ଲୋକସଭା ପରେ ରାଜ୍ୟସଭାରେ କଂଗ୍ରେସ ହରାଇପାରେ ମୁଖ୍ୟ ବିରୋଧି ଦଳ ମାନ୍ୟତା

ନୂଆଦିଲ୍ଲୀ : ଲୋକସଭା ପରେ ରାଜ୍ୟସଭାରେ ମଧ୍ୟ ବିରୋଧି ଦଳ ମାନ୍ୟତା ହରାଇବାକୁ ଯାଉଛି କଂଗ୍ରେସ । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଗଠନ ହେବା ପରଠାରୁ କଂଗ୍ରେସ ପାଇଁ କାଳଦିନ ଆବାହନ ହୋଇଯାଇଛି । କଂଗ୍ରେସର ରାଜନୈତିକ ଗ୍ରାଫ୍ ତଳମୁହାଁ ଘଟିଛି । ଏମତି ତଳକୁ କଂଗ୍ରେସ ଖସିବାରେ ଲାଗିଛି ଯେ, ଉଠାଇବାକୁ ଦଳର ନେତା ସତ ଚେଷ୍ଟା କରିବା ସ୍ୱତେ ମଧ୍ୟ ବିଫଳ ହେଉଛନ୍ତି । ନିକଟରେ ପାଞ୍ଚ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ମଧ୍ୟ ସଦ୍ୟ କଂଗ୍ରେସକୁ ପୁଣି ଏକ ଧକ୍କା ଦେଇଛି । ଅର୍ଥାତ ଏହି ନିର୍ବାଚନରେ କୌଣସି ସ୍ଥାନରେ ମଧ୍ୟ କଂଗ୍ରେସ ସରକାର ଗଢିବାକୁ ସମର୍ଥନ ହୋଇ ପାରିଲା ନାହିଁ । ପଞ୍ଜାବରେ ସରକାର ଥିବାବେଳେ ଦଳର ନେତାଙ୍କ କ୍ଷମତା ଳୋଭ ପାଇଁ ପଞ୍ଜାବରେ ମୂଳ ପୋଛ ହୋଇଗଲା ହାତ ।
ଚଳିତ ବର୍ଷ ଅର୍ଥାତ ୨୦୨୨ ମସିହାରେ ଅନେକ ରାଜ୍ୟରେ ପର୍ଯ୍ୟାୟକ୍ରମେ ୭୫ଟି ରାଜ୍ୟସଭା ସିଟକୁ ନେଇ ନିର୍ବାଚନ ହେବ । ତେବେ ଏହି ପରୋକ୍ଷ ନିର୍ବାଚନରେ କଂଗ୍ରେସର ସ୍ଥିତି ରାଜ୍ୟସଭାରେ ବିପର୍ଯ୍ୟୟ ହୋଇପଡିବା ସ୍ପଷ୍ଟ ଦୃଶ୍ୟମାନ । କାରଣ ଲୋକସଭାରେ ମଧ୍ୟ କଂଗ୍ରେସ ଦଳ ବିରୋଧି ଦଳ ପଦ ହାତେଇବାରେ ଅକ୍ଷମ ହୋଇଛି । ସାତ ଦଶନ୍ଧୀ ଧରି ସରକାରରେ ଗାଦିସୀନ ଥିବା କଂଗ୍ରେସର ଏପରି ବିପର୍ଯ୍ୟୟ ଇତିହାସରେ କେବେ ମଧ୍ୟ ଘଟିନଥିଲା । ୨୦୧୪ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିଥିଲା । ପରବର୍ତ୍ତୀ ସମୟରେ ଲଗାତାର ସଫଳତା ହାସଲ କରିବାରେ ସକ୍ଷମ ହୋଇଛି ଭାରତୀୟ ଜନତା ପାର୍ଟି । ଅର୍ଥାତ ପରେକ୍ଷରେ କହିବାକୁ ଗଲେ କଂଗ୍ରେସର ଅବସ୍ଥା ଦିନକୁ ଦିନ ବପର୍ଯ୍ୟସ୍ତ ହୋଇଛି । ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଥିଲା । ଲୋକସଭାରେ ବିରୋଧି ଦଳର ଭୂମିକାରେ ରହିପାରିନଥିଲା କଂଗ୍ରେସ । ତେବେ ଏହାର ପରବର୍ତ୍ତୀ ଅବସ୍ଥାରେ ସଂସଦରେ କଂଗ୍ରେସ ପୁନର୍ବାର ସଂକଟଜନକ ସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛି ।
ସଂସଦରେ ସରକାରର ପ୍ରତିପକ୍ଷ ସେହି ଦଳ ହୋଇପାରିବ, ଯେଉଁ ଦଳ ପାଖରେ ସମୁଦାୟ ଆସନର ୧୦ ପ୍ରତିଶତ ଆସନ ରହିଥିବ । ନିକଟରେ ସମାପ୍ତ ହୋଇଥିବା ନିର୍ବାଚନରେ କଂଗ୍ରେସ ସେତିକି ସଫଳତା ହାସଲ କରିନାହିଁ ଯେ, ଯାହା ଫଳରେ ରାଜ୍ୟସଭାରେ ବିରୋଧି ଦଳ ପଦରେ ଅଭିସିକ୍ତ ହେବାକୁ ସକ୍ଷମ ହେବ । ଚଳିତ ବର୍ଷ ରାଜ୍ୟସଭାରେ ୭୫ଟି ଆସନ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ । ଦେଖିବାକୁ ଗଲେ କଂଗ୍ରେସ ପାଖରେ ବର୍ତ୍ତମାନ ରହିଛି ୩୪ ଆସନ । ସେପଟେ ଯଦି ଏହି ସଂଖ୍ୟା ହ୍ରାସ ଘଟି ୨୫ କିମ୍ବା ୨୫ ତଳକୁ ଖସିଆସେ ତେବେ କଂଗ୍ରେସ ରାଜ୍ୟସଭାରେ ବିରୋଧି ଦଳ ପଦ ହରାଇପାରେ । ତେବେ ସଦ୍ୟ ସରିଥିବା ପଞ୍ଜାବରେ କଂଗ୍ରେସର ପରାଜୟ ପରେ ଏହି ଆସନ ସଂଖ୍ୟା ହ୍ରାସ ଘଟିବା ନେଇ ସ୍ପଷ୍ଟ ହୋଇଛି ।

କାରଣ ପଞ୍ଜାବରେ ଆମ ଆଦମୀ ପାର୍ଟି ୯୨ଟି ଆସନରେ ବିଜୟୀ ହେବା ସହ ସରକାର ଘଢିବାରେ ସକ୍ଷମ ହୋଇଛି । ସତ୍ତାରେ ଥିବା କଂଗ୍ରେସ ରାଜ୍ୟରେ ୧୭ ଆସନରେ ସିମୀତ ରହିଛି । ତେଣୁ ପଞ୍ଜାବରେ ସଂଖ୍ୟା ଦୃଷ୍ଟିରୁ ଆମ ଆଦମୀ ପାର୍ଟି ୫ ଜଣ ସଦସ୍ୟଙ୍କୁ ରାଜ୍ୟସଭାକୁ ପଠାଇବାରେ ସକ୍ଷମ ହେବ । ସଦ୍ୟ ସୂଚନା ମୁତବାକ ଆପ୍ ୫ଜଣ ସଦସ୍ୟଙ୍କ ନାମ ରାଜ୍ୟସଭା ନିମନ୍ତେ ଘୋଷଣା କରିସାରିଛି । ଯେଉଁ ତାଲିକାରେ କ୍ରିକେଟର ହରଭଜନ ସିଂଙ୍କ ସମେତ ଯୁବନେତା ତଥା ଦିଲ୍ଲୀରୁ ବିଧାୟକ ଥିବା ରାଘବ ଚଢା ରହିଛନ୍ତି । ସେହିପରି ଶିକ୍ଷାବୀତ, ଶିଳ୍ପବୀତଙ୍କୁ ରାଜ୍ୟସଭା ପଠାଇବା ନିମନ୍ତେ ଆମ ଆଦମୀ ପାର୍ଟି ଘୋଷଣା କରିଛି । ଅନ୍ୟପଟେ ଅନ୍ୟ ୪ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟ ଆଖି ଦୃଶିଆ ସଫଳତା ହାସଲ କରିନାହିଁ କଂଗ୍ରେସ । ଉତ୍ତରାଖଣ୍ଡ ଏବଂ ଗୋଆରେ କଂଗ୍ରେସ ସରକାର ଗଢିବାକୁ ନେଇ ଘୋଷଣା କରିଥିବାବେଳେ ସେଠାରେ ମଧ୍ୟ ବିଜେପି ଉଡାଇଥିଲା ଧ୍ୱଜା ।

ଭାରତୀୟ ସମ୍ବିଧାନ ମୁତାବିକ ରାଜ୍ୟସଭାକୁ ୨୫୦ ସଦସ୍ୟ ନିର୍ବାଚିତ ହେବାର ବ୍ୟବସ୍ଥା ରହିଛି । ଯେଉଁଥିରେ ୨୩୮ ଜଣ ନିର୍ବାଚିତ ହେବାକୁ ଥିବାବେଳେ ୧୨ଜଣଙ୍କୁ ମହାମହିମ ରାଷ୍ଟ୍ରପତି ମନୋନୀତ କରିଥାନ୍ତି । ରାଜ୍ୟସଭା ନିର୍ବାଚନ ପରୋକ୍ଷ ଭାବେ ଅନୁଷ୍ଠିତ ହୋଇଥାଏ । ଅର୍ଥାତ ସାଧାରଣ ଲୋକ ଯଦି ବା ଏହି ନିର୍ବାଚନରେ ଆଂଶଗ୍ରହଣ କରିନଥାନ୍ତି, କିନ୍ତୁ ନିର୍ବାଚିତ ବିଧାୟକ ମାନେ ରାଜ୍ୟସଭା ସଦସ୍ୟଙ୍କୁ ନିର୍ବାଚିତ କରିଥାନ୍ତି । ସଦ୍ୟ ସମାପ୍ତ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ ରାଜ୍ୟସଭାର ୧୩ଟି ଆସନ ନେଇ ମାର୍ଚ୍ଚ ୩୧ରେ ଅନୁଷ୍ଠିତ ହେବ ନିର୍ବାଚନ । ଏହି ୧୩ଟି ଆସନ ମଧ୍ୟରୁ ପଞ୍ଜାବରୁ ୫ଟି ରହିଥିବାବେଳେ ଆସାମରୁ ରହିଛି ୨ଟି । ସେହିପରି ହିମାଚଳ ପ୍ରଦେଶରୁ ୧, କେରଳରୁ ୩, ନାଗାଲ୍ୟାଣ୍ଡ ଏବଂ ତ୍ରିପୁରାରରୁ ଗୋଟିଏ ଗୋଟିଏ ରହିଛି । ସେହିପରି ଓଡିଶା, ଉତ୍ତରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ଏବଂ ବିହାରରେ ମଧ୍ୟ ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି । ତେବେ ଏ ସମସ୍ତ ରାଜ୍ୟର ସ୍ଥିତିକୁ ଦେଖିଲେ ଏହା ସ୍ପଷ୍ଟ ହେବାକୁ ଯାଉଛି ଯେ, ରାଜସ୍ଥାନକୁ ଛାଡିଦେଲେ ଅନ୍ୟ ସମସ୍ତ ରାଜ୍ୟରେ କଂଗ୍ରେସ ରାଜ୍ୟସଭାକୁ ସଦସ୍ୟ ପଠାଇବା ନିମନ୍ତେ ସକ୍ଷମ ନୁହେଁ ।

nis-ad
Leave A Reply

Your email address will not be published.