SCBରେ ଧରାପଡ଼ିଲା ଦଲାଲ, ୫ ହଜାର ଟଙ୍କା ଜବତ

କଟକ: କଟକ ବଡ଼ ମେଡ଼ିକାଲ(ଏସସିବିି)ରେ ଉନ୍ନତ ଚିକିତ୍ସା ପାଇବା ଆଶାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଲୁଟୁଛନ୍ତି ଦଲାଲ । ବେଳେବେଳେ ଲୋକେ ବିଭିନ୍ନ ବିଭାଗରେ ହଇରାଣ ହେବା ପରେ ଦଲାଲଙ୍କ ହାବୁଡରେ ପଡୁଛନ୍ତି । ଫଳରେ ଏହି ଦଲାଲମାନେ ତୁରନ୍ତ ଓ ଉନ୍ନତ ଚିକିତ୍ସା ଯୋଗାଇଦେବା ପ୍ରଲୋଭନ ଦେଖାଇ ସେମାନଙ୍କୁ ଲୁଟିବାରେ ଲାଗିଛନ୍ତି।

ଦିନକୁ ଦିନ ଏସସିବିରେ ଏବେ ଦଲାଲଙ୍କ ରାଜୁତି ବଢ଼ିବଢ଼ି ଚାଲିଛି । ଦଲାଲଙ୍କ ହାବୁଡରେ ପଡି ରୋଗୀମାନେ ଖର୍ଚ୍ଚାନ୍ତରେ ପଡୁଥିବାବେଳେ ଗରିବ ନିରୀହ ରୋଗୀ ସର୍ବସ୍ୱାନ୍ତ ହେଉଛନ୍ତି । ତେବେ ଏଭଳି ଦଲାଲଙ୍କୁ ସାବାଡ କରିବା ଲାଗି କମିଶନରେଟ ପୁଲିସ ପକ୍ଷରୁ ତୀକ୍ଷ୍ମଣ ନଜର ରଖାଯାଇଛି । ତେବେ ଆଜି ପୁଲିସ ହାବୁଡ଼ରେ ପଡ଼ିଛି ଜଣେ ଦଲାଲ । ଅଭିଯୁକ୍ତଜଣକ କନ୍ଦରପୁର ଥାନା ଅନ୍ତର୍ଗତ ବିରିବାଟି ତଁରପା ଗ୍ରାମର ସୌଭାଗ୍ୟ ରଞ୍ଜନ ପତି(୨୮) ବୋଲି ଜଣାପଡ଼ିଛି ।

ତା’ ନିକଟରୁ ୫ହଜାର ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ପଚରାଉଚରା ପରେ କିଭଳି ବର୍ଷବର୍ଷ ଧରି ଏସସିବିରେ ଦଲାଲିଗିରି କରୁଥିଲା ସେ ବିଷୟରେ ପୁଲିସ ଆଗରେ ମୁହଁ ଖୋଲିଛି । ଏହି ଦଲାଲିରେ ଆଉ କେଉଁମାନଙ୍କ ସମ୍ପୃକ୍ତିି ରହିଛନ୍ତି ସେ ସମ୍ପର୍କରେ ପୁଲିସ ଅନେକ ତଥ୍ୟ ହାସଲ କରିଛି । ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ନାହାଖଣ୍ଡି ଥାନା ଅନ୍ତର୍ଗତ ବାଲିମୁଣ୍ଡା ଗ୍ରାମର ରାସବିହାରୀ ମଣ୍ଡଳଙ୍କର ଜଣେ ସମ୍ପର୍କୀୟ ଏସସିବିରେ ଚିକିତ୍ସିତ ହେଉଛନ୍ତି । ଆଜି ରକ୍ତ ଆବଶ୍ୟକ ହେବାରୁ ଡାକ୍ତରଙ୍କ ରିକ୍ୟୁଏସନ ପତ୍ର ଧରି ସେ ବ୍ଲଡ ବ୍ୟାଙ୍କକୁ ଯାଇଥିଲେ ।

ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅଭିଯୁକ୍ତ ସୌଭାଗ୍ୟ ତାଙ୍କୁ ଭିନ୍ନ କଥା କହି ନିରାଶ କରାଇଥିଲା । ୫ହଜାର ଟଙ୍କା ଦେଲେ ସଙ୍ଗେ ସଙ୍ଗେ ରକ୍ତ ଯୋଗାଡ କରାଇଦେବ ବୋଲି କହିଥିଲେ । ତା’ କଥାରେ ରାଜିହୋଇ ରାସବିହାରୀ ତାଙ୍କୁ ମାଗିଥିବା ଟଙ୍କା ଦେଇଥିଲେ । ଏ ସମ୍ପର୍କରେ ପୁଲିସ ସୂଚନା ମିଳିବା ପରେ ସେଠାରେ ଚଢଉ କରି ସୌଭାଗ୍ୟକୁ ଧରିବାରେ ସଫଳ ହୋଇଥିଲା । ସୌଭାଗ୍ୟକୁ ଯାଞ୍ଚ ପରେ ତା’ ପକେଟରୁ ୫ହଜାର ଟଙ୍କା ମିଳିଥିଲା । ସେଠାରୁ ତାକୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା । ଅଭିଯୁକ୍ତ ସୌଭାଗ୍ୟ ଏସସିବିର କିଛି କର୍ମଚାରୀଙ୍କ ସହଯୋଗରେ ଦୀର୍ଘଦିନ ହେଲା ବ୍ଲକ ବ୍ୟାଙ୍କ ସହିତ ଅନ୍ୟାନ୍ୟ ୱାର୍ଡରେ ଦଲାଲି କରୁଥିବା ସ୍ୱୀକାର କରିଥିବା ଥାନା ଅଧିକାରୀ ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.