ସ୍ୱାଭିମାନ ଅଞ୍ଚଳରେ ବ୍ଲକସ୍ତରୀୟ କୃଷିମେଳା ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ


ଚିତ୍ରକୋଣ୍ଡା (୦୭/୦୫) : ମାଲକାନଗିରି ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପ୍ରଥମ ଥର ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ ସ୍ୱାଭିମାନ ଅଞ୍ଚଳର ସ୍ୱାଭିମାନୀ ଚାଷୀଙ୍କ ପାରମ୍ପରିକ ଚାଷ ତଥା କୃଷି ସାମଗ୍ରୀକୁ ନେଇ ବ୍ଲକ ସ୍ତରୀୟ କୃଷକ ମେଳା ଓ ପ୍ରଦର୍ଶନୀର ଆୟୋଜନ କରାଯାଇଥିବା ବେଳେ ଆଜି ସ୍ୱାଭିମାନ ଅଞ୍ଚଳ ବଡପଡ଼ା କାର୍ଯ୍ୟାଳୟ ଠାରେ ସ୍ୱାଭିମାନ ଅଞ୍ଚଳ ନଅ ଗୋଟି ପଞ୍ଚାୟତ ର ବହୁ ଚାଷୀ, ପଞ୍ଚାୟତ ପ୍ରତିନଧି, ବିଭିନ୍ନ ବିଭାଗୀୟ ଅଧିକାରୀ ନେଇ ଏବଂ ବିଭିନ୍ନ ବିଭାଗ ତଥା ଅନୁଷ୍ଠାନ ଦ୍ଵାରା ଦଶ ଗୋଟି ପ୍ରଦର୍ଶନ କୃଷକ ଷ୍ଟଲକୁ ନେଇ ଉକ୍ତ କାର୍ଯ୍ୟକ୍ରମ କରାଯାଇ ବ୍ଲକ ସ୍ତରୀୟ କୃଷିମେଳା ଓ ପ୍ରଦର୍ଶନୀ ଉଦଘାଟନ କରାଯାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ପୂର୍ବର ବିଛିନ୍ନାଞ୍ଚଳ ତଥା ବର୍ତ୍ତମାନ ର ବିଛିନ୍ନାଞ୍ଚଳର ନଅ ଗୋଟି ପଞ୍ଚାୟତ ଯଥା ବଡ଼ପଡ଼ା,ପାପରମେଟେଲା,ରାଲେଗାଡ଼ା, ଧୂଳିପୁଟ, ଯୋଡ଼ାମ୍ବ, ପଣଷପୁଟ, ଅଣ୍ଡିରାପାଲି, ଗାଜୁଲୁମାମୁଡି ଓ ଯନ୍ତ୍ରୀ ପଞ୍ଚାୟତକୁ ନେଇ ନାମିତ ହୋଇଥିବା ସ୍ୱାଭିମାନ ଅଞ୍ଚଳର ପାରମ୍ପରିକ ଚାଷକୁ ନେଇ କୃଷକ ମେଳା ତଥା ପ୍ରଦର୍ଶନୀ କରାଯାଇଛି l ଉକ୍ତ କୃଷକ ମେଳାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡାକ୍ତର ଆର.ହୟଗ୍ରୀବ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲ ଯୋଗ ଦେବା ସହିତ ସମ୍ମାନିତ ଅତିଥି ଭାବେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱର ଖିଲ, ବଡ଼ପଡ଼ା ସରପଞ୍ଚ ମିଲୁ ଖିଲ ଓ ସମିତି ସଭ୍ୟ ଚକ୍ର ଖିଲ ଏବଂ ସ୍ଥାନୀୟ ଚିତ୍ରକୋଣ୍ଡା ଶିଶୁ ଓ ମହିଳା କଲ୍ୟାଣ ସମିତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ପଣ୍ଡା ଯୋଗଦେଇ ସ୍ୱାଭିମାନ ଅଞ୍ଚଳରେ ହେଉଥିବା ବ୍ଲକ ସ୍ତରୀୟ କୃଷକ ମେଳା କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରି ରିବନ ଫିତା କାଟିବା ସହିତ କରାଯାଇଥିବା ବିଭିନ୍ନ କୃଷି ସାମଗ୍ରୀର ଷ୍ଟଲ ପରିଦର୍ଶନ କରି ବୁଲି ଦେଖିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗ ତଥା ଅନୁଷ୍ଠାନ ତରଫରୁ ଦଶଗୋଟି କୃଷି ପ୍ରଦର୍ଶନୀ ଷ୍ଟଲ ପଡିଥିଲା ଯଥା -ଗୁରୁପ୍ରିୟା ଫାର୍ମରସ ପ୍ରଡୁସର କମ୍ପାନୀ,କୃଷି ବିଭାଗ,ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ, ମତ୍ସ୍ୟ ବିଭାଗ, ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଉଦ୍ୟାନ କୃଷି ବିଭାଗ, ଓଡିଶା ଜୀବିକା ମିଶନ, ଓଡିଶା ମିଲେଟ ମିଶନ, ସମନ୍ଵିତ କୃଷି ପ୍ରକଳ୍ପ ଓ ଓ.ଟି.ଇ.ଏଲ.ପି. ଓ କନକ ବାୟୋସାଇନ୍ସ ଏଣ୍ଡ ରିସର୍ଚ୍ଚ ପ୍ରାଇଭେଟ ଲିମିଟେଡ଼ ତରଫରୁ ବିଭିନ୍ନ କିଶମ ତଥା ପ୍ରକାରର କ୍ଷୁଦ୍ର ଶସ୍ୟ ଧାନ, ମାଣ୍ଡିଆ, ଶୁଆଁ, କାଙ୍ଗୁ, ବାଜରା,କାନ୍ଦୁଲ ବହୁ ସାମଗ୍ରୀ ତଥା ହଳଦୀ ଓ ମାଣ୍ଡିଆ ଦ୍ଵାରା ବିଭିନ୍ନ ଖାଦ୍ୟ ପଦାର୍ଥ, ବିଭିନ୍ନ ପରିବା ତଥା ଅନ୍ୟାନ୍ୟ ଚାଷ ର ପ୍ରଦର୍ଶନୀ ତଥା ଜୈବିକ ସାର ର ପ୍ରଦର୍ଶନୀ ଷ୍ଟଲ କରାଯାଇଥିଲା l ଦଶ ଗୋଟି ଷ୍ଟଲ ମଧ୍ୟରୁ ଗୁରୁପ୍ରିୟା ଫାର୍ମରସ ପ୍ରଡୁସର କମ୍ପାନୀ ଷ୍ଟଲକୁ ଆଜିର ବେଷ୍ଟ କୃଷକ ପ୍ରଦର୍ଶନୀ ଷ୍ଟଲ ଭାବରେ ମନୋନୀତ କରାଯାଇ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ସାମ୍ପ୍ରତିକ ସମାଜ ସର୍ବୋପରି ବର୍ତ୍ତମାନର ପରିପ୍ରେକ୍ଷୀରେ ଆଦିବାସୀ ମାନଙ୍କ ଦ୍ଵାରା ପାରମ୍ପରିକ କ୍ଷୁଦ୍ର ଚାଷର ପୁନରୁଦ୍ଧାର ଏବଂ ଭୁଲି ଯାଇଥିବା ବାପା ଜେଜେ ବାପା ଅମଳରୁ ପ୍ରାକୃତିକ ଉପାୟରେ କରୁଥିବା ଜୈବିକ ଚାଷକୁ ପୁଣି ନିଶ୍ଚିତ ଭାବରେ ଆପେଣେଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା l ସ୍ୱାଭିମାନ ଅଞ୍ଚଳର ମାଣ୍ଡିଆ, ଶୁଆଁ, ହଳଦୀ ଚାଷ ଭଲ ନାଁ କରିଛି ତାକୁ ଆଗେଇ ନେବା ସହିତ ଅନ୍ୟ ସମସ୍ତ ଚାଷକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଚିତ୍ରକୋଣ୍ଡା ବ୍ଲକ କୃଷି ଅଧିକାରୀ ପରମେଶ୍ୱର ଜେନା ଓ ବଡ଼ପଡ଼ା ପଞ୍ଚାୟତ ପି.ଇ.ଓ. ସଞ୍ଜିତ କୁମାର ଦାସ ପରିଚାଳନା କରିଥିଲେ l ଆଜି ପ୍ରଥମ ଥର ସ୍ୱାଭିମାନ ଅଞ୍ଚଳରେ ଚାଷୀ ନିମନ୍ତେ କୃଷି ମେଳାର ଆୟୋଜନ କରାଯାଇଥିବାରୁ ଜିଲ୍ଲା ପ୍ରଶାସନ ତଥା ସରକାର ସ୍ୱାଭିମାନ ଅଞ୍ଚଳର କୃଷକ ମାନେ ଧନ୍ୟବାଦ ଜଣାଇଛନ୍ତି l

nis-ad
Leave A Reply

Your email address will not be published.