ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହନ୍ତି ମମତା: ନିର୍ଭୟାଙ୍କ ମା’  

କୋଲକାତା: ‘ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହନ୍ତି। ଏହି ଆସନରେ ବସିବା ପାଇଁ ତାଙ୍କର ଅଧିକାର ନାହିଁ। ଦୁଷ୍କର୍ମକୁ ନେଇ ସମ୍ବେଦନଶୀଳ ନଥିବା ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି।’ ଆଜି ଏଭଳି କିଛି କଡା ଭାଷାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ୨୦୧୨ ଦିଲ୍ଲୀ ଗଣଦୁଷ୍କର୍ମ ପୀଡିତା ନିର୍ଭୟାଙ୍କ ମା’।
ନାଦିଆ ଜିଲ୍ଲାରେ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ବିବାଦୀୟ ବୟାନ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ନିର୍ଭୟାଙ୍କ ମା’। ସେ କହିଛନ୍ତି ଯେ, ଜଣେ ମହିଳା ହୋଇ ଦୁଷ୍କର୍ମ ପୀଡ଼ିତାଙ୍କ ବିଷୟରେ ଏଭଳି କହିବା ତାଙ୍କୁ ଶୋଭା ପାଉନାହିଁ। ଏଭଳି ଚିନ୍ତାଧାରା ରଖିଥିବା ମହିଳା ମୁଖ୍ୟମନ୍ତ୍ରୀ ପଦ ପାଇଁ ଯୋଗ୍ୟ ନୁହନ୍ତି।
ଉଲ୍ଲେଖଯୋଗ୍ୟ, ନାଦିଆ ଜିଲ୍ଲାରେ ହୋଇଥିବା ଜଣେ ନାବାଳିକାର ଦୁଷ୍କର୍ମ ଘଟଣାକୁ ନେଇ ନିକଟରେ ଦିଦି ଏକ ବିବାଦୀୟ ବୟାନ ଦେଇଥିଲେ। ଦିଦି କହିଥିଲେ ଯେ, ଦୁଷ୍କର୍ମ ପାଇଁ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ନେଇ ସେମାନେ କାହାଣୀ ଶୁଣାଉଛନ୍ତି। ଆପଣମାନେ ଏହାକୁ ଦୁଷ୍କର୍ମ କହିବେ କି? ସେ ମୃତ୍ୟୁ ପୂର୍ବରୁ ଗର୍ଭବତୀ ଥିଲେ କି? ତାଙ୍କର କାହା ସହ ପ୍ରେମ ସଂପର୍କ ଥିଲା କି? ଏ ବିଷୟରେ କେହି ଯାଞ୍ଚ କରିଛନ୍ତି ନାଁ ନାହିଁ। ମୁଁ ଶୁଣିବାକୁ ପାଇଛି ଯେ, ପୀଡ଼ିତାର କାହା ସହ ପ୍ରେମ ସଂପର୍କ ଥିଲା। ଏବେ ଘଟଣା ପରେ ମୁଁ ପୁଲିସକୁ ତଦନ୍ତ ନିର୍ଦ୍ଦେଶ ଦେଇଛି।
ନାବାଳିକାର ପ୍ରେମ ସମ୍ପର୍କ ଥିଲା ଏବଂ ପରିବାର ଏବିଷୟରେ ଜାଣିଥିଲେ। ଯଦି ପ୍ରେମୀଯୁଗଳ ସଂପର୍କରେ ଅଛନ୍ତି, ତେବେ ମୁଁ ସେମାନଙ୍କୁ ରୋକିପାରିବି ନାହିଁ? ଏହା ୟୁପି ନୁହେଁ, ଆମେ ଏଠାରେ ଲଭ୍ ଜିହାଦ୍ କରୁନାହୁଁ। ଏହା ହେଉଛି ସେମାନଙ୍କର ବ୍ୟକ୍ତିଗତ ସ୍ୱାଧୀନତା ବୋଲି ସେ କହିଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ସେପଟେ ମୃତ ନାବାଳିକର ପରିବାର ଲୋକେ ଗଣଦୁଷ୍କର୍ବ ପରେ ଝିଅର ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏହି ଦୁଷ୍କର୍ମ ମାମଲା ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ସୋମବାର ରାଜ୍ୟ ମୁଖ୍ୟ ସଚିବକୁ ତତ୍କାଳ ରିପୋର୍ଟ ମାଗିଛନ୍ତି।

nis-ad
Leave A Reply

Your email address will not be published.