ଦୁଇ ଦିନରେ ବେଙ୍ଗଲରୁ ମିଳିଲାଣି ୨୦୦ରୁ ଅଧିକ ଜୀବନ୍ତ ବୋମା

କୋଲକାତା : ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରୁ ମାତ୍ର ଦୁଇ ଦିନ ଭିତରେ ୨୦୦ରୁ ଅଧିକ ଜୀବନ୍ତ ବୋମା ଠାବ ହେଲାଣି। ରାଜ୍ୟରୁ ଏଭଳି ବୋମା ମିଳୁଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ ଷଡ଼ଯନ୍ତ୍ରର ଆଶଙ୍କା କରିଛନ୍ତି। ଏଥିସହ ସେ ପୁଲିସ୍‌କୁ ବିଭିନ୍ନ ସ୍ଥାନରେ ସର୍ଚ୍ଚଅପରେସନକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ୍ ସର୍ଚ୍ଚ ଅପରେସନ କରୁଥିବା ବେଳେ ମୁର୍ଶିଦାବାଦରୁ ଆଜି ପୁଣି ୪୧ଟି ଜୀବନ୍ତ ବୋମା, ବିଭିନ୍ନ ପ୍ରକାରର ଅସ୍ତ୍ର ଓ ଗୁଳିଗୋଳା ମିଳିଛି।
ରବିବାର ସକାଳେ ପୁଲିସ୍‌ ରେଜିନଗର ଅଧୀନରେ ଥିବା ଗୋଟିଏ ଚାଷ ଜମିରୁ ତିନୋଟି ଡ୍ରମରେ ପୋତା ଯାଇଥିବା ବୋମା ଜବତ କରିଛି। ବୋମା ମିଳିବା ପରେ ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି। ସେହିପରି ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଧରପଗଡ଼ ଜୋରଦାର କରାଯାଇଛି। ଖବର ପାଇ ବୋମା ନିଷ୍କ୍ରିୟ ସ୍କ୍ୱାଡକୁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।
ରେଜିନଗର ପୁଲିସର କହିଛି ଯେ ତିନୋଟି ଡ୍ରମରେ ମୋଟ ୩୧ଟି ଜୀବନ୍ତ ବୋମା ରହିଥିଲା। ବୋମା ନିଷ୍କ୍ରିୟ ସ୍କ୍ୱାଡ ଘଟଣାସ୍ଥଳରେ ପହଞ୍ଚି ଏଗୁଡ଼ିକୁ ନଷ୍ଟ କରିଥିଲେ। ଏହାବାଦ ନଜରନାର ଗୋଟିଏ କଦଳୀ ଚାଷ କ୍ଷେତରୁ ୧୦ଟି ଜୀବନ୍ତ ସକେଟ ବୋମା ଉଦ୍ଧାର କରାଯାଇଛି। ଏହାବାଦ ହରିନଡଙ୍ଗାରୁ ତିନୋଟି ବୋମା, ଗୋଟିଏ ସଟର ପାଇପ୍ ବନ୍ଧୁକ ଓ ଚାରିଟି କାର୍ଟ୍ରିଜ୍ ମଧ୍ୟ ମିଳିଛି। ଏହି ଘଟଣାରେ ପୁଲିସ୍ ଆର୍ମସ୍ ଆକ୍ଟ ବଳରେ ମାମଲା କରି ପ୍ରତାପ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ଅନ୍ୟପକ୍ଷରେ ହିଂସା କ୍ଷତିଗ୍ରସ୍ତ ବୀରଭୂମିର ବିଭିନ୍ନ ସ୍ଥାନରୁ ଇତି ମଧ୍ୟରେ ୧୭୦ଟି ଜୀବନ୍ତ ବୋମା ମିଳିଲାଣି। ଗୋଟିଏ ଦିନ ପୂର୍ବରୁ ବୀରଭୂମି ଜିଲ୍ଲାର ରାମପୁରହାଟରୁ ୪୦ଟି ଦେଶୀ ବୋମା ମିଳିଥିଲା। ବୋମା ଗୁଡ଼ିକୁ ୪ଟି ବାଲଟିରେ ଭର୍ତ୍ତି କରି ଗୋଟିଏ ନିର୍ମାଣାଧୀନ କୋଠାର ପଛ ପାଖରେ ରଖାଯାଇଥିଲା। ଏବେ ପୁଲିସ୍ ଏହାର ତଦନ୍ତ କରୁଛି। ପୁଲିସ୍ ସୂତ୍ର ଅନୁସାରେ, ଶୁକ୍ରବାର ଠାରୁ ଇତି ମଧ୍ୟରେ ବୀରଭୂମିରୁ ମୋଟ ୧୭୦ଟି ବୋମା ଜବତ ହୋଇଛି। ଏସବୁ ଘଟଣା ପଶ୍ଚିମବଙ୍ଗ ସମେତ ପୂରା ଦେଶର ଲୋକଙ୍କ ହୋସ ଉଡ଼ାଇ ଦେଇଛି।
ସୂଚନାଯୋଗ୍ୟ, ମାର୍ଚ୍ଚ ୨୨ରେ ରାଜନୀତିକ ହିଂସାକାଣ୍ଡରୁ ବୀରଭୂମିର ରାମପୁରହାଟରେ କିଛି ଦୁର୍ବୃତ୍ତ ୫ରୁ ଅଧିକ ଘରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ପୋଡ଼ି ହୋଇ ସଂଖ୍ୟାଲଘୁ ସଂପ୍ରଦାୟର ୮ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ୨ ଶିଶୁ ଓ ନବ ଦମ୍ପତି ମଧ୍ୟ ଥିଲେ। ସମସ୍ତଙ୍କୁ ପୋଡ଼ି ମାରିବା ପୂର୍ବରୁ ମାଡ଼ ମରାଯାଇଥିଲା ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।
ଏହି ନରସଂହାର ଘଟଣାର ତଦନ୍ତ ସିବିଆଇ କରୁଛି। ସିବିଆଇ ତଦନ୍ତ ଦାୟିତ୍ୱ ହାତକୁ ନେବା ସହ ୨୧ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ଏଫଆଇଆରରେ ସିବିଆଇ ଦର୍ଶାଇଛି ଯେ ଟିଏମସି ନେତା ଶେଖ ବାବୁଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଏପରି ଘଟଣା ଘଟିଛି। ଘଟଣା ଘଟିବାର ଗୋଟିଏ ଦିନ ପୂର୍ବରୁ ଶେଖ ବାବୁଙ୍କୁ ବୋମା ମାଡ଼ କରାଯାଇଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହପରେ ୭୦ରୁ ୮୦ ଜଣ ଲୋକ ମିଳିତ ଭାବେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକଙ୍କ ଘର ଉପରେ ଆକ୍ରମଣ କରିଥିଲେ।

nis-ad
Leave A Reply

Your email address will not be published.