ଗଞ୍ଜାମ ଜିଲ୍ଲାପରିଷଦ ବୈଠକରେ ବିଧାୟିକା ଲତିକା ପ୍ରଧାନଙ୍କ ଉଦବେଗ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ନୂତନ ଭାବେ ଗଠିତ ନବନିର୍ବାଚିତ ଜିଲ୍ଲାପରିଷଦ ବର୍ଗଙ୍କ ଦ୍ଵାରା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଦ୍ଭାବ ଅସୁବିଧା ସମ୍ପର୍କରେ ପ୍ରଶାସନ କୁ ଦୃଷ୍ଟି କୁ ଅଣାଯାଇଥିଲା । ଏଦିଗରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ଅଟକି ରହିଯାଇଥିବା ନେଇ ବିଧାୟିକା ଲତିକା ପ୍ରଧାନ ଗୃହରେ ଉଦବେଗ ପ୍ରକାଶ କରିବା ସ୍ୱରୁପ ଗୁରୁତ୍ତ୍ୱାରୋପ କରିଥିଲେ । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ନିଜ ନିର୍ବାଚନ ମଣ୍ଡଳୀର ବିବିଧ ସମସ୍ୟା ଉପରେ ଦୃଷ୍ଟିଆରୋପ କରିଥିଲେ । ମୁଖ୍ୟତଃ ବରିଷ୍ଠ ନେତ୍ତୃବର୍ଗଙ୍କ ମଧ୍ୟରେ ୨୦ନମ୍ବର ଜୋନ୍ ସଦସ୍ୟ ଏମ୍.ଧନଞ୍ଜୟ ରେଡ୍ଡୀ ଋଷିକୂଲ୍ୟା ଜଳସେଚନର ଉନ୍ନୟନ ଦିଗରେ ଆଲୋଚନାର ଦୃଷ୍ଟିକୁ ଆଣିଥିଲେ ।


ପ୍ରକାଶ ଥାଉକି, ଗଞ୍ଜାମଜିଲ୍ଲାପରିଷଦ ର ନୂତନ କମିଟୀ ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପରିଷଦ ର ପ୍ରଥମ ସଭାରେ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଦ୍ୱିତୀୟ ଥର ବସିଥିବା ସଭାରେ ଉପାଧ୍ୟକ୍ଷା ପଦବୀରେ ଏସ୍.ରାଜେଶ୍ୱରୀ ଦୋରା ସେହିଭଳି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇ ଗଞ୍ଜାମ ର ଗାରିମା ରକ୍ଷା କରିଥିଲେ । ତେବେ ଆନୁଷ୍ଠାନିକ ଭାବେ ଏହା ତୃତୀୟ ଜିଲ୍ଲାପରିଷଦ ଭାବେଗଣନା କରାଯାଉଥିବା ବେଳେ ଉନ୍ନୟନ ଦିଗରେ ସାମୂହିକ ଆଲୋଚନା ନିମନ୍ତେ ପ୍ରଥମ କରି ବୁଧବାର ଛତ୍ରପୁର ଠାରେ ଋଷିକୂଲ୍ୟା ସମ୍ମିଳନୀ ଗୃହ ତଥା ଜିଲ୍ଲାପରିଷଦ ଭବନରେ ବୈଠକ ସଂଗଠିତ ହୋଇଛି । ନୂତନ ଭାବେ ବସିଥିବା ଜିଲ୍ଲାପରିଷଦ ବୈଠକରେ କୃଷି,ଉଦ୍ୟାନ, ମୃତ୍ତିକାସଂରକ୍ଷଣ ବିଭାଗ, ଜଳସେଚନ, ମତ୍ସ୍ୟଚାଷ, ପଶୁପାଳନ, ବନବିଭାଗ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ପରିମଳ, ନିର୍ମାଣ, ପୂର୍ତ୍ତବିଭାଗ ଆଦି ସମସ୍ତ ବିଷୟରେ ସମ୍ୟକ ଭାବେ ସମୀକ୍ଷା କରି ଆଲୋଚନା ହୋଇଥିଲା । ଗଞ୍ଜାମ ଜିଲ୍ଲାର ବିଧାୟକ, ବିଧାୟିକା, ସମସ୍ତ ବ୍ଳକ୍ ଅଧ୍ୟକ୍ଷ,ଜିଲ୍ଲାପରିଷଦ ଜୋନ ସଦସ୍ୟ,ସଦସ୍ୟା ପ୍ରମୁଖ ଯୋଗଦେଇ ନିଜ ନିଜ ଅଞ୍ଚଳର ଅଦ୍ଭାବ ଓ ଅସୁବିଧା ସମ୍ପର୍କରେ ଜିଲ୍ଲାପ୍ରଶାସନ ମାଧ୍ୟମରେ ରାଜ୍ୟସରକାର ଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଶେଷକରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଜଳସେଚନ, କୃଷି ଓ ଉଦ୍ୟାନ, ମୃତ୍ତିକାସଂରକ୍ଷଣ ବିଭାଗ ଉପରେ ଜୋର ସୋର ଯୁକ୍ତି ଉପସ୍ଥାପନା ହୋଇଥିଲା । କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ବିଭିନ୍ନ ବିଷୟରେ ଦୃଢ଼ତାର ସହ ଗୁରୁତ୍ତ୍ୱାରୋପ କରିବାରେ ସେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ । ସରକାରଙ୍କ ଅନୁଦାନ ର ପରିମାଣର କେତେ ଉନ୍ନତର ଭାବେ ଖର୍ଚ୍ଚ କରାଯାଇଛି । ଉନ୍ନୟନ ଦିଗରେ ବିଭାଗୀୟ ଅଧିକାରୀମାନେ କିଭଳି ପଦକ୍ଷେପ ଓ ତଦାରଖ କରିଛନ୍ତି ସେ ଦିଗରେ ଲତିକା ଜିଲ୍ଲାପାଳ ଙ୍କୁ ଦୃଷ୍ଟିକୁ ଆଣିଥିଲେ । ଗୃହରେ ତାହାର ତର୍ଜମା କରିଥିଲେ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଥିରେ ପୋୖରହିତ୍ୟ କରି ସମାଧାନ ଦିଗରେ ପ୍ରମୁଖ ଭୂମିକାଗ୍ରହଣ କରି ଗୃହରେ ବିହିତ କାର୍ଯ୍ୟାନୁଷ୍ଠାନ ଦିଗରେ ସହମତି ନେଇଥିଲେ । ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ଜିଲ୍ଲା ର ବିଭିନ୍ନ ନୂତନ ପ୍ରକଳ୍ପର ରିପୋର୍ଟ ଉପସ୍ଥାପନା କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପୋଖରୀ ଗୁଡିକର ପୁନଃରୁଦ୍ଧାର କରାଯିବା, ଆଦର୍ଶଗ୍ରାମ ପରିକଳ୍ପନା, ଆଦର୍ଶ ପୁଷ୍କରିଣୀ ନିର୍ମାଣ ଓ ତା’ର ପରିସରରେ ସୌନ୍ଦର୍ଯ୍ୟକରଣ କରିବା, ଗ୍ରାମରେ ରହିଥିବା ମନ୍ଦିର ପରିସରରେ ବିଭିନ୍ନ ମୂଲ୍ୟବାନ ଗଛ ଲଗାଯିବା, ବିଭିନ୍ନ ଫଳ ଓ ଫୁଲ ଗଛ ଲଗାଇ ଏସ୍.ଏଚ.ଜି.ମହିଳାଙ୍କୁ
ନିୟୋଜିତ କରିବା ଓ ତାଙ୍କୁ ତଦାରଖ କରିବାର ସୁଯୋଗ ଦେବା ଉପରେ ଗୁରୁତ୍ତ୍ୱାରୋପ କରିଥିଲେ । ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ପରିବେଶ ବିକ୍ରମ କେଶରୀ ଆରୁଖ ଯୋଗଦେଇ ଭଞ୍ଜନଗର, ଜଗନ୍ନାଥପ୍ରସାଦ ବ୍ଳକ୍ ର ଉନ୍ନୟନ ଦିଗରେ ଆଲୋଚନା କରି କନ୍ଧମାଳ ସୀମାନ୍ତରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ଯୋଜନା ବୋର୍ଡ଼ ର ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ଉପାଧ୍ୟକ୍ଷା ଏସ୍.ରାଜେଶ୍ୱରୀ ଦୋରା ମଞ୍ଚାସୀନ ହୋଇ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଅଂଶଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.