ଇମ୍ରାନଙ୍କ ଭୂଗୋଳ ଜ୍ଞାନ : କାଠମାଣ୍ଡୁର ନେପାଳରେ ମୋଦିଙ୍କୁ ଭେଟିଥିଲେ ନଓ୍ବାଜ ସରିଫ

କରାଚୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଏପରି ଏକ କଥା କହିଦେଇଛନ୍ତି ଯେ ଲୋକମାନେ ହସି ହସି ବେଦମ ହୋଇଗଲେଣି । ସେ କହିଛନ୍ତି ଯେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ କାଠମାଣ୍ଡୁର ନେପାଳରେ ଗୋପନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ ।
ପାକିସ୍ତାନରେ ଅନୁଷ୍ଠିତ ଏକ ଜନସଭାରେ ଭାଷଣ ଦେବାବେଳେ ଇମ୍ରାନ କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ମୋଦୀଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଛନ୍ତି । କଶ୍ମୀରବାସୀଙ୍କ ଉପରେ ଅତ୍ୟାଚାର କରୁଥିବା ନରେନ୍ଦ୍ର ମୋଦୀଙ୍କୁ ସେ ନିଜ ପୁଅର ବିବାହରେ ଆମନ୍ତ୍ରିତ କରିଥିଲେ । ସେହିପରି ସେ ନିଜ ସେନାର ବିରୋଧରେ ଯାଇ କାଠମାଣ୍ଡୁର ନେପାଳରେ ଗୋପନରେ ମୋଦୀଙ୍କୁ ଭେଟିଥିଲେ ।
ଇମ୍ରାନ ଏପରି କହୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପାକିସ୍ତାନୀ ସାମ୍ବାଦିକା ନେଲା ଇନାୟତ ଏହାକୁ ଟ୍ବିଟ କରି ସେୟାର କରିଛନ୍ତି ।
ତେବେ ପ୍ରଥମ ଥର ପାଇଁ ଇମ୍ରାନ ଏପରି ଲୋକହସା ହେବା ପରି କଥା କହିନାହାନ୍ତି । ପୂର୍ବରୁ ମଧ୍ୟ ସେ ଅନେକ ଥର ଏପରି କଥା କହି ଲୋକହସା ହୋଇଛନ୍ତି । ଥରେ ସେ କହିଥିଲେ ଯେ ଜର୍ମାନୀର ସୀମା ଜାପାନକୁ ଲାଗିଛି । ସେହିପରି ଆଉ ଥରେ ସେ କହିଥିଲେ ଯେ ଆଫ୍ରିକା ହେଉଛି ଏକ ଦେଶ । ଏଥିରୁ ଇମ୍ରାନଙ୍କ ଭୂଗୋଳ ଜ୍ଞାନ କେତେ ତାହା ଜଣାପଡ଼ୁଛି ବୋଲି ସୋସିଆଲ ମିଡିଆରେ ଲୋକମାନେ ଲେଖିଛନ୍ତି ।

nis-ad
Leave A Reply

Your email address will not be published.