ମୁହଁରେ ପରାଦ ପକାଇଥିବାରୁ ମହିଳାଙ୍କୁ ଅପମାନ, ବନ୍ଦ ହେଲା ଭାରତୀୟ ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ: ବାହାରିନର ଅଦଲିୟାରେ ଥିବା ଗୋଟିଏ ଭାରତୀୟ ରେଷ୍ଟୁରାଣ୍ଟକୁ ସ୍ଥାନୀୟ ପ୍ରଶାସନ ବନ୍ଦ କରିଦେଇଛି। ଏହି ରେଷ୍ଟୁରାଣ୍ଟର କର୍ତ୍ତୃପକ୍ଷ ମୁହଁରେ ପରାଦା ପକାଇଥିବା ଜଣେ ମହିଳାଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲେ। ମହିଳାଙ୍କ ପ୍ରତି ଏପରି ଅପମାନକୁ ବାହାରିନ ପ୍ରଶାସନ ଗୁରୁତର ସହ ନେଇଛି। ଏଥିପାଇଁ ରେଷ୍ଟୁରାଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ଏକ ଭାରତୀୟ ରେଷ୍ଟୁରାଣ୍ଟ। ୧୯୮୭ରୁ ବାହାରିନରେ ଏହି ରେଷ୍ଟୁରାଣ୍ଟଟି ସେବା ଯୋଗାଇ ଆସୁଛି।
ରେଷ୍ଟୁରାଣ୍ଟ ପକ୍ଷରୁ ପରାଦ ପକାଇ ଥିବା ମହିଳାଙ୍କୁ ଅଟକା ଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଭିଡିଓକୁ ଆଧାର କରି ବାହାରିନ ଟୁରିଜିମ ଓ ଏକ୍ସିବେସନ ଅଥୋରିଟି(ବିଟିଇଏ) ତଦନ୍ତ ଆରମ୍ଭ କରିଥିଲା। ଏଥିସହ ସମସ୍ତ ପର୍ଯ୍ୟଟକ ଆଉଟଲେଟକୁ ସରକାରଙ୍କ ଗାଇଡଲାଇନ ପାଳନ କରିବାକୁ କୁହାଯାଇଛି। ଏହାବାଦ ବାହାରିନର ନିୟମକୁ ଉଲ୍ଲଙ୍ଘନ କରୁଥିବା କୌଣସି ନୀତି ପ୍ରଚଳନ ନ କରିବାକୁ ପରାମର୍ଶ ଦିଆଯାଇଛି।
ଘଟଣାର ତଦନ୍ତ ଚାଲିଥିବା ବେଳେ ରେଷ୍ଟୁରାଣ୍ଟ ପକ୍ଷରୁ ଇନଷ୍ଟାଗ୍ରାମରେ ସମସ୍ତଙ୍କୁ କ୍ଷମା ମଗା ଯାଇଥିଲା। ଏଥିସହ ଡ୍ୟୁଟି ମ୍ୟାନେଜରଙ୍କୁ ମଧ୍ୟ ରେଷ୍ଟୁରାଣ୍ଟ ପକ୍ଷରୁ ବହିଷ୍କୃତ କରାଯାଇଛି। ରେଷ୍ଟୁରାଣ୍ଟ ପକ୍ଷରୁ ସଫେଇ ଦିଆଯାଇଛି ଯେ “ଘଟଣାକୁ ନେଇ ଆମେ କରିଥିବା ତଦନ୍ତ ପରେ ଡ୍ୟୁଟି ମ୍ୟାନେଜରଙ୍କୁ କାର୍ଯ୍ୟରୁ ବେଦଖଲ କରାଯାଇଛି। ଏହି ସୁନ୍ଦର କିଙ୍ଗଡମରେ ରହୁଥିବା ସବୁ ଦେଶର ନାଗରିକଙ୍କୁ ଆମେ ୩୫ ବର୍ଷ ହେଲା ସେବା ଯୋଗାଇ ଦେଇ ଆସୁଛୁ। ଆମ ରେଷ୍ଟୁରାଣ୍ଟ ସମସ୍ତଙ୍କ ପାଇଁ। ଏଠାକୁ ଆସି ଗ୍ରାହକମାନେ ଘର ଭଳି ସୁବିଧା ପାଇବେ। ଜଣେ ମ୍ୟାନେଜରଙ୍କ ଭୁଲ ପାଇଁ ଏତେ ବଡ଼ ଘଟଣା ଘଟିଛି। ଜଣେ ବ୍ୟକ୍ତି ଆମ ରେଷ୍ଟୁରାଣ୍ଟର ପୂରା ପରିଚୟ ନୁହନ୍ତି।”
ଏତେ ସବୁ ସତ୍ତ୍ୱେ ବିଟିଇଏ ପକ୍ଷରୁ ରେଷ୍ଟୁରାଣ୍ଟକୁ ବନ୍ଦ କରାଯାଇଛି। ଏଥିସହ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି।

nis-ad
Leave A Reply

Your email address will not be published.