ରାଜ୍ୟସଭାକୁ ଯିବେ ହରଭଜନ ସିଂହ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ହରଭଜନ ସିଂହ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଚଳିତ ବର୍ଷ ସେ ରାଜ୍ୟସଭାକୁ ଯିବେ। ତାଙ୍କୁ ପଞ୍ଜାବରେ କ୍ଷମତାଦଖଲ କରିଥିବା ଆମ୍‌ ଆଦମୀ ପାର୍ଟି(ଆପ୍‌) ରାଜ୍ୟସଭାକୁ ପଠାଇବ। ସେ ଆପ୍‌ର ରାଜ୍ୟସଭା ପ୍ରାର୍ଥୀ ହେବେ ବୋଲି ଆଜି ଦଳ ପକ୍ଷରୁ ଘୋଷଣା କରାଯାଇଛି।
ଚଳିତ ମାସ ଶେଷ ଭାଗରେ ଆପ୍‌ ପଞ୍ଜାବରୁ ୫ ଜଣଙ୍କୁ ରାଜ୍ୟସଭାକୁ ପଠାଇବାର ସୁଯୋଗ ପାଇବ। ଏହି ୫ ସଦସ୍ୟଙ୍କ ମଧ୍ୟରେ ହରଭଜନ ସିଂହ ରହିଛନ୍ତି। ବାକି ୪ ଜଣଙ୍କ ନାଁ ଦଳ ପକ୍ଷରୁ ସାର୍ବଜନୀନ କରାଯାଇନି। ଏହାବାଦ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଭଗୱନ୍ତ ମାନ ଆଉ ଗୋଟିଏ ବଡ଼ ଦାୟିତ୍ୱ ମଧ୍ୟ ଭଜିଙ୍କୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେ ରାଜ୍ୟରେ ଥିବା ଗୋଟିଏ କ୍ରୀଡ଼ା ବିଶ୍ୱବିଦ୍ୟାଳୟର କମାଣ ହରଭଜନଙ୍କୁ ହସ୍ତାନ୍ତର କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ମାନ ଜଲନ୍ଧରରେ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବେ ବୋଲି କହିଥିଲେ। ତେଣୁ ଉକ୍ତ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ଭଜିଙ୍କୁ ମିଳିବ।
ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ହରଭଜନ ଓ ଯୁବରାଜ ସିଂହ ବିଜେପିରେ ମିଶିବେ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏପରି କି କିଛି ବିଜେପି ନେତା ମଧ୍ୟ ଏହି ଖବରରେ ସତ୍ୟତା ଥିବା କହିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ଭଜି ଏହାକୁ ଖଣ୍ଡନ କରିଥିଲେ।

ହରଭଜନଙ୍କ ରାଜନୀତିକ ଇନିଂସକୁ ନେଇ ଗୁଜବ ଏହି ଠାରେ ସମାପ୍ତ ହୋଇ ନଥିଲା। ସେ ତତ୍କାଳୀନ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ସହ ଗୋଟିଏ ଫଟୋ ଉଠାଇଥିଲେ। ତେଣୁ ସେ କଂଗ୍ରେସରେ ମିଶିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

ଏହି ଚର୍ଚ୍ଚା ଭିତରେ ପଞ୍ଜାବ ବିଧାନସଭା ନିର୍ବାଚନ ଶେଷ ହେବା ସହ ରେଜଲ୍ଟ ପ୍ରକାଶ ପାଇ ସାରିଛି। ଏବେ ଆପ୍‌ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣି ଭଜିଙ୍କୁ ନିଜ କ୍ୟାମ୍ପକୁ ଆଣିଛି। ଏଥିସହ ଦଳ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବ ବୋଲି ଘୋଷଣା କରିଛି।

nis-ad
Leave A Reply

Your email address will not be published.