ଚିଲିକା ବିଧାୟକ ଗାଡି ମଡାଇଦେବା ଘଟଣା; ମୋଟ ୨୪ ଆହତ: SP

ଖୋର୍ଦ୍ଧା: ଚିଲିକା ବିଧାୟକଙ୍କ ଗାଡ଼ି ଦୁର୍ଘଟଣାରେ ରକ୍ତ ରଞ୍ଜିତ ହୋଇଛି ବାଣପୁର । ଗୋଟେପଟେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ଧସେଇ ପଶିଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ । ଖବର ମୁତାବକ ବିଜେପି କର୍ମୀ ମଧ୍ୟ ବିଧାୟକଙ୍କ ଗାଡିକୁ ଚାରିପଟୁ ଘେରି ଯାଇତିଲେ । ସେହି ସମୟରେ ବିଧାୟକ କ୍ଷୀପ୍ର ବେଗରେ ଗାଡି ଭିଡ଼ ଭିତରକୁ ନେଇଯାଇଥିଲେ । ଫଳରେ ସେଠାରେ ଉପସ୍ଥିତ ପୋଲିସ କର୍ମୀ, ସାଧାରଣ ଜନତା, ବିଜେପି କର୍ମୀ ଏବଂ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି ।

ଖୋର୍ଦ୍ଧା ଏସପିଙ୍କ ସୂଚନା ମୁତାବିକ ବିଧାୟକଙ୍କ ଗାଡି ଧକ୍କାରେ ମୋଟ ୨୪ ଜଣ ଆହତ ହୋଇଛନ୍ତି । ୯ ଜଣ ପୋଲିସ କର୍ମଚାରୀ ଓ ୧୫ ଜଣ ଲୋକ ଆହତ ହୋଇଛନ୍ତି । ସେହିପରି ଦୁଇ ଜଣ ସାମ୍ବାଦିକ ମଧ୍ୟ ଘଟଣାରେ ଆହତ ହୋଇଥିବା ସୂଚନା ରହିଛି । ଆହତ ମାନଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି । ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଉତ୍ୟକ୍ତ ଲୋକଙ୍କ ରୋଷର ଶିକାର ମଧ୍ୟ ହୋଇଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ । ବିଜେପି କର୍ମୀ ଏବଂ ସେଠାରେ ଉପସ୍ଥିତ ଲୋକ ଚିଲିକା ବିଧାୟକଙ୍କୁ ତଳେ ପକାଇ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ବିଧାୟକଙ୍କ ଗାଡିକୁ ଭାଙ୍ଗି ଚୂରମାର କରିଦେଇଛନ୍ତି ।

ଘଟଣାରେ ବିଧାୟକ ପ୍ରଶାନ୍ତ ଜଗଦେବ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ପୋଲିସ ତାଙ୍କୁ ଉଦ୍ଧାର କରି ପ୍ରଥମେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ବିଧାୟକଙ୍କ ମୁଣ୍ଡରେ ୭ଟି ଷ୍ଟିଚ୍ ପଡ଼ିଥିବା ଜଣାପଡିଛି । ବାଣପୁର ଆଇଆଇସିଙ୍କ ଗୋଡରେ ମଧ୍ୟ ଗାଡି ଚଢି ଯାଇଥିଲା । ସେ ଏବେ ବାଣପୁର ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଦୁର୍ଘଟଣା ଘଟିଥିବା ଲୋକଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାବେଳେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ବାଣପୁରରେ ପହଁଛି ସ୍ଥିତି ଉପରେ ନଜର ରଖିଛନ୍ତି ।

nis-ad
Leave A Reply

Your email address will not be published.