ମଦ ଦୋକାନକୁ କେନ୍ଦ୍ର କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପୃଥକ ପୃଥକ ସ୍ମାରକପତ୍ର ପ୍ରଦାନ

ଛତ୍ରପୁର : ସ୍ଥାନୀୟ ଡିଆରଡିଏ ଅଫିସ୍ ସମ୍ମୁଖ ତଥା ସହରର ମୁଖ୍ୟ ପ୍ରବେଶ ପଥରେ ଖୋଲାଯାଇଥିବା ଅନ ସପ୍ ବିଦେଶୀ ମଦ ଦୋକାନ ବନ୍ଦ କରିବା ପ୍ରତିବାଦରେ ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦର ୧ ଓ ୨ ନଂ ୱାର୍ଡର ବହୁ ଜନସାଧାରଣ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ମଦ ଦୋକାନ ଖୋଲିବା ଦ୍ୱାରା ଅଂଚଳର ଜନସାଧାରଣ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେବେ ବୋଲି ସେମାନେ ଉକ୍ତ ସ୍ମାରକପତ୍ରରେ ଦର୍ଶାଇବା ସହ ଏହାକୁ ତୁରନ୍ତ ବନ୍ଦ କରିବା ନିମନ୍ତେ ଦାବି କରିଛନ୍ତି । ଅପରପକ୍ଷରେ ୧ ନଂ ୱାର୍ଡରେ ଥିବା ସମସ୍ତ ବିଦେଶୀ ଓ ଦେଶୀ ମଦ ଦୋକାନ ଗୁଡିକ ସମ୍ପୁର୍ଣ୍ଣ ବନ୍ଦ କରାଯାଉ, ଜଣଙ୍କୁ ଟାର୍ଗେଟ କରି ଏପରି ବନ୍ଦ କରିବା ଠିକ୍ ନାହିଁ । ଏଣୁ ସମସ୍ତ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଉ ନଚେତ୍ ସମସ୍ତ ଦୋକାନକୁ ବନ୍ଦ କରାଯାଉ ବୋଲି ସେହି ଅଂଚଳର କିଛି ଯୁବକ ମାନଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାକୁ ଦେଖିବାକୁ ମିଳିଛି । ଏହା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବାହ୍ନରେ ସେହି ଅଂଚଳର ବହୁ ଜନସାଧାରଣ ଡିଆରଡିଏ ଅଫିସ୍ ସମ୍ମୁଖରେ ଖୋଲାଯାଇଥିବା ବିଦେଶୀ ମଦ ଦୋକାନ ବନ୍ଦ କରିବା ନେଇ ଟାର୍ଗେଟ କରିଥିବା ବେଳେ ଅପରାହ୍ନରେ ବିନା ପକ୍ଷପପାତିତାରେ ସମସ୍ତ ଆଇଏମଏଫଏଲ ଓ ଓଏସ ସପ ମଦ ଦୋକାନ ପାଇଁ ସମାନ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସେହି ଅଂଚଳର କିଛି ଜନସାଧାରଣଙ୍କ ଦସ୍ତଖତ ଥିବା ଏକ ଲିଖିତ ସ୍ମାରକ ପତ୍ର ମଧ୍ୟ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଯେ, ୧ ନଂ ୱାର୍ଡ ଅଧିନରେ ୩ଟି ବିଦେଶୀ ମଦ ଦୋକାନ ସମେତ ଗୋଟିଏ ଦେଶୀ ମଦ ଦୋକାନ ରହିଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯିବ ତାହା ସମୟ କହିବ ବୋଲି ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

nis-ad
Leave A Reply

Your email address will not be published.