ନିର୍ବାଚନ ପୂର୍ବରୁ ଗୁଜୁରାଟ କଂଗ୍ରେସରେ ଅନ୍ତଃକନ୍ଦଳ ଚରମସୀମାରେ

ଅହମ୍ମଦାବାଦ: ଗୁଜରାଟ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସରେ ଅନ୍ତଃକନ୍ଦଳ ଚରମସୀମାରେ ପହଞ୍ଚିଛି। ଗୋଷ୍ଠୀ କନ୍ଦଳ ଏତେ ତୀବ୍ର ହୋଇଛି ଯେ, ଦଳରେ ଫାଟ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ରାଜ୍ୟ ପିସିସି ସଭାପତିଙ୍କ ସହ ଯୁବ ନେତା ହାର୍ଦ୍ଦିକ ପଟେଲଙ୍କ ମଧ୍ୟରେ ରାଜନୈତିକ କଳହ ଘନେଇବାରେ ଲାଗିଛି। ରାଜ୍ୟ ନେତୃତ୍ୱଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ହାର୍ଦ୍ଦିକ ପଟେଲ। ୨୦୧୭ରେ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଥିଲେ ହାର୍ଦ୍ଦିକ ପଟେଲ।
ଏବେ ତାଙ୍କୁ ଦଳରେ କୋଣଠେସା କରାଯାଉଥିବା ଅଭିଯୋଗ ଆଣି ରାଜ୍ୟ ନେତାଙ୍କ ବିରୋଧରେ ବର୍ଷିଛନ୍ତି ହାର୍ଦ୍ଦିକ। ରାଜ୍ୟର କୌଣସି ଦଳୀୟ କାର୍ଯ୍ୟକ୍ରମକୁ ତାଙ୍କୁ ନିମନ୍ତ୍ରଣ କରାଯାଉ ନାହିଁ। ସେହିପରି କୌଣସି ଦଳୀୟ ନିଷ୍ପତ୍ତି ବାବଦରେ ତାଙ୍କ ମତାମତ ନିଆଯାଉ ନାହିଁ। ହାର୍ଦ୍ଦିକ କହିଛନ୍ତି ଯେ, ଦଳରେ ମୋର ‘ନୂଆ ବର ଭଳି ଅବସ୍ଥା। କିନ୍ତୁ ମତେ ବନ୍ଧ୍ୟାକରଣ କରାଯାଇଛି।’ ପଟିଦାର ଆନ୍ଦୋଳନର ମୁଖ୍ୟସୂତ୍ରଧର ହାର୍ଦ୍ଦିକ ପଟେଲଙ୍କୁ ଦଳରେ ହତାଦର କରାଯାଉଥିବା ସେ ନିଜେ ଅନୁଭବ କରିଛନ୍ତି। ଆଗକୁ ନିର୍ବାଚନ ଥିବା ବେଳେ ବିଜେପି ବିରୋଧରେ ଲଢ଼ିବା ପାଇଁ କଂଗ୍ରେସ ଅଣ୍ଟା ଭିଡ଼ୁଥିବା ବେଳେ ତାପୂର୍ବରୁ ହାର୍ଦ୍ଦିକଙ୍କ ଏହି ବୟାନ ଦଳରେ କମ୍ପନ ସୃଷ୍ଟି କରିଛି।
ଆସନ୍ତା ଡିସେମ୍ବରରେ ଗୁଜରାଟରେ ବିଧାନସଭା ନିର୍ବାଚନ ରହିଛି। ହାର୍ଦ୍ଦିକ ପଟେଲଙ୍କ ପଟିଦାର ଆନ୍ଦୋଳନ ୨୦୧୫ରେ କଂଗ୍ରେସକୁ ଫାଇଦା ପହଞ୍ଚାଇ ଥିଲା। ୨୦୧୫ରେ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଆଶାନୁରୂପକ ଫଳ ପାଇଥିଲା। ସେହିପରି ୨୦୧୭ ବିଧାନସଭା ନିର୍ବାଚନରେ ମଧ୍ୟ ହାର୍ଦ୍ଦିକଙ୍କ ଆନ୍ଦୋଳନର ଲାଭବାନ ହୋଇଥିଲା କଂଗ୍ରେସ। ୧୮୨ଟି ବିଶିଷ୍ଟ ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ୭୭ଟି ଆସନରେ ବିଜୟୀ ହୋଇଥିଲା। ହେଲେ ଏବେ ଦଳୀୟ ହତାଦର ନେଇ ହାର୍ଦ୍ଦିକଙ୍କ ବିସ୍ଫୋରଣ କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ।

nis-ad
Leave A Reply

Your email address will not be published.