୨୦୨୨ର ପ୍ରଥମ ବାତ୍ୟା ଅସନି, ୨୧ରେ ସ୍ଥଳ ଭାଗରେ ମାଡ଼ ହେବ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ସାମୁଦ୍ରିକ ଝଡ଼ ସ୍ଥଳ ଭାଗ ଆଡ଼କୁ ଧୀରେଧୀରେ ମାଡ଼ି ଆସୁଛି। ଏହି ବାତ୍ୟାର ନାଁ ଅସନି ରହିଛି। ଶ୍ରୀଲଙ୍କା ପକ୍ଷରୁ ଏହାର ନାମକରଣ କରାଯାଇଛି। ବାତ୍ୟା ଅସନି ଆସନ୍ତା ୨୧ ତାରିଖରେ ଆଣ୍ଡାମାନ ଓ ନିକୋବରରେ ଲ୍ୟାଣ୍ଡଫଲ କରିବ। ଏହାପରେ ଏହା ବାଂଲାଦେଶ ଓ ମିଆଁମାର ଆଡ଼େ ଯିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବିଭାଗର ସୂଚନା ଅନୁଯାୟୀ, ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୧ ତାରିଖ ସୁଦ୍ଧା ଏହା ଗୋଟିଏ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ। ଦକ୍ଷିଣ ବଙ୍ଗୋପସାଗରର ଉପରେ ଥିବା ଲଘୁଚାପ କ୍ଷେତ୍ରଟି ଧୀରେଧୀରେ ପୂର୍ବ-ଉତ୍ତରପୂର୍ବ ଦିଗରେ ଗତି କରୁଛି। ବର୍ତ୍ତମାନ ଏହା ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଭାରତ ମହାସାଗରର ପୂର୍ବ ଭାଗରେ ସମାନ୍ତରଳ ଭାବେ ରହିଛି।
ଏଠାରୁ ଏହା ପୂର୍ବ-ଉତ୍ତରପୂର୍ବ ଦିଗରେ ଗତି କରି ସ୍ପଷ୍ଟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାପରେ ଶନିବାର ସକାଳ ସୁଦ୍ଧା ସ୍ପଷ୍ଟ ଲଘୁଚାପ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ତମାନ ସମୁଦ୍ର ଉପରେ ପହଞ୍ଚିବ। ୨୦ ତାରିଖ ସକାଳ ସୁଦ୍ଧା ଏହା ଅବପାତର ରୂପ ନେଇ ଆଣ୍ତମାନ ଓ ନିକୋବର ଦ୍ୱୀପ ନିକଟରେ କେନ୍ଦ୍ରୀଭୂତ ହେବ। ମାର୍ଚ୍ଚ ୨୧ ବେଳକୁ ଅଧିକ ସକ୍ରିୟ ହୋଇ ବାତ୍ୟା ଅସନିର ରୂପ ନେବ।
ଆଣ୍ଡାମାନ ଓ ନିକୋବରେ ମାଡ଼ ହେବା ପରେ ବାତ୍ୟା ଅସନି ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ ଓ ୨୨ ତାରିଖ ସକାଳ ସୁଦ୍ଧା ବାଂଲାଦେଶ ଓ ଉତ୍ତର ମିଆଁମାର ନିକଟରେ ପହଞ୍ଚିବ।
ବାତ୍ୟା ଆସିବାକୁ ଥିଲେ ହେଁ ସୁମଦ୍ର ଅଶାନ୍ତ ହୋଇନାହିଁ। କିନ୍ତୁ ଆସନ୍ତା ୧୮ ତାରିଖ ବେଳକୁ ସମୁଦ୍ରରେ ବଡ଼ବଡ଼ ଜୁଆର ଆସିବାର ଆଶଙ୍କା ରହିଛି ବୋଲି ଭାରତୀୟ ପାଣିପାଗ ଆକଳନ କରିଛି।
ବାତ୍ୟା ଅସନି ଆଣ୍ଡାମାନ ଓ ନିକୋବରରେ ଲ୍ୟାଣ୍ଡଫଲ କରିବାକୁ ଥିବାରୁ ଏଠାରେ ଆଲର୍ଟ ଜାରି କରାଯାଇଛି। ସେହିପରି ଏଠାରେ ପ୍ରବଳରୁ ଅତି ପ୍ରବଳ ଓ ପବନର ବେଗ ମଧ୍ୟ ଅଧିକ ରହିପାରେ।

nis-ad
Leave A Reply

Your email address will not be published.