ମଧ୍ୟପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ କମଲନାଥ

ଭୋପାଲ: କଂଗ୍ରେସରେ ଏବେ ଇସ୍ତଫା ଓ ପୁର୍ନଗଠନ ପ୍ରକ୍ରିୟା ଜାରି ରହିଛି। ଏହିକ୍ରମରେ ମଧ୍ୟପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ କଂଗ୍ରେସ ନେତା କମଲନାଥ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରକୁ କଂଗ୍ରେସ ହାଇକମାଣ୍ଡ ଗ୍ରହଣ କରିବା ସହ ଡା ଗୋବିନ୍ଦ ସିଂହଙ୍କୁ ମଧ୍ୟପ୍ରଦେଶ ବିଧାନସଭାର ବିରୋଧୀ ଦଳର ନେତା ଭାବେ ନିଯୁକ୍ତି କରିଛନ୍ତି।
ବରିଷ୍ଠ କଂଗ୍ରେସ ନେତା କେସି ଭେନୁଗୋପଲଙ୍କ ପକ୍ଷରୁ ଗୋଟିଏ ଚିଠି ଆଜି କମଲନାଥଙ୍କ ପାଖକୁ ଆସିଛି। ଏଥିରେ ସେ କହିଛନ୍ତି ଯେ “ଆପଣଙ୍କୁ ସୂଚିତ କରାଯାଉଛି ଯେ ଆପଣ ପଠାଇଥିବା ଇସ୍ତଫାପତ୍ରକୁ କଂଗ୍ରେସ ସଭାପତି ଗ୍ରହଣ କରି ନେଇଛନ୍ତି। ମଧ୍ୟପ୍ରଦେଶ କଂଗ୍ରେସର ବିଧାୟକ ଦଳ ନେତା ଭାବେ ଆପଣଙ୍କ ଅବଦାନକୁ ଆମେ ସମ୍ମାନ ଜଣାଉଛୁ। ଏଥିସହ କଂଗ୍ରେସ ସଭାପତି ପ୍ରସ୍ତାବ ଅନୁସାରେ ଡା ଗୋବିନ୍ଦ ସିଂହଙ୍କୁ ମଧ୍ୟପ୍ରଦେଶ କଂଗ୍ରେସର ବିଧାୟକ ଦଳ ନେତା ଭାବେ ଚୟନ କରିଛନ୍ତି।”
ଗୋବିନ୍ଦ ସିଂହ କଂଗ୍ରେସର ଜଣେ ବରିଷ୍ଠ ନେତା ଓ ସେ ଲାହର ନିର୍ବାଚନ ମଣ୍ଡଳୀରୁ ମଧ୍ୟପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଦଳରେ ତାଙ୍କର ବେଶ ଦବଦବା ଥିବାରୁ ତାଙ୍କୁ ବିଧାନସଭାର ବିରୋଧୀ ଦଳ ନେତା କରାଯାଇଛି।
ସୂଚନାଯୋଗ୍ୟ, ୨୦୨୩ ଡିସେମ୍ବର ମାସରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ତା’ ପୂର୍ବରୁ ହିଁ କଂଗ୍ରେସରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କୁହାଯାଉଛି।

nis-ad
Leave A Reply

Your email address will not be published.