ଶ୍ରୀଲଙ୍କା ସ୍ଥିତି ଭୟଙ୍କର, ତାମିଲନାଡୁ ମୁହାଁ ଲୋକେ

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ବିଜୁଳିର ଅଭାବ ଦେଖାଯାଇଥିବା ବେଳେ ଲୋକମାନେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି। ପେଟ୍ରୋଲ ଓ ଡିଜେଲ ଅଭାବରୁ ଦେଶରେ ହାହାକାର ସ୍ଥିତି ଦେଖାଗଲାଣି।
ଏହାକୁ ବିରୋଧ କରି ସାରା ଦେଶରେ ଏବେ ଆନ୍ଦୋଳନ ଚାଲିଛି। ଏସବୁ ଭିତରେ ଅନେକ ଲୋକ ଖାଦ୍ୟାଭାବରୁ ଶ୍ରୀଲଙ୍କା ଛାଡ଼ି ଭାରତର ତାମିଲନାଡୁ ମୁହାଁ ମଧ୍ୟ ହେଲାଣି। ବର୍ତ୍ତମାନ ଶ୍ରୀଲଙ୍କାରେ କ୍ଷୀର ଓ ରୁଟି ମିଳୁନାହିଁ। ପେଟ୍ରୋଲ ଓ ଡିଜେଲ ପାଇଁ ୨ କିମି ଯାଏ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କାରେ ରହୁଥିବା ତାମିଲ ପରିବାର ବେଆଇନ ଭାବେ ଭାରତରେ ପ୍ରବେଶ କରୁଛନ୍ତି।
ଭାରତୀୟ ତଟରକ୍ଷୀ ବାହିନୀ ମଙ୍ଗଳବାର ୮ ଜଣ ଶିଶୁଙ୍କ ସହ ୧୬ ଜଣ ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କରିଛନ୍ତି। ଏମାନେ ସମସ୍ତେ ଜାଫନା ଓ କୋକୁପାଡାଇୟାନ ଅଞ୍ଚଳର ଲୋକ। ସେମାନେ ଶରଣାର୍ଥୀ ଭାବେ ଭାରତରେ ପ୍ରବେଶ କରିଥିବା ବେଳେ ସେମାନଙ୍କୁ ରାମେଶ୍ୱରମ ଓ ଧନୁଶକୋଡିଜେଟୀରୁ ଉଦ୍ଧାର କରାଯାଇଛି।
ମଙ୍ଗଳବାର ୧୦.୩୦ରେ ପ୍ରଥମେ ୬ ଜଣ ଶରଣାର୍ଥୀଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ବାକି ୧୦ ଜଣଙ୍କୁ ଠାବ କରାଯାଇଛି। ଭାରତ ଚାଲି ଆସିଥିବା ୧୬ ଜଣଙ୍କ ମଧ୍ୟରୁ ୨ ଜଣ ପୂର୍ବରୁ ତାମିଲନାଡୁରେ ଥିବା ଶରଣାର୍ଥୀ କ୍ୟାମ୍ପରେ ରହୁଥିଲେ। ପରବର୍ତ୍ତୀ ଅବସ୍ଥାରେ ସେମାନେ ଶ୍ରୀଲଙ୍କା ଚାଲି ଯାଇଥିଲେ। ଏବେ ପୁଣି ସେମାନେ ତାମିଲନାଡୁର ଶରଣାର୍ଥୀ କ୍ୟାମ୍ପକୁ ଫେରିଛନ୍ତି। ଶ୍ରୀଲଙ୍କା ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବାରୁ ଆଗକୁ ଆହୁରି ଅନେକ ପରିବାର ଭାରତ ମୁହଁ ହେବାର ସମ୍ଭାବନା ଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି।
୧୯୮୦ ସିଭିଲ ୱାର ବେଳେ ପୂରା ବିଶ୍ୱ ତାମିଲ ଶରଣାର୍ଥୀ ସଙ୍କଟ ଦେଖିଥିଲା। ଆଜିକା ଦିନରେ ମଧ୍ୟ ତାମିଲନାଡୁରେ ହୋଇଥିବା ୧୦୭ କ୍ୟାମ୍ପରେ ୬୦ ହଜାର ଶରଣାର୍ଥୀ ରହୁଛନ୍ତି। କ୍ୟାମ୍ପ ବାହାରେ ୩୦ ହଜାର ଲୋକ ଆଶ୍ରୟ ନେଇଛନ୍ତି।
୨୪ ବର୍ଷୀୟ ଆର ଗଜେନ୍ଦ୍ରନ, ତାଙ୍କ ପତ୍ନୀ ମ୍ୟାରୀ କ୍ଲାରିନ ଓ ସେମାନଙ୍କର ୪ ମାସର ପୁଅ ନିଜତ ଶ୍ରୀଲଙ୍କାର ମାନ୍ନାରରେ ଗୋଟିଏ ଡଙ୍ଗା ଧରିଥିଲେ। ଏହି ଡଙ୍ଗାରେ ଡୋରୀ ଅନିଷ୍ଟୋନ ଓ ତାଙ୍କର ଦୁଇ ପିଲା ମଧ୍ୟ ରହିଥିଲେ। ସମସ୍ତେ ସମୁଦ୍ର ପଥରେ ଭାରତରେ ଶରଣାର୍ଥୀ ଭାବେ ରହିବାକୁ ଚାଲି ଆସିଛନ୍ତି।
ଗଜେନ୍ଦ୍ରନ, ମ୍ୟାରୀ ଓ ଡୋରୀ କହିଛନ୍ତି, ଶ୍ରୀଲଙ୍କାରେ ସେମାନଙ୍କ ପାଖରେ ଏବେ କୌଣସି ଚାକିରି ନାହିଁ। କ୍ଷୀର ଓ ବ୍ରେଡର ଦାମ ପୂର୍ବାପେକ୍ଷା ୩ ଗୁଣ ବଢ଼ି ଯାଇଛି। ଏହି କାରଣରୁ ସେମାନେ ନିଜ ପିଲାମାନଙ୍କୁ ଠିକ୍‌ ଭାବେ ଖାଇବାକୁ ଦେଇ ପାରୁ ନଥିଲେ। ତେଲ ପାଇଁ ୨ କିମି ଲମ୍ବା ଲାଇନ ଲାଗୁଛି। ସେମାନେ ପୂରା ଦିନ କେବଳ ପାଣି ସଂଗ୍ରହ କରିବାରେ ଅତି ବାହିତ କରୁଛନ୍ତି। ଏଲପିଜି ସିଲିଣ୍ଡର ମିଳୁ ନଥିବାରୁ ସେମାନେ ରୋଷେଇ ମଧ୍ୟ କରି ପାରୁ ନଥିବା କହିଛନ୍ତି।
ଅନ୍ୟପକ୍ଷରେ ପୁଲିସ କହିଛି ଯେ ଡଙ୍ଗା ଚାଳକ ଏମାନଙ୍କ ଠାରୁ ୫୦ ହଜାର ଟଙ୍କା ନେଇଥିଲେ। ଏହାପରେ ମଧ୍ୟରାତ୍ରରେ କୂଳରେ ଛାଡ଼ି ଚାଲି ଯାଇଥିଲେ। ପୁଲିସ ସମସ୍ତଙ୍କୁ ନିଜ ହେପାଜତକୁ ନେଇଛି ଓ ସେମାନଙ୍କୁ ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯିବ ବୋଲି ସୂଚନା ଦେଇଛି।

nis-ad
Leave A Reply

Your email address will not be published.