ସମିତିସଭ୍ୟା ଅପହରଣ ଅଭିଯୋଗ: ଥାନାରେ ମାମଲା

ଅସ୍ତରଙ୍ଗ:ପୁରୀ ଜିଲ୍ଲା ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ସମିତି ସଭ୍ୟା ଅପହରଣକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ବ୍ଲକ୍‌ର ୧୫ ଗ୍ରାମପଞ୍ଚାୟତ ମଧ୍ୟରୁ ଶାସକ ବିଜେଡି ସମର୍ôଥତ ୬ଜଣ ପ୍ରାର୍ଥୀ ବିଜୟଲାଭ କରିଥିବା ବେଳେ ବିରୋଧୀ ମିଳିତ ମେଣ୍ଟର ୯ଜଣ ବିଜୟୀ ହୋଇଛନ୍ତି ।

ଫଳରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ରୋଚକମୋଡ଼ରେ ପହଞ୍ଚିଛି । ତେବେ ବିରୋଧୀ ମିଳିତ ମେଣ୍ଟର ୯ଜଣ ସଭ୍ୟଙ୍କ ଅଜ୍ଞାତବାସକୁ ନେଇ ପରିସ୍ଥିତି ଭିନ୍ନରୂପ ଧାରଣ କରିଛି । ମଙ୍ଗଳବାର ପାଟଳଦା ଗ୍ରାମପଞ୍ଚାୟତର ସମିତି ସଭ୍ୟା ମନ୍ଦାକିନୀ ଛାଟୋଇଙ୍କୁ ଅପହରଣ ନେଇ ତାଙ୍କ ସ୍ୱାମୀ ଶ୍ରୀମାନ୍ ଛାଟୋଇ ଅସ୍ତରଙ୍ଗ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଦିବାକର ଛାଟୋଇଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ।

ଅସ୍ତରଙ୍ଗ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭକରିଥିଲା । ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ ମଲ୍ଲିକ, ରାମଚଣ୍ଡୀ ଥାନା ଅଧିକାରୀ ଶରତ ନାୟକ, ନିମାପଡ଼ା ଏସ୍‌ଡିପିଓ ଦେବାଶିଷ ମିଶ୍ର, କାକଟପୁର ଥାନା ଅଧିକାରୀ, କୋଣାର୍କ ମହିଳା ପୁଲିସ୍ ଏବଂ ଅସ୍ତରଙ୍ଗ ଥାନା ଅଧିକାରୀ ବାମଦେବ ନନ୍ଦ ସ୍ୱତନ୍ତ୍ର ଟିମ୍ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ସହିତ ଅପହୃତ ସମିତି ସଭ୍ୟାଙ୍କ ଅଭିଯୋଗ ଆଧାରରେ ପୂର୍ବତନ ସମିତି ସଭ୍ୟ ଦିବାକର ଛାଟୋଇଙ୍କ ଘରେ ମହିଳା ପୁଲିସ୍ ସହିତ ଚଢ଼ଉ କରିଥିଲେ । ତେବେ କୌଣସି ସୂତ୍ରରୁ ଖବର ପାଇ ସମିତି ସଭ୍ୟ/ସଭ୍ୟାମାନଙ୍କୁ ସମ୍ପୃକ୍ତ ସ୍ଥାନରୁ ଫେରାର କରାଯାଇଥିବା କୁହାଯାଉଛି । ଅପରପକ୍ଷରେ ବୁଧବାର ଅପହୃତ ସମିତି ସଭ୍ୟା ଶ୍ରୀମତୀ ଛାଟୋଇଙ୍କୁ ଉଦ୍ଧାର ପାଇଁ ପୁଲିସ୍ ଖାନତଲାସ୍ ଜାରି ରଖିଥିବା ବେଳେ ଶାସକ ବିଜେଡି କର୍ମୀ ଓ ବିରୋଧୀ ମିଳିତ ମେଣ୍ଟର ଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ଼ ଖବର ମିଳିଛି ।

ଉଭୟପକ୍ଷ ହାତାହାତି ହୋଇଛନ୍ତି । ଗଣ୍ଡଗୋଳରେ ଶାସକ ଦଳ କର୍ମୀ ତପନ ବସ୍ତିଆ ଗୁରୁତର ଆହତ ହୋଇଥିବାବେଳେ ରାକେଶ ମହାନ୍ତି, ମିଥୁନ ମହାନ୍ତି ଓ ପବିତ୍ର ମହାନ୍ତି ପ୍ରମୁଖ ସାମାନ୍ୟ ଆହତ ହୋଇଛନ୍ତି । ଆହତ ଶ୍ରୀ ବସ୍ତିଆଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରାଯାଇଛି । ଶ୍ରୀ ବସ୍ତିଆଙ୍କ ଅଭିଯୋଗକ୍ରମେ କେସ୍ ନଂ-୬୮/୨୨ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ଛାଟୋଇଙ୍କ ଘର ଉପରେ ମିଥ୍ୟା ଅଭିଯୋଗକ୍ରମେ ପୁଲିସ ଚଢ଼ଉ ନେଇ ଅଭିଯୋଗ କ୍ରମେ କେସ୍ ନଂ.୬୯/୨୨ରେ ମଧ୍ୟ ଏକ ମାମଲା ରୁଜୁ ହୋଇଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ହେତୁ ଅସ୍ତରଙ୍ଗ ମୁଖ୍ୟବଜାରରେ ୩ ପ୍ଲାଟୁନ୍ ପୁଲିସ୍ ମୁତୟନ ରହିଛନ୍ତି । ତେବେ ଅପହୃତା ସମିତିସଭ୍ୟାଙ୍କ ପତ୍ତା ମିଳିନାହିଁ । ଦିନକ ପରେ ଅଧ୍ୟକ୍ଷ ନିର୍ବାଚନ ଥିବାରୁ ଅପହରଣ ଘଟଣାରେ ସସ୍‌ପେନ୍ସ ବଢ଼ିବାରେ ଲାଗିଛି ।

nis-ad
Leave A Reply

Your email address will not be published.