ହିମାଚଳ ପ୍ରଦେଶର ଏଭଳି ଅବସ୍ଥା ପାଇଁ ବିଜେପି-କଂଗ୍ରେସ ଦାୟୀ, ହେଲେ ସେମାନେ ମୋତେ ଗାଳି ଦେଉଛନ୍ତି: କେଜ୍ରିୱାଲ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଏଭଳି ଅବସ୍ଥା ପାଇଁ ବିଜେପି-କଂଗ୍ରେସ ଦାୟୀ, ହେଲେ ସେମାନେ ମୋତେ ଗାଳି ଦେଉଛନ୍ତି। ହିମାଚଳ ପ୍ରଦେଶ‌ରେ ଏକ ବୈଠକକୁ ସମ୍ବୋଧିତ କରି ଏଭଳି କହିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଆଜି ହିମାଚଳ ପ୍ରଦେଶ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ‌ସେ ହିମାଚଳ ପ୍ରଦେଶ କାଙ୍ଗ୍ରାଠାରେ ଏକ ବୈଠକକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ବିଜେପି ଓ କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଥିଲେ ଯେ ବିଜେପି-କଂଗ୍ରେସ ଏକାଠି ରାଜ୍ୟକୁ ଲୁଟିଛନ୍ତି ଏବଂ ବର୍ତ୍ତମାନ ସେମାନେ ମୋତେ ରାଜ୍ୟର ଏଭଳି ଅବସ୍ଥା ପାଇଁ ଗାଳି କରୁଛନ୍ତି।
ସେ ଆହୁରି କହିଛନ୍ତି ଯେ ଆମେ ହିମାଚଳକୁ ଦେବଭୂମି ବୋଲି କହିଥାଉ, ଏହା ଦେବତାମାନଙ୍କର ରାଜ୍ୟ। ଯେତେବେଳେ ଭଗବାନ ଏଦୁନିଆକୁ ସୃଷ୍ଟି କରୁଥିଲେ, ସେ ହିମାଚଳ ପ୍ରଦେଶକୁ ସମଗ୍ର ଦୁନିଆର ସବୁଠାରୁ ସୁନ୍ଦର ସ୍ଥାନ ଭାବେ ତିଆରି କରିଥିଲେ। ଭଗବାନ ସବୁକିଛି ଦେଇଥିଲେ। ନଦୀ, ପର୍ବତଠାରୁ ଅ‌ାରମ୍ଭ କରି ବିଭିନ୍ନ ପ୍ରକାରର ଔଷଧୀୟ ଗଛ ବି ଦେଇଥିଲେ। କିନ୍ତୁ କଂଗ୍ରେସ ଏବଂ ବିଜେପି ହିମାଚଳ ପ୍ରଦେଶକୁ ଲୁଟି ନେଇଛନ୍ତି। କଂଗ୍ରେସ ୩୦ ବର୍ଷ ଶାସନ କରିଛି ଏବଂ ବିଜେପି ୧୭ବର୍ଷ ଶାସନ କରିଛି। ନିଜ ଶାସନ କାଳରେ ସେମାନେ ହିମାଚଳ ପ୍ରଦେଶକୁ ଲୁଟିଛନ୍ତି।
ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଜୟରାମ ଠାକୁର ଟ୍ୱିଟ୍ କରି କହିଛନ୍ତି ଯେ, ହିମାଚଳରେ ଦିଲ୍ଲୀ ମଡେଲ କାମ କରିବ ନାହିଁ। ଦିଲ୍ଲୀ ମଡେଲର ଅର୍ଥ ହେଉଛି ସଚ୍ଚୋଟ ସରକାର। ତା’ହେଲେ କ’ଣ ହିମାଚଳରେ ସଚ୍ଚୋଟ ସରକାର ଗଠନ ହୋଇପାରିବ ନାହିଁ? ମୁଁ ତାଙ୍କୁ ଏହି ପ୍ରଶ୍ନ ପଚାରିଲି, ଏହାର ଉତ୍ତରରେ ସେ କହିଲେ ଯେ ହିମାଚଳର ରାଜନୈତିକ ଏବଂ ସାମାଜିକ ସ୍ଥିତି ଅଲଗା। ଏହା ଶୁଣି ମୁଁ କହିଲି ତୁମର ଉଦ୍ଦେଶ୍ୟ ଖରାପ ଅଟେ।
କେଜ୍ରିୱାଲ କହିଛନ୍ତି ଯେ, ମୁଁ ରାଜନୀତି କିପରି କରିବି ଜାଣେ ନାହିଁ। ମୁଁ ଜଣେ ଦେଶପ୍ରେମୀ ଏବଂ ସଚ୍ଚୋଟ ବ୍ୟକ୍ତି। ଆମେ ଆନ୍ନା ଆନ୍ଦୋଳନରୁ ସୃଷ୍ଟି ହୋଇଥିବା ଏକ ଦଳ। ହିମାଚଳରେ ବି ସୁଯୋଗ ମିଳିଲେ ଆମେ ପରିବର୍ତ୍ତନ ଆଣିବୁ।

nis-ad
Leave A Reply

Your email address will not be published.