ଆଜିଠୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା: ସନ୍ଧ୍ୟା ସାଢେ ୫ଟାରେ ଚାପ ଖେଳିବେ ମହାପ୍ରଭୁ

ଭୁବନେଶ୍ୱର : ଆଜିଠୁ ୨୨ ଦିନ ଧରି ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ବିନ୍ଦୁସାଗର ସରୋବରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହିତ ବାସୁଦେବ, ଦୁର୍ଗା ଓ ମା’ପାର୍ବତୀ ନୌକା ବିହାର କରିବେ । କିନ୍ତୁ ଏଥର ମଧ୍ୟ ଶ୍ରୀକପିଳେଶ୍ୱର ଏହି ଜଳ କ୍ରୀଡାରେ ସାମିଲ ହେବେ ନାହିଁ ।

ଯାତ୍ରା ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି । ମହାରଣା ସେବାୟତଙ୍କ ଦ୍ୱାରା ନୌବିହାରରେ ବ୍ୟବହୃତ ହେବାକୁ ଥିବା ଦୁଇଟି ଯାକ ଡଙ୍ଗାର ନିର୍ମାଣ କାମ ଶେଷ ହୋଇଛି ।

ସକାଳେ ଦିଅଁଙ୍କର ଖଟୁଲି ସ୍ଥାପନ କରାଯିବା ପରେ ଡଙ୍ଗା ପୂଜା ହେବ । ଦିନ ୧୨ଟାରେ ମନ୍ଦିରରେ ସାହାଣମେଲା ଦର୍ଶନ ବନ୍ଦ କରାଯିବ । ଏହା ପରେ ଠାକୁରଙ୍କ ଦୈନିକ ନୀତି ସହିତ ଚନ୍ଦନ ଯାତ୍ରା ନିମନ୍ତେ ବୈଦିକ ପ୍ରସ୍ତୁତି କରାଯିବ । ସନ୍ଧ୍ୟା ସାଢେ ୫ଟାରେ ମହାପ୍ରଭୁ ବିନ୍ଦୁସାଗର ଅଭିମୁଖେ ଯାତ୍ରା କରିବେ ।

ଚନ୍ଦନ ଯାତ୍ରା ପାଇଁ ସୋମବାର ସନ୍ଧ୍ୟା ୫ଟା ବେଳେ ବିନ୍ଦୁସାଗରଠାରେ ପ୍ରାକ୍‌ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ସେ ବିନ୍ଦୁସାଗର ଚତୁଃପାଶ୍ୱର୍ ଅପରିଷ୍କାର, ନର୍ଦ୍ଦମା କାମ ଓ ପୁଷ୍କରଣୀରୁ ଦଳ ସଫା ହୋଇନଥିବା କାରଣରୁ ଅସନ୍ତୋଷ ପ୍ରକାଶ କରିଥିଲେ । ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ବିନ୍ଦୁସାଗର ଚାରି ପଟର ସଫେଇ କାମ ଶେଷ କରିବାକୁ ନିୟୋଜିତ ଠିକା ସଂସ୍ଥାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ବିନ୍ଦୁସାଗର କିପରି ସବୁବେଳେ ପରିଷ୍କାର ରହିବ ସେ ନେଇ କିଛି ସ୍ଥାୟୀ ପ୍ରତିକାର ପାଇଁ ମଧ୍ୟ ପ୍ରସ୍ତାବ ରଖିଛନ୍ତି ।

ସେହିପରି ଯାତ୍ରା ସମୟରେ ଅସାମାଜିକ ଲୋକଙ୍କ ଅନୁପ୍ରବେଶ ରୋକିବା ଲାଗି ପୁଲିସ କମିଶନରଙ୍କ ସହ ଆଲୋଚନା କରିଥିଲେ । ସମୀକ୍ଷା ବୈଠକରେ କର୍ପୋରେଟର ଶିବ ପ୍ରସାଦ ବେହେରା, ବିରଞ୍ଚି ନାରାୟଣ ମହାସୁପକାର, ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି, ମନ୍ଦିର କର୍ମଚାରୀ ହେମନ୍ତ ମହାପାତ୍ର, ନଗର ଯନ୍ତ୍ରୀ ଅରୁଣ କୁମାର ନାୟକ, ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ମିଶ୍ର ଓ ସହକାରୀ ଯନ୍ତ୍ରୀ ସୁରତ କୁମାର ସାହୁ, ପିଏମ୍‌ଆର କନ୍‌ସୋରଟିୟମର ପବିତ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟପଟେ ରବିବାର ଶ୍ରୀକପିଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗାଁ ମୁରବୀମାନଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା । ଏଥିରେ ପରମ୍ପରା ବଜାୟ ରଖିବା ଅର୍ଥାତ୍‌ ଚନ୍ଦନ ଯାତ୍ରାରେ ଶ୍ରୀକପିଳେଶ୍ୱର ଶ୍ରୀଲିଙ୍ଗରାଜଙ୍କ ସହ ସାମିଲ ହେବା ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରା ଯାଇଥିଲା । ସେହିପରି ଜିଲ୍ଲା ପ୍ରଶାସନ ମଣିକର୍ଣ୍ଣିକା ପୁଷ୍କରିଣୀରେ ହେବାକୁ ଥିବା ଶ୍ରୀକପିଳେଶ୍ୱରଙ୍କ ଚନ୍ଦନ ଯାତ୍ରାକୁ ବନ୍ଦ କରିବାକୁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛି । ଏନେଇ ଡିସିପି ଓ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀଙ୍କୁ ଅବଗତ କରା ଯାଇଛି ।

nis-ad
Leave A Reply

Your email address will not be published.