ସାଓମିର ୫,୫୫୧ କୋଟି ଟଙ୍କା ଜବତ କଲା ଇଡି

ନୂଆଦିଲ୍ଲୀର: ଚାଇନା ଭିତ୍ତିକ ମୋବାଇଲ କମ୍ପାନୀ ସାଓମିର ୫,୫୫୧ କୋଟି ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ବିଦେଶୀ ମୁଦ୍ରା ଏକ୍ସଚେଞ୍ଜ ନିୟମକୁ ଉଲ୍ଲଙ୍ଘନ କରିଥିବାରୁ ଭାରତରେ ପରିଚାଳିତ ହେଉଥିବା ଚାଇନାର ମୋବାଇଲ କମ୍ପାନୀ ସାଓମି ବିରୋଧୀ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀ ବିଦେଶୀ ପାଣ୍ଠି ନିୟମକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆସିବା ପରେ ଇଡି ପକ୍ଷରୁ ଯାଞ୍ଚ କରାଯାଇଥିଲେ। ଫେବୃଆରୀ ମାସରୁ ଆରମ୍ଭ ହୋଇଥିବା ଏହି ଯାଞ୍ଚ ବେଳେ ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିଥିଲା। ଏହି କାରଣରୁ ଆଜି ଇଡି ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ ୧୯୯୯ ଅନୁସାରେ ସାଓମିର ବ୍ୟାଙ୍କ ଆକାଉଣ୍ଟରେ ଥିବା ୫,୫୫୧ .୨୭ କୋଟି ଟଙ୍କା ଜବତ କରିଛି।
ସାଓମି ୨୦୧୪ରୁ ଭାରତରେ କାମ ଆରମ୍ଭ କରିଥିଲା। ୨୦୧୫ରୁ ଏଠାରୁ ଟଙ୍କା ବାହାରକୁ ପଠାଇବା ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା କମ୍ପାନୀ ବେଆଇନ ଭାବେ ବିଦେଶରେ ଥିବା ୩ଟି ସଂସ୍ଥା ନିକଟକୁ ୫,୫୫୧.୨୭ କୋଟି ଟଙ୍କା ମୂଲ୍ୟର ବିଦେଶୀ ଅର୍ଥ ପଠାଇଛି। ଏହା ମଧ୍ୟରେ ସାଓମି ଗ୍ରୁପର ମୂଳ କମ୍ପାନୀ ରହିଛି।
ମୂଳ ଚାଇନିଜ କମ୍ପାନୀ କଥାରେ ଏତେ ପରିମାଣର ଅର୍ଥ ରୟାଲିଟି ଆକାରରେ ବିଦେଶକୁ ପଠା ଯାଇଥିବା ବୋଲି ଇଡି କହିଛି। କମ୍ପାନୀ ରୟାଲିଟି ଆକାରରେ ଅର୍ଥ ପାଇବା ପରେ ଏହାକୁ ଆମେରିକାରେ ଅବସ୍ଥିତ ଦୁଇଟି ସଂସ୍ଥା ପାଖକୁ ପଠାଇଥିଲା। ସାଓମି ଇଣ୍ଡିଆ ମୋବାଇଲ କମ୍ପାନୀ ସହ ଏହାର ସମ୍ପର୍କ ନଥିଲେ ମଧ୍ୟ ଅର୍ଥ ସେଠାକୁ ଯାଇଥିଲା ବୋଲି ଇଡି ଜାଣିବାକୁ ପାଇଛି।
ସାଓମି ଇଣ୍ଡିଆ ସମଗ୍ର ଦେଶରେ ତା’ର ଷ୍ଟୋର ଖୋଲିଛି। କମ୍ପାନୀ ଏମଆଇ ବ୍ରାଣ୍ଡ ନାଁରେ ମୋବାଇଲ ବିକ୍ରି କରିଥାଏ। ଏହା ମୋବାଇଲ ତିଆରି ପାଇଁ ଆବଶ୍ୟକ ସାମଗ୍ରୀ କେବଳ ଭାରତୀୟ କମ୍ପାନୀଙ୍କ ଠାରୁ ହିଁ କିଣିଥାଏ। ତେବେ ଯେଉଁ ୩ଟି ବିଦେଶୀ କମ୍ପାନୀକୁ ଅର୍ଥ ପଠାଯାଇଥିଲା, ସେମାନଙ୍କ ସହ ସାଓମି ଇଣ୍ଡିଆର କୌଣସି ବ୍ୟବସାୟିକ ସମ୍ପର୍କ ନଥିଲା। ଆର୍ଥିକ କାରବାର ପାଇଁ ନକଲି ଦସ୍ତାବିଜ୍‌ ସହ ଅନ୍ୟାନ୍ୟ କାଗଜପତ୍ର ତିଆରି କରାଯାଇଥିଲା ବୋଲି ମଧ୍ୟ ଇଡି କହିଛି।

nis-ad
Leave A Reply

Your email address will not be published.