ଦ୍ବିଶତକ ମ୍ୟାଚ୍‌ରେ ଧାୱନ ଧମାକା: ଚେନ୍ନାଇକୁ ହରାଇଲା ପଞ୍ଜାବ

ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନି ରୂପକ ଝଡ଼ ଏବଂ ଅମ୍ବାତି ରାୟୁଡୁ (୭୮)ଙ୍କ ବିସ୍ଫୋରକ ବ୍ୟାଟିଂକୁ ପ୍ରତିହତ କରି ସୋମବାର ଆଇପିଏଲ୍‌ର ଏକମାତ୍ର ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପଞ୍ଜାବ କିଙ୍ଗ୍ସ ୧୧ ରନ୍‌ରେ ପରାସ୍ତ କରିଛି। ଧୋନି ଓ ରାୟୁଡୁଙ୍କ ପ୍ରତି ଆକ୍ରମଣ ପାଇଁ ଶେଷ ପର୍ଯ୍ୟନ୍ତ ରୋମାଞ୍ଚ ଭରି ରହିଥିବା‌ ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ସମ୍ମୁଖରେ ପଞ୍ଜାବ କିଙ୍ଗ୍ସ ୧୮୮ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଚେନ୍ନାଇ ସୁପରକିଙ୍ଗ୍ସ ୬ ୱିକେଟ୍ ବିନିମୟରେ ୧୭୬ ରନ୍ କରିପାରିଥିଲା। ସୁପର କିଙ୍ଗ୍ସ ଅଧିନାୟକ ରବୀନ୍ଦ୍ର ଜାଦେଜା ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ କିଙ୍ଗ୍ସ ବିଜୟକୁ ‌ରୋକି ପାରି ନଥିଲେ। ଫଳ‌ରେ ଚେନ୍ନାଇ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ସେହି ଅଷ୍ଟମ ମୁକାବିଲାରୁ ଚତୁର୍ଥ ବିଜୟ ହାସଲ କରିଥିଲା। ୱାଙ୍ଖଡ଼େରେ ଲଗାତାର ପଞ୍ଚମ ମ୍ୟାଚ୍ ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଥିଲା।
ଦ୍ବିଶତକ ମ୍ୟାଚ୍‌ରେ ଧାୱନ ଧମାକା
ସୋମବାର ‌ଚେନ୍ନାଇ ସୁପରକିଙ୍ଗ୍ସ ଟସ୍ ଜିତି ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପଞ୍ଜାବ କିଙ୍ଗ୍ସ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କୁ ୧୮ ରନ୍‌ରେ ଆଉଟ୍ କରି ପ୍ରାରମ୍ଭିକ ସଫଳତା ବି ପାଇଥିଲା। ଦ୍ବିଶତକ ମ୍ୟାଚ୍‌ ଖେଳିଥିବା ଅନ୍ୟତମ ଓପନର ଶିଖର ଧାୱନ (୮୮*) ଓ ଭାନୁକା ରାଜପାସ୍କେ (୪୨) କିନ୍ତୁ ଧୈର୍ଯ୍ୟ ଓ ସାହସର ସହ ଖେଳି ଦ୍ବିତୀୟ ୱିକେଟ୍‌ରେ ବହୁମୂଲ୍ୟ ୧୧୦ ରନ୍ ଯୋଡ଼ି ପଞ୍ଜାବ ସ୍ଥିତି ମଜବୁତ କରି ନେଇଥିଲେ। ବିଶେଷ କରି ଧାୱନ ୩୭ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଚେନ୍ନାଇ ବୋଲରଙ୍କୁ ନୟାନ୍ତ କରିଥିଲେ। ରାଜପାସ୍କେ ଅବଶ୍ୟ ଅର୍ଦ୍ଧଶତକର ୮ ରନ୍ ପୂର୍ବରୁ ଆଉଟ୍ ହୋଇଯାଇଥିଲେ। ତେବେ ଶେଷ ଆଡ଼କୁ ଲୟାମ ଲିଭିଂଷ୍ଟୋନ (୧୭)ଙ୍କ ସହ ଧାୱନଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୭ ରନ୍ କରିପାରିଥିଲା। ନିଜ ଦ୍ବିଶତକୀୟ ମ୍ୟାଚ୍‌କୁ ସ୍ମରଣୀୟ କରିଥିବା ଧାୱନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

nis-ad
Leave A Reply

Your email address will not be published.