ବିଜେପିକୁ ମୁକାବିଲା କରିବା ପାଇଁ ସବୁ ରାଜନୈତିକ ଦଳ ଏକାଠି ହୋଇ କାମ କରିବା ଉଚିତ -ମମତା

କୋଲକାତା: ୫ ରାଜ୍ୟର ନିର୍ବାଚନ ଫଳାଫଳରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଯେଉଁ ପଞ୍ଜାବକୁ କଂଗ୍ରେସ ନିଜର ଗଡ ମାନୁଥିଲା ସେଠି ମଧ୍ୟ ମାଟି କାମୁଡିଛି। ତେଣୁ ୨୦୨୪ ସାଧାରଣ ନିର୍ବାଚନରେ ମୋଦି ସରକାରଙ୍କୁ ବିରୋଧି ୱାକ୍‌ ଓଭର ଦେବେ ନା ଜୋରଦାର ଲଢ଼େଇ କରିବେ, ସେ ନେଇ ଏବେ ଚାଲିଛି ମାନସମନ୍ଥନ। ବିଭିନ୍ନ ରାଜନୈତିକ ପଣ୍ଡିତ ଏବଂ ମିଡିଆ ରିପୋର୍ଟ ଅନୁଯାୟୀ କଂଗ୍ରେସ ଆଉ ବିଜେପି ସହ ମୁକାବିଲା କରିବା ସ୍ଥିତିରେ ନାହିଁ। ଏହାର ପ୍ରମୁଖ କାରଣ ଦଳ ଭିତରେ ଥିବା ଅନ୍ତଃକନ୍ଦଳ। ଅନ୍ୟପଟେ ଅଣବିଜେପି ଶାସିତ ରାଜ୍ୟ ମଧ୍ୟରେ ନେତୃତ୍ୱ ନେବାକୁ ଚାଲିଛି ଟଣାଓଟରା। ଏହାରି ଭିତରେ ବାରମ୍ବାର ମୋଦି ସରକାରଙ୍କ ଆଗରେ ପ୍ରମୁଖ ବିରୋଧୀ ବୋଲି ଦାବି କରୁଥିବା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ କିଭଳି ମୋଦି ସରକାରଙ୍କ ମୁକାବିଲା କରିହେବ ତାହା କହିଛନ୍ତି।
ସେ କହିଛନ୍ତି, ‘ମୁଁ ଭାବୁଛି ବିଜେପିକୁ ମୁକାବିଲା କରିବା ପାଇଁ ସବୁ ରାଜନୈତିକ ଦଳ ଏକାଠି ହୋଇ କାମ କରିବା ଉଚିତ। କଂଗ୍ରେସ ଉପରେ ନିର୍ଭର କରିବା ଦ୍ୱାରା କୌଣସି ଲାଭ ମିଳିବ ନାହିଁ। ବର୍ତ୍ତମାନ ସେ ଚାରିଆଡେ ହାରୁଛନ୍ତି। ସେ ବର୍ତ୍ତମାନ ଜିତିବାକୁ ଆଗ୍ରହୀ ନୁହଁନ୍ତି। ସେମାନଙ୍କର ବିଶ୍ୱସନୀୟତା ଚାଲିଯାଇଛି ଏବଂ ସେମାନଙ୍କ ଉପରେ ଆଉ ନିର୍ଭର କରିବାର କୌଣସି ଅର୍ଥ ନାହିଁ।’
ଦିଦିଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ କଂଗ୍ରେସ ତାଙ୍କୁ ସମାଲୋଚନା କରିଛି। କଂଗ୍ରେସ ନେତା ଅଧିର ରଞ୍ଜନ ତାଙ୍କୁ ଟାର୍ଗେଟ କରିବା ସହ ମମତାଙ୍କୁ ବିଜେପିର ଜଣେ ଏଜେଣ୍ଟ ବୋଲି କହିଛନ୍ତି। ସମଗ୍ର ଭାରତରେ କଂଗ୍ରେସର ଉପସ୍ଥିତି ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ବିରୋଧୀ ଦଳର ମୋଟ ୨୦ପ୍ରତିଶତ ଭୋଟ କଂଗ୍ରେସ ପାଖରେ ଅଛି। ରାଜନୀତିରେ ମମତାଙ୍କ ଦଳର ଏବେ ସ୍ଥିତି କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।
ସମଗ୍ର ଭାରତରେ କଂଗ୍ରେସର ୭୦୦ ଜଣ ବିଧାୟକ ଅଛନ୍ତି। ଦିଦଙ୍କ ପାଖରେ ଏତେ ସଂଖ୍ୟକ ବିଧାୟକ ଅଛନ୍ତି କି? ବିରୋଧୀ ଦଳର ମୋଟ ୨୦ପ୍ରତିଶତ ଭୋଟ କଂଗ୍ରେସ ପାଖରେ ଅଛି। ଏହା ତାଙ୍କ ଦଳ ପାଖରେ ଅଛି କି? ବିଜେପିକୁ ଖୁସି କରିବା ଏବଂ ଏହାର ଏଜେଣ୍ଟ ଭାବରେ କାର୍ଯ୍ୟ କରିବା ପାଇଁ ସେ(ଦିଦି) ଏହା କହୁଛନ୍ତି ବୋଲି କଂଗ୍ରେସ ନେତା କହିଛନ୍ତି।
ଦିଦିଙ୍କ ବୟାନକୁ ବିରୋଧ କରି ଲୋକସଭାରେ ବିରୋଧୀ ଦଳର ନେତା ଆଧୀର ରଂଜନ ଚୌଧୁରୀ ଆହୁରି କହିଛନ୍ତି ଯେ, ଗୋଆ କଂଗ୍ରେସକୁ ପରାସ୍ତ କରିବାକୁ ତ୍ରୁଣମୂଳ କଂଗ୍ରେସ ଯାଇଥିଲା। କଂଗ୍ରେସକୁ ବିରୋଧୀ ଦଳରୁ ଦୂରେଇ ରଖିବା ଉଚିତ ବୋଲି ସେ ଆଜି ଅପପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ-ମୁକ୍ତ ଭାରତ ବିଷୟରେ କହୁଛନ୍ତି ଏବଂ ଦିଦି କଂଗ୍ରେସ ବିନା ବିରୋଧୀ ଦଳର ମେଣ୍ଟ କଥା କହୁଛନ୍ତି।

nis-ad
Leave A Reply

Your email address will not be published.