ମୁମ୍ବାଇକୁ କେନ୍ଦ୍ରଶାସିତ ଅଞ୍ଚଳ କରିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି: ସଞ୍ଜୟ ରାଓ୍ଵତ

ମୁମ୍ବାଇ: ଶିବସେନାର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଓ୍ଵତ ଶୁକ୍ରବାର ଦିନ ଅଭିଯୋଗ କରି କହିଛନ୍ତି ଯେ ମୁମ୍ବାଇକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ କରିବା ପାଇଁ ବିଜେପି ଷଡଯନ୍ତ୍ର କରୁଛି। ଏବଂ ଏହି ଉଦ୍ଦେଶ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିକଟରେ ଏକ ପ୍ରସ୍ତାବ ଉପସ୍ଥାପନା କରାଯାଇଛି। ମୁମ୍ବାଇକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ କରିବା ପାଇଁ ଚାଲିଥିବା ଷଡ୍‌ଯନ୍ତ୍ରରେ ପୂର୍ବତନ ବିଜେପି ସାଂସଦ କିରିଟ ସୋମାୟା ଏବଂ ଦଳର ଅନ୍ୟ ପ୍ରମୁଖ ନେତାଙ୍କ ସମେତ ବିଲଡର, ବ୍ୟବସାୟୀଙ୍କ ଏକ ଗୋଷ୍ଠୀ ସଂପୃକ୍ତ ଅଛନ୍ତି ବୋଲି ରାଓ୍ଵତ ଅଭିଯୋଗ କରିଛନ୍ତି।
ମୁମ୍ବାଇକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ କରିବା ବିଷୟରେ ଏକ ଉପସ୍ଥାପନା ଏହି ଗୋଷ୍ଠୀ ଦ୍ୱାରା କେନ୍ଦ୍ର ଗୃହ ମନ୍ତ୍ରାଳୟ ନିକଟରେ କରାଯାଇଛି। ଇତିମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବୈଠକ ଅନୁଷ୍ଠିତ ହୋଇ ସାରିଛି ଏବଂ ଏଥିପାଇଁ ପାଣ୍ଠି ସଂଗ୍ରହ କରାଯାଉଛି। ଏହି କାର୍ଯ୍ୟ ଗତ ଦୁଇ ମାସ ଧରି ଚାଲିଛି ଏବଂ ମୁଁ ସମ୍ପୂର୍ଣ୍ଣ ଦାୟିତ୍ୱପୂର୍ଣ୍ଣ ସହକାରେ ଏହା କହୁଛି। ମୁଁ ଯାହା କହୁଛି ତାହା ପ୍ରମାଣ କରିବାକୁ ମୋ ପାଖରେ ଯଥେଷ୍ଟ ପ୍ରମାଣ ଅଛି। ମୁଖ୍ୟମନ୍ତ୍ରୀ (ଉଦ୍ଧବ ଠାକରେ) ମଧ୍ୟ ଏହି ବିଷୟରେ ଅବଗତ ଅଛନ୍ତି ବୋଲି ରାଓ୍ଵତ କହିଛନ୍ତି।
ସେନା ସାଂସଦ ଦାବି କରିଛନ୍ତି, ଆସନ୍ତା କିଛି ମାସ ମଧ୍ୟରେ ଏହି ଗୋଷ୍ଠୀନେତୃତ୍ୱାଧୀନ ସୋମାୟା ଏ ପ୍ରଙ୍ଗରେ ଅଦାଲତ ଯିବାର ସମ୍ଭାବନା ରହିଛି ଯେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ମରାଠୀ ଲୋକଙ୍କ ପ୍ରତିଶତ ବହୁତ ହ୍ରାସ ପାଇଛି ଏବଂ ତେଣୁ କେନ୍ଦ୍ର ସରକାରଙ୍କ ଶାସନରେ ସହରକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ କରାଯିବା ଉଚିତ। ଶିବସେନା ସାଂସଦ ରାଓ୍ଵତ କହିଛନ୍ତି ଯେ ସୋମାୟା ପୂର୍ବରୁ ମରାଠୀକୁ ବିଦ୍ୟାଳୟରେ ବାଧ୍ୟତାମୂଳକ ଭାଷା କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ।

nis-ad
Leave A Reply

Your email address will not be published.