ଗୁଜୁରାଟ ହିମାଚଳ ଲାଗି ଆପ୍ ଲକ୍ଷ୍ୟ ରଖିଛି

ନୂଆଦିଲ୍ଲୀ: ପଞ୍ଜାବରେ ଆମଆଦମୀ ପାର୍ଟି(ଆପ) ଆଶା ଠାରୁ ଅଧିକ ସଫଳତା ପାଇଛି। ଆଗକୁ ଦଳର ଫୋକସରେ ଗୁଜରାଟ ଏବଂ ହିମାଚଳ ପ୍ରଦେଶ ରହିଛି। ଆମେ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ଦଳର ସ୍ଥିତି ଜାହରି ପାଇଁ ଲକ୍ଷ୍ୟ ରଖିଛୁ। ଏନଡିଟିଭିକୁ ସାକ୍ଷାତକାର ଦେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ଆବାହକ ଅରବିନ୍ଦ କେଜ୍ରିୱାଲ ଏହା କହିଛନ୍ତି।
ସେ କହିଛନ୍ତି ଯେ, ଆମେ ପଞ୍ଜାବରେ ଆଶାଠାରୁ ଅଧିକ ହାସଲ କରିଛୁ। ଦିଲ୍ଲୀ ପରେ ଦ୍ୱତୀୟ ରାଜ୍ୟ ଭାବେ ଆପ ସରକାର ଗଠନ ପାରିଛି। ମୁଖ୍ୟତଃ ଆମର ପଞ୍ଜାବରେ ବିଜୟ ପଛରେ ଦୁଇଟି କାରଣ ରହିଛି। ପ୍ରଥମଟି ହେଉଛି ସେଠାରେ ଥିବା ରାଜନୈତିକ ଦଳର ଉପରେ ପ୍ରବଳ ଜନ ଅସନ୍ତୋଷ ଥିଲା। ଦ୍ୱତୀୟଟି ଆମ ଦିଲ୍ଲୀ ମଡେଲ ସେମାନଙ୍କୁ ଆକର୍ଷିତ କରିପାରିଛି। ଆମେ ହେଉଛୁ ସଚ୍ଚୋଟ ଲୋକ। ଆମେ ଦୁର୍ନୀତିକୁ ସହ୍ୟ ପାରୁନା। ଆମେ ମଧ୍ୟ ଦେଶପ୍ରେମୀ। ଆଗକୁ ଆପ ଗୋଟିଏ ରାଜନୈତିକ ଦଳ ହୋଇ ରହିବ ନାହିଁ। ଆପ ଗୋଟିଏ ବିଚାରଧାରା ହେବାକୁ ପ୍ରୟାସ କରୁଛି। ଆମେ ଦୁଇଟି ରାଜ୍ୟରେ ସରକାର ଗଠନ କରିଛୁ। ଏହାର ଶ୍ରେୟ ଆମେ ଜନତାଙ୍କୁ ଦେଉଛୁ। ସାଧାରଣ ଲୋକଙ୍କ ପାଇଁ କାମ କରିଥିବାରୁ ଆମକୁ ଲୋକେ ବିଶ୍ୱାସ କରିଛନ୍ତି । ଆମେ ଭଲ ସରକାର ଦେବାକୁ ସଂକଳ୍ପବଦ୍ଧ ବୋଲି କେଜ୍ରିୱାଲ କହିଛନ୍ତି ।
ଆମେ ପଞ୍ଜାବରେ ଦେଇଥିବା ପ୍ରତିଶ୍ରୁତିକୁ ମୁଖ୍ୟମନ୍ତ୍ରୀ ଭଗବତ ମାନ ପୂରଣ କରିବେ। ସେ ଏକ ଭିନ୍ନ ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଗକୁ ଅନେକ କିଛି ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନରେ ଲଢ଼ିବା ପାଇଁ ଆମେ କୌଣସି ରାଜନୈତିକ ଦଳ ସହ ଯୋଡ଼ି ହେବାକୁ ମୁଁ ଭାବୁ ନାହିଁ। ଅନ୍ୟ ରାଜନୈତିକ ଦଳ ମାନେ ଲୋକଙ୍କ ପାଇଁ ସେମତି କିଛି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି। ସେମାନଙ୍କ ଉପରେ ଲୋକେ ଏତେ ଅତିଷ୍ଟ ଅଛନ୍ତି ଯେ, ସେମାନେ ରାଜନୀତିକୁ ଘୃଣା କରିବା ଆରମ୍ଭ କରିଛନ୍ତି । ୨୦୨୪ରେ ମୋଦିଙ୍କୁ ଟକ୍କର ଦେବା କିଛି ମିଶନ ଅଛିକି ପ୍ରଶ୍ନ ହେବାରୁ କେଜ୍ରିୱାଲ କହିଥିଲେ ଯେ, ମୋର ମିଶନ ବିଜେପିକୁ ପରାସ୍ତ କରିବା ନୁହଁ। ବରଂ ଭଲ କାମ କରିବାକୁ ଲକ୍ଷ୍ୟ ରହିଛି ବୋଲି କେଜ୍ରିୱାଲ କହିଛନ୍ତି।

nis-ad
Leave A Reply

Your email address will not be published.