ପୁଣି ଗୋଆ ମୁଖ୍ୟମନ୍ତ୍ରୀ ହେବେ ପ୍ରମୋଦ ସାୱନ୍ତ

ପାଣାଜୀ: ସବୁ ସସପେନ୍ସରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଗୋଆର ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବେ ପ୍ରମୋଦ ସାୱନ୍ତ। ଆଜି ଏନେଇ ବିଜେପି ତରଫରୁ ଘୋଷଣା କରାଯାଇଛି। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାର ନିର୍ବାଚନରେ ବିଜେପି ଏକାକୀ ୨୦ ଆସନ ଜିତି ସର୍ବବୃହତ୍ତ ଦଳର ମାନ୍ୟତା ପାଇଛି।
ହେଲେ ଏହି ସଂଖ୍ୟା ମ୍ୟାଜିକ ନମ୍ବର ୨୧ ଠାରୁ ଗୋଟିଏ କମ। ଏପରି ସ୍ଥିତିରେ ୩ ଜଣ ସ୍ୱାଧୀନ ବିଧାୟକ ଓ ଏମଜିପିର ୨ ଜଣ ବିଧାୟକ ବିଜେପିକୁ ସମର୍ଥନ କରିଛନ୍ତି। ତେଣୁ ବିଜେପି ପାଖରେ ୨୫ ବିଧାୟକଙ୍କ ସମର୍ଥନ ରହିଥିବାରୁ ଦଳ ଗୋଆରେ ସରକାର ଗଠନ କରିବା ଏକ ପ୍ରକାରର ସ୍ପଷ୍ଟ ହୋଇଥିଲା।
ତେବେ ଏଠାରେ କିଏ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପ୍ରମୋଦ ସାୱନ୍ତ ରେସରେ ଆଗରେ ରହିଥିଲେ। ଏପରି କି ସେ ଦିଲ୍ଲୀ ଯାଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ଭେଟିଥିଲେ। ହେଲେ ବିଜେପିର ଅନ୍ୟତମ ବରିଷ୍ଠ ନେତା ବିଶ୍ୱଜିତ ରାଣେ ବି ମୁଖ୍ୟମନ୍ତ୍ରୀ ହେବାକୁ ଗୋଡ଼ ଟେକି ଥିବା ଖବର ମିଳିଥିଲା।
ଅବଶ୍ୟ ସେ ସିଧାସଳଖ ଏ ବିଷୟରେ କିଛି ବି କହି ନଥିଲେ। କିନ୍ତୁ ତାଙ୍କ ପତ୍ନୀ ଦିବ୍ୟା ମୁଖ୍ୟମନ୍ତ୍ରୀ ହେବାକୁ ସବୁ ନେତା ଚାହାନ୍ତି ବୋଲି କହିବା ପରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଥିଲା। ଏସବୁ ଭିତରେ ବିଜେପି ହାଇକମାଣ୍ଡ ପ୍ରମୋଦ ସାୱନ୍ତଙ୍କୁ ଦ୍ୱିତୀୟ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ଶେଷରେ ଆଜି ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୋଦ ସାୱନ୍ତଙ୍କ ନାଁ ଉପରେ ମୋହର ବାଜିଛି।
ଗୋଆ ନିର୍ବାଚନ ଫଳାଫଳ ପ୍ରକାଶକୁ ଇତି ମଧ୍ୟରେ ୧୧ ଦିନ ବିତି ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ଜାରି ରହିଥିଲା। ଶେଷରେ ବିଧାୟକ ଦଳ ବୈଠକରେ ସର୍ବସମ୍ମତି କ୍ରମେ ପ୍ରମୋଦ ସାୱନ୍ତ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ସେ ହିଁ ଗୋଆର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

nis-ad
Leave A Reply

Your email address will not be published.