ଲକ୍ଷ୍ମଣ ରେଖା ଟପିଗଲେ ପ୍ରଶାସନିକ ଅଧିକାରୀ: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର: ପଦ ମର୍ୟ୍ୟାଦାର ସମସ୍ତ ଲକ୍ଷ୍ମଣ ରେଖା ଟପିଗଲେ ପ୍ରଶାସନିକ ଅଧିକାରୀ। ପ୍ରଶାସନିକ ଇତିହାସରେ ଏହା କଳଙ୍କର ଦାଗ । ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଅଧିକାରୀମାନେ ଭେଟି ଅଭିନନ୍ଦନ ଜଣାଇବା ଘଟଣାକୁ କଡ଼ା ନିନ୍ଦା କରି ଏପରି ଭର୍ତ୍ସନା କରିଛି ବିଜେପି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପିର ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଅମଲାତାନ୍ତ୍ରିକ ବ୍ୟବସ୍ଥାକୁ କବଳିତ କରି ବିଜେଡି ନିର୍ବାଚନ ଜିତୁଛି।

ବିରୋଧୀ ଯେଉଁ ଅଭିଯୋଗ କରି ଆସୁଥିଲେ ତାହା ପ୍ରମାଣିତ ହୋଇଛି । ଏପରି ଘଟଣା ଭାରତର ବ୍ୟୁରୋକ୍ରାଟ ଇତିହାସରେ କେବେ ଘଟି ନ ଥିଲା। ଏପରି କରି ଓଡ଼ିଶାରେ ପ୍ରଶାସନିକ ଅଧିକାରୀମାନେ ଜନସାଧାରଣଙ୍କ ପାଖରେ ଗର୍ହିତ ଅପରାଧ କରିଛନ୍ତି । ଅମଲାତନ୍ତ୍ର ଉପରୁ ଲୋକଙ୍କ ଆସ୍ଥା, ବିଶ୍ୱାସ ତୁଟିଯାଇଛି । ରାଜ୍ୟରେ ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚି ଥିବା ବେଳେ ଏଠାରେ ଚାଲିଛି ଚାଟୁକାରିତାର ଶାସନ । ଜରୁରୀକାଳୀନ ପରିସ୍ଥିତି ବେଳେ ଏପରି ଅବସ୍ଥା ଦେଖିବାକୁ ମିଳିଥିବା କହିଛନ୍ତି, ପୃଥ୍ୱୀରାଜ ହରିଚନ୍ଦନ ।

ବିଜେପିର ଏପରି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ସୌଜନ୍ୟତା ଦୃଷ୍ଟିରୁ ପ୍ରାଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ବିଜେଡି ବିଧାୟକ ଭୂପିନ୍ଦର ସିଂ କହିଛନ୍ତି । ସେ କହିଛନ୍ତି, ଅଫିସରମାନେ ସୌଜନ୍ୟତା ଦୃଷ୍ଟିରୁ ଅଭିନନ୍ଦନ ଜଣାଇବାକୁ ଭେଟିଛନ୍ତି । ଏଭଳି ପରମ୍ପରା ରହିବା ଉଚିତ, ଭାଇଚାରା ରହିବା ଦରକାର। ବିଜେପି ଯେଉଁ ରାଜ୍ୟରେ ଜିତୁଛି, ସେଠି ମୁଖ୍ୟମନ୍ତ୍ରୀଙ୍କୁ ଅଫିସର ଭେଟୁଛନ୍ତି । ଏଥିରେ କୌଣସି ଅସୁବିଧା ନାହିଁ ।

nis-ad
Leave A Reply

Your email address will not be published.