୨ ମଇରେ ଗଞ୍ଜାମ ଜିଲ୍ଲାର ସମସ୍ତ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ବ୍ରହ୍ମପୁର (ତା ୨୭/୦୪) : ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମ।ଣ ଶ୍ରମିକ କଲ୍ୟାଣ ବୋର୍ଡର ସ୍ଵଛତା ପ୍ରତି ପ୍ରଶ୍ନ କରି ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ସହ ଅନୁବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ୍ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଗଞ୍ଜାମ କଳା ପରିଷଦରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରାଜ୍ୟ ସରକାରଙ୍କ ପାଖରେ କେତେକ ପ୍ରଶ୍ନ ଉପସ୍ଥାପନ କରିଛନ୍ତି। ଶ୍ରମିକ ଦିବସ ଠାରୁ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆରମ୍ଭ ହେବ। ମଇ ୨ ତାରିଖରେ ଗଞ୍ଜାମ ଜିଲ୍ଲାର ସମସ୍ତ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦାନ କରାଯିବ। ପଞ୍ଜିକରଣ ଠାରୁ ସହାୟତା ପ୍ରଦାନ ପ୍ରତି କ୍ଷେତ୍ରରେ ଅନିୟମିତତା, ପଞ୍ଜିକରଣ ଓ ସହାୟତା ଆବେଦନ କରି ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଛି, କେତେକ ସହାୟତା ଅଲିଖିତ ଭାବେ ବନ୍ଦ ହୋଇଯାଇଛି। ଶ୍ରମିକ ଶୋଷଣ ନୀତି ଚରମ ସୀମାରେ ପହଞ୍ଚିଛି ଯାହାଦ୍ବାରା ୩୦ ଲକ୍ଷ ଶ୍ରମିକଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରୁଛି। ଦୁନିଆକୁ ନିର୍ମାଣ କରୁଥିବା ଶ୍ରମିକ ଅସହାୟ ଓ ଲାଛିଂତ ହୋଇ ଜୀବନ ଯାପନ କରୁଛି। ଉତ୍କଟ ବେକାରୀ ସୃଷ୍ଟି କରି ଆମ ରାଜ୍ୟର ବିଜେଡି ସରକାର ମଧ୍ୟ ଶ୍ରମିକ ସମାଜକୁ ଦାନ ଓ ଦୟାରେ ବଞ୍ଚେଇ ରଖିବାକୁ ପ୍ରୟାସ କରୁଛି। ସବୁଠାରୁ ଦୁଖ ଓ ତାଜୁବର ବିଷୟ ଶ୍ରମିକର ସ୍ଵାର୍ଥ ରକ୍ଷା କରିବା ପାଇଁ ଯେଉଁ ଶ୍ରମବିଭାଗ ଦାୟିତ୍ୱ ଅଛି ଆଜି ଶାସକ ଦଳର ସଖି କଣ୍ଢେଇ ହୋଇଯାଇଛି।
ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଆମ ରାଜ୍ୟରେ ବହୁ ବିଲମ୍ବରେ ଗଠନ ହୋଇ ଅସଂଗଠିତ ନିର୍ମାଣ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରାଇବା ପ୍ରଚାର ଓ ପ୍ରସାର କରି ରାଜ୍ୟର ନିର୍ମାଣ ଶ୍ରମିକଙ୍କୁ ଧୋକା ଦେଇ ବ୍ୟାପକ ଜାଲିଆତି ଓ ହରିଲୁଟ କରି ଭୁଆଁବୁଲା ନୀତି ଆପଣାଇଛି। ସମସ୍ତ ଅସଂଗଠିତ ଶ୍ରମିକଙ୍କୁ ପଞ୍ଜିକରଣ କରି ସାମାଜିକ ସୁରକ୍ଷା ପ୍ରଦାନ କରିବା ପ୍ରହସନରେ ପରିଣତ ହୋଇଛି। ରାସ୍ତାକଡରେ ଠିଆ ହୋଇ ଶ୍ରମ ବିକ୍ରୀ କରୁଥିବା ନିର୍ମାଣ ଶ୍ରମିକଙ୍କ ସମେତ ସମସ୍ତ ପ୍ରକୃତ ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଆଜି ପର୍ଯ୍ୟନ୍ତ ଶତକଡା ୫୦ ଭାଗରେ ମଧ୍ୟ ପହଞ୍ଚି ନାହିଁ। ନବୀକରଣ ମାତ୍ର ଶତକଡା ୪୦ ଭାଗ ହେଉଅଛି। ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଦେୟ ମାତ୍ର ୨୦ ଟଙ୍କା ଏବଂ ବାର୍ଷିକ ନବୀକରଣ ଦେୟ ମାତ୍ର ୫୦ଟଙ୍କା କେବଳ କାନ୍ଥବାଡ ଓ ଭାଷଣରେ ସୀମିତ ଅଛି। ଭିତିରିଆ କାରବାର କରୁଥିବା ଦଲାଲମାନେ ଲେବର ଅଫିସରେ ମାଳ ମାଳ, ସେମାନଙ୍କ ଦ୍ବାରା ରାତା ରାତି ପଞ୍ଜିକରଣ ହେଉଅଛି। ନବୀକରଣ, ସହାୟତା ଆଦି ସବୁ କ୍ଷେତ୍ରରେ ଏକା ଅବସ୍ଥା। ଏହି ଶୋଷଣ ପାଇଁ ଶ୍ରମ ବିଭାଗ ହିଁ ମୁଖ୍ୟତଃ ଦାୟୀ।
ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ୍ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ନିମ୍ନ ଅଭିଯୋଗମାନ ରଖିଛନ୍ତି |
୧. ଶ୍ରମ ବିଭାଗ ୫ ଟି ଅଧିନରେ ଥିବାବେଳେ କାର୍ଯ୍ୟାଳୟରେ ସମସ୍ତ ଆବେଦନର ପ୍ରାପ୍ତି ସ୍ଵୀକାର (ଏକ୍ନଲେଜମେଣ୍ଟ) ରସିଦ ପ୍ରଦାନ କରାଯାଉ ନାହିଁ। ବୋର୍ଡର ଓ୍ବେବ୍ ସାଇଟ୍ ତାଜା ତଥ୍ୟ ଦେବା ବଦଳରେ ଅକାମୀ ରହୁଛି।
୨. ନିର୍ମାଣ ଶ୍ରମିକଙ୍କ କୋଭିଡ୍ ସହାୟତା ୧୫୦୦ ଟଙ୍କା ଆଜି ପର୍ଯ୍ୟନ୍ତ ମିଳି ପାରିଲା ନାହିଁ।
୩. ଦୁର୍ଘଟଣା ଓ ଦୂରାରୋଗ୍ୟ ଚିକିତ୍ସା ସହାୟତା ପ୍ରଦାନ କରିବାକୁ ୨୦୧୩ ମସିହାରୁ ନିଷ୍ପତ୍ତି ଓ ଘୋଷଣା କରାଯାଇଥିଲେ ମଧ୍ୟ ଅଦ୍ୟାବଧି ଜଣେ ମଧ୍ୟ ଶ୍ରମିକଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଇନାହିଁ।
୪. ୩୨ଟି ଶ୍ରମ ଜିଲ୍ଲାରେ ଗୋଟିଏ ପ୍ରକାର ଆଇନ ଓ ନିୟମ ପ୍ରଚଳନ ବଦଳରେ ସବୁ ଜିଲ୍ଲାରେ ଅଲଗା ଅଲଗା ମନମୂଖୀ କାର୍ଯ୍ୟ ଚାଲିଛି। ବାରମ୍ବାର ନିୟମ ବଦଳୁଛି। ଅନେକ ବେଆଇନ କାର୍ଯ୍ୟ ଚାଲିଛି। ପ୍ରତେକ ଦିନର ଅପଡେଟ ଜିଲ୍ଲା କାର୍ଯ୍ୟାଳୟରେ ଉପଲବ୍ଧ ହେଉ ନାହିଁ କାହିଁକି।
୫. ଶ୍ରମ ବିଭାଗର ଖାମଖିଆଲି ନୀତି ଯୋଗୁଁ ସାଇକେଲ, ନିରାପତ୍ତା ଓ କାମ କରିବା ଉପକରଣ ସହାୟତା ଅଲିଖିତ ଭାବେ ବନ୍ଦ ଅଛି। ଏହାକୁ ପ୍ରଦାନ କରିବା ପାଇଁ ଯଦି ବୋର୍ଡ ଅସାମର୍ଥ୍ୟ ତେବେ ଓ୍ବେବ ସାଇଟରୁ ଅପସାରଣ କାହିକି କରାଯାଉନାହିଁ।
୬. ପ୍ରବାସୀ ନିର୍ମ।ଣ ଶ୍ରମିକମାନଙ୍କ ସାମୟିକ ରହଣୀ ସ୍ଥଳରେ ଆଶ୍ରୟ ନିମନ୍ତେ ଆବେଦନ ପତ୍ର ଉପଲବ୍ଧ ଥିବା ବେଳେ ସବିଶେଷ ତଥ୍ୟ ନାହିଁ କାହିକି ।
୭. ଶ୍ରମ ବିଭାଗର ଖାମଖିଆଲି ନୀତି ଯୋଗୁଁ ଅନେକ ଶ୍ରମିକଙ୍କ ପଞ୍ଜିକରଣ ଓ ଡାଟା ଏଣ୍ଟ୍ରି ସମୟରେ ବହୁ ତୃଟି ରହିଛି। ବର୍ଷ ବର୍ଷ ଧରି ଦଉଡ଼ିବା ପରେ ମଧ୍ୟ ସଂଶୋଧନ କରାଯାଉନାହିଁ। ତ୍ବରିତ ପଦକ୍ଷେପ ନେଇ ସେମାନଙ୍କ କାର୍ଡକୁ ସଂଶୋଧନ କରାଯାଉ।
୮. ଶ୍ରମ କାର୍ଯ୍ୟାଳୟରେ ନିର୍ମାଣ ଓ ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ନିରାପତ୍ତା କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ଅଧିକାରୀ, କର୍ମଚାରୀ ଓ ଭିତ୍ତିଭୂମି ପ୍ରଦାନ କରାଯାଉ। ପ୍ରତ୍ୟେକ ବ୍ଳକରେ ଶ୍ରମ କାର୍ଯ୍ୟାଳୟ ଖୋଲାଯାଉ। ପ୍ରତ୍ୟେକ ବ୍ଳକରେ ସର୍ବନିମ୍ନ ମଜୁରୀ ସୁନିଶ୍ଚିତତା, ସାମାଜିକ ନିରାପତ୍ତା ଓ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ଓ ସୁଂସଂଗଠିତ ତଦାରଖ ପାଇଁ ବ୍ଳକ ଶ୍ରମ ଅଧିକାରୀ ନିଯୁକ୍ତି ଦିଆଯାଉ।
୦୯. ସମସ୍ତ ନିର୍ମ।ଣ ଓ ଅଣସଂଗଠିତ ଶ୍ରମିକଙ୍କ ପାଇଁ ବଞ୍ଚିବା ଭଳି ମଜୁରୀ ପାଇବା ଦିଗରେ ସରକାର ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରନ୍ତୁ ।
ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ ଳ ଜିଲ୍ଲା ସଭାପତି ଶଙ୍କର ସାହୁ, ସମ୍ପାଦକ ରାମଚନ୍ଦ୍ର ବାଡତ୍ୟା, ସହ ସମ୍ପାଦିକା ପେଦିନୀ ପାର୍ବତୀ, ସଦସ୍ୟ ମଙ୍ଗୁଳୁ ଗୌଡ ଆଦି ଉପସ୍ଥିତ ଥିଲେ ।