ଉତ୍ତର-ପୂର୍ବାଞ୍ଚଳ ପରେ ଜମ୍ମୁ ଓ କଶ୍ମୀରର କେତେକ ଜିଲ୍ଲାରୁ ବି ହଟିବ ଆଫସ୍ପା !

ନୂଆଦିଲ୍ଲୀ : ୩ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ପରେ ଜମ୍ମୁ ଓ କଶ୍ମୀରର ବି କେତେକ ଜିଲ୍ଲାରୁ ହଟିବ ସଶସ୍ତ୍ର ବାହିନୀ (ସ୍ବତନ୍ତ୍ର କ୍ଷମତା) ଆଇନ-୧୯୫୮ (ଆଫସ୍ପା) । ଚଳିତ ମାସ ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀର ଗସ୍ତରେ ଯିବାକୁ ଥିବାବେଳେ ସେସମୟରେ ଏହି ଘୋଷଣା କରିବାର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି । କଶ୍ମୀରରେ ସେପ୍ଟେମ୍ବର ୧୯୯୦ରୁ ଏହି ଆଇନ ଲାଗୁ ରହିଛି । ରାଜ୍ୟକୁ ହିଂସାପ୍ରବଣ ଦର୍ଶାଇ ତତକାଳୀନ ରାଜ୍ୟ ସରକାର ଏହି ଆଇନ ଲାଗୁ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ପରେ ଅଗଷ୍ଟ ୨୦୦୧ରେ ଜମ୍ମୁରେ ବି ଏହାକୁ ଲାଗୁ କରାଯାଇଥିଲା । ୨୦୧୯, ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ହଟିବା ଓ ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରେ ବି ଏହି ଆଇନ ଲାଗୁ ରହିଥିଲା ।
ଆଫସ୍ପା ଅନୁସାରେ ସେନା ଓ ସୁରକ୍ଷା ବଳକୁ କେତେକ ସ୍ବତନ୍ତ୍ର କ୍ଷମତା ମିଳିଥାଏ । ଏହା ମାଧ୍ୟମରେ ସେମାନେ ବିନା ଓ୍ବାରେଣ୍ଟରେ ସର୍ଚ୍ଚ କରିପାରିବେ ଓ ଗିରଫ କରିପାରିବେ । ପୁଣି କୌଣସି ଅପରେସନ ବିଫଳ ହେଲେ ବି ସେମାନଙ୍କୁ କେତେକ ଆଇନଗତ ସୁରକ୍ଷା ମିଳିଥାଏ ।
ଉତ୍ତର-ପୂର୍ବାଞ୍ଚଳର ୩ଟି ରାଜ୍ୟ ଆସାମ, ମଣିପୁର ଓ ନାଗାଲାଣ୍ଡର କେତେକ ଅଂଚଳରୁ ଆଫସ୍ପା ହଟାଇବାକୁ ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ । ତେବେ କେତେକ ଅତି ସଂବେଦନଶୀଳ ଅଂଚଳରେ ଏହା ଲାଗୁ ରହିବ ।

nis-ad
Leave A Reply

Your email address will not be published.