ପାରା ମିଲିଟାରୀ ଫୋର୍ସର ୧୦୭ଟି କ୍ୟାଂଟିନ୍‌ରେ ଖଦି ଉତ୍ପାଦର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କର ସ୍ୱଦେଶୀ ଅଭିଯାନକୁ ଅଖିଳ ଭାରତୀୟ ସ୍ତରରେ ବ୍ୟାପକ କରିବା ନିମନ୍ତେ ପାରା ମିଲିଟାରୀ କ୍ୟାଂଟିନଗୁଡିକରେ ହସ୍ତ ନିର୍ମିତ ଖଦି ଉତ୍ପାଦଗୁଡିକର ବିକ୍ରି ଆରମ୍ଭ କରାଯାଇଛି। ଗୃହ ବ୍ୟାପାର ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ସୋମବାର ୧୦୭ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ (ସିଏପିଏଫ୍‌) କ୍ୟାଂଟିନଗୁଡିକରେ ଖଦି ଉତ୍ପାଦଗୁଡିକର ବିକ୍ରିର ଶୁଭାରମ୍ଭ କରି ଦେଶରେ ସମସ୍ତ ପାରା ମିଲିଟାରୀ କ୍ୟାଂଟିନରେ ଖୁବ୍ ଶୀଘ୍ର ଖଦି ଉତ୍ପାଦଗୁଡିକର ବିକ୍ରି ଆରମ୍ଭ ହେବ ବୋଲି କହିଛନ୍ତି।
“ଗାନ୍ଧିଜୀଙ୍କ ନିମନ୍ତେ ଖଦି ସ୍ୱଦେଶୀର ପ୍ରତୀକ ଥିଲା ଏବଂ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ନିମନ୍ତେ ଏକ ସାଧନ ମଧ୍ୟ। ଖଦି ନିଜେ ହିଁ ଶୁଦ୍ଧତାର ଗ୍ୟାରେଂଟି ଦେଇଥାଏ। ମୁଁ ବହୁତ ଖୁସି ଯେ, ୧୦୭ ପାରା ମିଲିଟାରୀ କ୍ୟାଂଟିନ୍‌ରେ ଖଦି ଉତ୍ପାଦଗୁଡିକର ବିକ୍ରି ଆରମ୍ଭ ହୋଇଯାଇଛି ଏବଂ ବହୁତ ଶୀଘ୍ର ଏହାକୁ ସାରା ଦେଶରେ ସମସ୍ତ ପାରା ମିଲିଟାରୀ କ୍ୟାଂଟିନରେ ଉପଲବ୍ଧ କରାଯିବ” ବୋଲି ଆସାମର ତାମୁଲପୁରରେ ବିଏସ୍‌ଏଫ୍‌ର କେନ୍ଦ୍ରୀୟ କାର୍ଯ୍ୟଶାଳା ଏବଂ ଷ୍ଟୋର୍‌ର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ଅବସରରେ ଗୃହମନ୍ତ୍ରୀ କହିଛନ୍ତି।
ଶ୍ରୀ ଶାହ ଦେଶରେ ସ୍ଥାୟୀ ଗ୍ରାମୀଣ ରୋଜଗାର ସୃଷ୍ଟି କରିବା ନିମନ୍ତେ କେଭିଆଇସିର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ କେଭିଆଇସିର ପ୍ରମୁଖ ଯୋଜନା ଯଥା ମହୁ ମିଶନ, କୁମ୍ଭାର ସଶକ୍ତୀକରଣ ଯୋଜନା, ଚମଡ଼ା ଓ ବଢ଼େଇ ସଶକ୍ତୀକରଣ ଯୋଜନାଗୁଡିକର ଆସାମର ବୋଡୋଲ୍ୟାଣ୍ଡରେ ସ୍ଥାୟୀ ରୋଜଗାର ସୃଷ୍ଟି କରିବାର କ୍ଷମତା ରହିଛି। ସେ କହିଥିଲେ ଯେ, “ଯଦି କେଭିଆଇସି ଲୋକ ମାନଙ୍କୁ ନିଜର ସ୍ୱରୋଜଗାର କାର୍ଯ୍ୟକଳାପ ସହିତ ଜୋଡିବା ଆରମ୍ଭ କରିଦିଏ, ଏହା ନିଶ୍ଚିତରୂପରେ ବୋଡୋଲ୍ୟାଣ୍ଡରେ ବେରୋଜଗାରୀ ସମସ୍ୟାକୁ ଶେଷ କରିଦେବ ଏବଂ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଦେଇଥିବା ବୋଡୋ ଯୁବକମାନଙ୍କୁ ରାଷ୍ଟ୍ରର ବିକାଶ ସହିତ ପୁଣି ଥରେ ଯୋଡି ଦେବ।” ଗୃହମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେଭିଆଇସି ୨୦୨୧-୨୨ରେ ୧.୧୫ ଲକ୍ଷ କୋଟି ଟଙ୍କାର ଐତିହାସିକ ବ୍ୟବସାୟ କରିଛି, ଯେଉଁଥିରେ ପ୍ରାୟ ୨୫୦ ପ୍ରତିଶତ ଅତ୍ୟଧିକ ଅଭିବୃଦ୍ଧି ହୋଇଛି।
ଏହା ପୂର୍ବରୁ ସ୍ୱଦେଶୀ ଧାରାକୁ ଆଗକୁ ବଢ଼େଇବା ନିମନ୍ତେ ଗୃହମନ୍ତ୍ରୀ ସମସ୍ତ ସିଏପିଏଫ୍ କ୍ୟାଂଟିନରେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ମାଧ୍ୟମରେ ଅଧିକରୁ ଅଧିକ ସ୍ୱଦେଶୀ ଉତ୍ପାଦ ବିକ୍ରିକୁ ବାଧ୍ୟତାମୂଳକ କରିଛନ୍ତି। ଆରମ୍ଭରେ ଜାତୀୟ ପତାକା, ସୂତା ତିଆରି ତଉଳିଆ, ମହୁ, ଘଣା ସୋରିଷ ତେଲ, ଧୂପକାଠି, ଦଲିଆ, ପାମ୍ପଡ, ଆଚାର, ଅଁଳା ଉତ୍ପାଦ ଇତ୍ୟାଦି ସହିତ ୩୨ ପ୍ରକାର ଉତ୍ପାଦର ଯୋଗାଣ ଦିଲ୍ଲୀ ଏନ୍‌ସିଆର୍‌, ପଞ୍ଜାବ, ହରିୟାନା, ଗୁଜରାଟ, ଉତ୍ତର ପ୍ରଦେଶ, ଆସାମ ଏବଂ ଅନ୍ୟ ରାଜ୍ୟଗୁଡିକରେ ରହିଥିବା କ୍ୟାଂଟିନରେ ଉପଲବ୍ଧ କରାଯିବ।
ସୋରିଷ ତେଲ, କପାରେ ତିଆରି ଦରି, ଉଲ୍‌ରେ ପ୍ରସ୍ତୁତ କମ୍ବଳର ଯୋଗାଣ ନିମନ୍ତେ ପାରାମିଲିଟାରୀ ବଳ ସହିତ କେଭିଆଇସିର ଐତିହାସିକ ବୁଝାମଣା ପରେ ଏହାର ବିକାଶ ହୋଇଥିଲା। ଏବେ ପର୍ଯ୍ୟନ୍ତ କେଭିଆଇସି ବିଭିନ୍ନ ପାରା ମିଲିଟାରୀ ବଳକୁ ପ୍ରାୟ ୧୭ କୋଟି ଟଙ୍କାର ଉତ୍ପାଦ ସଫଳତାର ସହିତ ଯୋଗାଣ କରିଛି। ଏହା ମଧ୍ୟରେ ୫.୫୦ କୋଟି ଟଙ୍କାର ୩ ଲକ୍ଷ ଲିଟର ଘଣା ସୋରିଷ ତେଲ, ୧୧ କୋଟି ଟଙ୍କା ମୂଲ୍ୟର ୨.୧୦ ଲକ୍ଷ କପା ଦରି, ୪୦ ଲକ୍ଷ ଟଙ୍କା ମୂଲ୍ୟର ଉଲ୍ ତିଆରି କମ୍ବଳ ସାମିଲ ଅଛି। ପାରା ମିଲିଟାରୀ କ୍ୟାଂଟିନଗୁଡିକ ଖଦି ଉତ୍ପାଦ ବିକ୍ରି କରିବା ନିମନ୍ତେ ଏକ ବଡ ପ୍ଲାଟ୍‌ଫର୍ମ (ମଂଚ) ପ୍ରଦାନ କରିବେ ଏବଂ ଏହାର ସିଧାସଳଖ ପ୍ରଭାବ କେଭିଆଇସିର ଉତ୍ପାଦନ ଏବଂ ବିକ୍ରି ଉପରେ ପଡିବ।
ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେଭିଆଇସିର ଅଧ୍ୟକ୍ଷ ବିନୟ କୁମାର ସାକ୍‌ସେନା, ଗୃହ ସଚିବ ଅଜୟ କୁମାର ଭଲ୍ଲା ଏବଂ ବିଏସ୍‌ଏଫ୍ ଏବଂ ସିଆର୍‌ପିଏଫ୍‌‌ର ମହାନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.