ୍ଟ ବଂଶୀବାଦକ ହରିପ୍ରସାଦ ଚୌରାସିଆଙ୍କ ସହ ମିଶି ‘ଶିବ-ହରି’ ନାମରେ ସେ ‘ସିଲ୍‌ସିଲା’, ‘ଲମ୍‌ହେ’, ‘ଚାନ୍ଦିନୀ’ ଓ ‘ଡର୍’ ପରି ବହୁ ଲୋକପ୍ରିୟ ଚଳଚ୍ଚିତ୍ରରେ ଚମତ୍କାର ସଂଗୀତ ପ୍ରସ୍ତୁତ କରି ଶ୍ରୋତାଙ୍କୁ ଭେଟି ଦେଇଛନ୍ତି। ସେ ଜୀବିତ ରହିଥିଲେ ଆସନ୍ତା ୧୫ ତାରିଖରେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ସହ ମିଶି ଭୋପାଳର ଏକ ଲାଇଭ୍‌ କନ୍‌ସର୍ଟରେ ଦର୍ଶକଙ୍କୁ ଯୁଗଳବନ୍ଦୀ ଭେଟି ଦେଇଥାନ୍ତେ।
ପଣ୍ଡିତ ଶର୍ମାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ଶୋକ ପ୍ରକ‌ାଶ କରିଛନ୍ତି।

nis-ad
Leave A Reply

Your email address will not be published.