ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ନିର୍ମାଣ କାର୍ଯ୍ୟ

ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ରଥ ଖଳାରେ ମହାରଣା, ଭୋଇ ସେବକଙ୍କ ସହ ଅନ୍ୟ ସେବକମାନେ କାର୍ଯ୍ୟରେ ଲାଗିପଡିଛନ୍ତି । ତିନି ରଥ ଚକରେ ଲାଗିବାକୁ ଥିବା ତୁମ୍ବ ନିର୍ମାଣ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ମୋଟ 42ଟି ତୁମ୍ବରୁ 30ଟି ତୁମ୍ବର କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଅନ୍ୟ 12ଟି ତୁମ୍ବକୁ କରତି ସେବକମାନେ କାଟି ମହାରଣାଙ୍କୁ ଯୋଗାଇ ଦେବା କାର୍ଯ୍ୟରେ ଲାଗିପଡିଛନ୍ତି । ଆଜି ରଥ ଖଳାରେ ତୁମ୍ବ ଗୁଡିକରେ ସୂତା ବାଡ଼ିଆ କାର୍ଯ୍ୟ ଚାଲିଛି । ଏହି ସୂତା ବାଡ଼ିଆ କାର୍ଯ୍ୟ ସରିବା ପରେ ବିନ୍ଧ ଅନୁକୂଳ ହେବ । ପରେ ଚକର ଅନ୍ୟ କାର୍ଯ୍ୟ ଆରମ୍ଭ ହେବ । ଆସନ୍ତା ନୃସିଂହ ଚତୁର୍ଦ୍ଦଶୀରେ ରୂପକାର ସେବକ ମାନେ ଖୋଦେଇ କାର୍ଯ୍ୟ ଆରମ୍ଭ କରିବେ ।

ସେହିପରି ଭଉଁରୀ ତିଥିରେ ତିନି ରଥର ଦୁଇଟି ଚକ ଓ ଅଖ ସଂଯୋଗ ହେବାର ବିଧି ରହିଛି । ଏଣୁ ସମୟ କ୍ରମେ କିଭଳି କାର୍ଯ୍ୟ ସୁରୁଖୁରୁରେ ହୋଇ ପାରିବ ସେ ନେଇ ରଥ ନିର୍ମାଣରେ ସମ୍ପୃକ୍ତ ସେବକ କାର୍ଯ୍ୟରେ ଲାଗିପଡିଛନ୍ତି । ସେପଟେ ରଥ ଖଳାରେ କିଭଳି କାର୍ଯ୍ୟ ଶୃଙ୍ଖଳାରେ ହୋଇ ପାରିବ ସେନେଇ ରଥ ଖଳା ନିୟମିତ ପରିଦର୍ଶନ କରୁଛନ୍ତି ଶ୍ରୀମନ୍ଦିର ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ରଥ ନିର୍ମାଣରେ ସମ୍ପୃକ୍ତ ସେବକ ମାନେ କିଭଳି କୌଣସି ଅସୁବିଧା ଭୋଗିବେ ନାହିଁ । ସେଥିପାଇଁ ଅବଶ୍ୟକ ବ୍ୟବସ୍ଥା ହୋଇଛି । ପାନୀୟ ଜଳ , ସ୍ବାସ୍ଥ୍ୟ କ୍ୟାମ୍ପର ବ୍ୟବସ୍ଥା ହୋଇଛି ।ସେହିପରି ସେବକଙ୍କ ସକାଳ ଜଳଖିଆ , ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ।

ସେପଟେ ଚଳିତ ବର୍ଷ ରଥଯାତ୍ରାକୁ ଐତିହ୍ୟ ତାଲିକା ସ୍ଥାନ ଦେବା ପାଇଁ ୟୁନେସ୍କୋକୁ ଆବେଦନ କରାଯିବ । ସେ ନେଇ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚାଲିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି । ରଥଯାତ୍ରା ବହୁ ପୁରାତନ ପର୍ବ । ବିଶ୍ବର କୋଣ ଅନୁକୋଣରୁ ଅନେକ ଭକ୍ତ ସାମିଲ ହେଉଥିବାରୁ ଏହାକୁ ବିଶ୍ବ ଐତିହ୍ୟ ତାଲିକାରେ ରଖିବା ପାଇଁ ୟୁନେସ୍କୋକୁ ସମସ୍ତ ତଥ୍ୟ ଦିଆଯିବ । ୟୁନେସ୍କୋର ପ୍ରତିନିଧି ପୁରୀ ଆସିବେ । ତାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସମସ୍ତ ତଥ୍ୟ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ତରଫରୁ ଯୋଗେଇ ଦିଆଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ।

nis-ad
Leave A Reply

Your email address will not be published.