ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ

ନବରଙ୍ଗପୁର: ରାଜ୍ୟର ଅନ୍ୟ ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନବରଙ୍ଗପୁରରେ ମଧ୍ୟ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା(Air Health Services) । ଆଧୁନିକ ଚିକିତ୍ସା କ୍ଷେତ୍ରରେ ପଛୁଆ ଜିଲ୍ଲାର ସାଧାରଣ ଲୋକଙ୍କ ପାଇଁ ଉନ୍ନତ ସେବା ଯୋଗାଇବା ସରକାରଙ୍କ ଏହି ଯୋଜନାର ଉଦ୍ଦେଶ୍ୟ । ଜିଲ୍ଲା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମାଇଲ ଖୁଣ୍ଟ ସଦୃଶ୍ୟ ରାଜ୍ୟ ସରକାରଙ୍କ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନା ଦ୍ବାରା ମେଡିକାଲ କଲେଜର ବରିଷ୍ଠ ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ବାରା ସୁପର ସ୍ପେସିଆଲିଟି ସ୍ବାସ୍ଥ୍ୟ ସେବା ଏବେ ଉପାନ୍ତ ଜିଲ୍ଲାରେ ଉପଲବ୍ଧ ହୋଇପାରିବ । ଚଳିତ ଏପ୍ରିଲ 15 ଓ 16 ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ଶିବିରରେ ଗ୍ୟାଷ୍ଟ୍ରୋଣ୍ଟ୍ରୋଲୋଜି, ୟୁରୋଲୋଜି, କାର୍ଡିଓଲୋଜି ଓ ଲାପ୍ରସ୍କୋପିକ ସର୍ଜରୀ ଇତ୍ୟାଦି ବିଭାଗରେ ହେବ ସ୍ବତନ୍ତ୍ର ଚିକିତ୍ସା ।

ଏହି ଚିକିସ୍ତା ପାଇଁ ଜିଲ୍ଲାର କୋଣଅନୁକୋଣରୁ ରୋଗୀ ଆସି ମୁଖ୍ୟ ଚିକିତ୍ସାଳୟରେ ନିଜ ନିଜର ନାମ ପଞ୍ଜିକରଣ କରିଥିଲେ । ରାଜ୍ୟର ପ୍ରମୁଖ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଏକ ଟିମ ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ନବରଙ୍ଗପୁରରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚିବା ପରେ ପୂର୍ବରୁ ପଞ୍ଜିକୃତ ହୋଇଥିବା ରୋଗୀଙ୍କ ଦୁରାରୋଗ୍ୟ ଚିକିତ୍ସା କରିବେ । ଆଜିର ଏହି ବିଶେଷଜ୍ଞ ଟିମରେ ୟୁରୋଲୋଜି ବିଭାଗର ପ୍ରଫେସର ଡକ୍ଟର ଦତ୍ତାଶ୍ବର ହୋତା, ଗ୍ୟାଷ୍ଟରୋଲୋଜି ପ୍ରଫେସର ଡକ୍ଟର ଚିତ୍ତରଞ୍ଜନ ପଣ୍ଡା, କାଡିଓଲୋଜି ପ୍ରଫେସର ଡକ୍ଟର ବିଶ୍ବଜିତ ଦାସ, ପ୍ରଫେସର ଡକ୍ଟର ବନବିହାରୀ ମିଶ୍ର, ଡକ୍ଟର ଖଗେଶ୍ବର ରାଉତ ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ରୋଗୀଙ୍କ ଅସ୍ତ୍ରପୋଚାର କରିବା ସହ କିଛି ରୋଗୀଙ୍କ ଚିକିତ୍ସା ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଦୁଇ ଦିନ ପୂର୍ବରୁ ମୋଟ 164 ଜଣ ରୋଗୀଙ୍କ ନାମ ପଞ୍ଜୀକରଣ ହୋଇଥିବା ସୂଚନା ମିଳିଛି ।

ଆଜିର ଏହି ଚିକିତ୍ସା ଶିବିରରେ ନ୍ୟୁରୋଲୋଜିରେ 17, କାର୍ଡିଓଲୋଜିରେ 54, ୟୁରୋଲୋଜିରେ 34, ଗ୍ୟାଷ୍ଟ୍ରୋଲୋଜିରେ 40 ଓ ଅନ୍ୟାନ୍ୟ 40 ଜଣ ପଞ୍ଜୀକରଣ କରିଥିବା ଜଣାପଡିଛି । ଉନ୍ନତ ସେବା ନପାଇ ଦିନେ ମୃତ୍ୟୁ ମୁଖରେ ପଡୁଥିବା ଲୋକେ ଆଜି ହାତ ପାଆନ୍ତାରେ ବିଶେଷଜ୍ଞଙ୍କ ସେବା ପାଇ ବେଶ ଖୁସି ଥିବା କହିଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ରୋଗୀମାନେ ।

nis-ad
Leave A Reply

Your email address will not be published.