ଜଟଣୀ ଫ୍ଲାଏଓଭର ବ୍ରିଜ୍‌ ର ନିର୍ମାଣ କାର୍ଯ୍ୟ ତଦାରଖ କଲେ ସାଂସଦ ଅପରାଜିତା

ଜଟଣୀ: ତାରିଖ ପରେ ତାରିଖ ଗଡ଼ିଚାଲିଛି । ଏ ଭିତରେ ୭ ବର୍ଷ ହୋଇଗଲାଣି । ଅଥଚ ଜଟଣୀ ଫ୍ଲାଏଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ସରୁନି । ୧୨ମିଟର ଓସାର ଓ ୧୧୩୩ ମିଟର ଲମ୍ବ ଏହି ବ୍ରିଜ୍‌ କାମ ୨୦୧୫ରୁ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ନିର୍ମାଣସ୍ଥଳ ପରିଦର୍ଶନ କରି କାର୍ଯ୍ୟ ସରିବା ତାରିଖ ଘୋଷଣା କରିଥିଲେ ।

ହେଲେ ସେ ତାରିଖ ଅନେକ ଦିନ ହେଲା ଅତିକ୍ରାନ୍ତ ହୋଇଗଲାଣି, ବ୍ରିଜ କାମ ସରିଲା ନାହିଁ । ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ବ୍ରିଜ ନିର୍ମାଣସ୍ଥଳ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ପୂର୍ବତଟ ରେଳପଥ କନ୍‌ଷ୍ଟ୍ରକ୍‌ସନ ବିଭାଗ ଡେପୁଟି ଚିଫ୍‌ ଇଞ୍ଜିନିୟର ଟିଭି ରାବଣା, ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଯନ୍ତ୍ରୀ ଉପସ୍ଥିତ ଥିଲେ ।

ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ବେଳେ ୫୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ୨୦୧୭ରେ କାର୍ଯ୍ୟ ଶେଷ ହେବାର ଥିଲା । ହେଲେ ବିଭିନ୍ନ କାରଣରୁ କାର୍ଯ୍ୟ ସରିବାରେ ବିଳମ୍ବ ହେବାରୁ ବ୍ୟୟ ଅଟକଳ ବଢ଼ି ବଢ଼ି ୧୦୦ କୋଟି ପାର ହୋଇଗଲାଣି । ସ୍ଥାନୀୟ ଆନ୍ଧ୍ରବ୍ୟାଙ୍କ ଛକରୁ କୁଦିଆରୀ ବଜାର ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଥିଲା । ନିର୍ମାଣସ୍ଥଳ ରାସ୍ତା ପାଶ୍ୱର୍ ଦୋକାନ ଉଚ୍ଛେଦକୁ ବିରୋଧ ଆଦି ଯୋଗୁ କାର୍ଯ୍ୟରେ ବିଳମ୍ବ ହୋଇଥିଲା । ପରେ ରେଲୱେ କରୁଥିବା ଅଂଶରେ ୨୩ ଜଣଙ୍କ ସ୍ଥିତିବାନ ଜମି ଓ ଘର ଉଚ୍ଛେଦକୁ ନେଇ ଏଯାବତ୍‌ ସମସ୍ୟା ରହିଛି । ବିଳମ୍ବ ଯୋଗୁ ରେଲୱେ ଅଂଶ କାର୍ଯ୍ୟ କରୁଥିବା ପ୍ରଥମ ଠିକାସଂସ୍ଥା ଅଧାରୁ କାମ ଛାଡ଼ି ଦେଇଥିଲା । ଫଳରେ ରେଲୱେକୁ ଦ୍ୱିତୀୟଥର ଟେଣ୍ଡର କରିବାକୁ ପଡ଼ିଥିଲା ।

ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିର୍ମାଣସ୍ଥଳ ଦେଖିବା ପରେ କହିଛନ୍ତି ଯେ ଏ ସମ୍ପର୍କରେ ସେ ତିନିଦିନ ତଳେ ଖୋର୍ଦ୍ଧାରୋଡ ଡିଭିଜନ ପ୍ରବନ୍ଧକଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ଅଗଷ୍ଟ ୩୧ ମଧ୍ୟରେ ରେଲୱେର ସମସ୍ତ କାର୍ଯ୍ୟ ସରିବ । ଅକ୍ଟୋବର ୩୧ ମଧ୍ୟରେ ପୂର୍ତ୍ତ ବିଭାଗ ତାର କାର୍ଯ୍ୟ ସାରିବାକୁ କହିଛନ୍ତି । ଏହା ପୂର୍ବରୁ ମେ ୭ ମଧ୍ୟରେ ନିର୍ମାଣାଧୀନ ବ୍ରିଜ ପାଶ୍ୱର୍ ରାସ୍ତା କାର୍ଯ୍ୟ ଶେଷ ହେବ । ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ବ୍ରିଜ ସମ୍ପୂର୍ଣ୍ଣ ହେବ । ଏହି ପରିଦର୍ଶନ ସମୟରେ ସ୍ଥାନୀୟ ବିଜେପି ନେତା ବିଶ୍ୱରଂଜନ ବଡ଼ଜେନା, ପଦ୍ମଚରଣ ପ୍ରଧାନ, ରଶ୍ମିମୟୀ ପଟ୍ଟନାୟକ, କାଉନ୍‌ସିଲର ଅନ୍ନପୂର୍ଣ୍ଣା ସାହୁ ଓ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.