ଏକଜିଟ୍ ପୋଲର ଆକଳନ : ଉତ୍ତରପ୍ରଦେଶରେ ଯୋଗୀ ପୁଣି ଫେରିବେ

ନୂଆଦିଲ୍ଲୀ: ଏଥର ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଢ଼ିବାର ସମ୍ଭାବନା ରହିଥିବା ବେଳେ ଉତ୍ତରପ୍ରଦେଶରେ ପୁଣି ଥରେ ଯୋଗୀ ଆଦିତ୍ୟନାଥ ସରକାର ଗଢ଼ିପାରନ୍ତି। ପୁଣି ଭାରତୀୟ ଜନତା ପାର୍ଟି ସେଠାରେ ବହୁମତ ହାସଲ କରିପାରେ। ଶେଷ ପର୍ଯ୍ୟାୟ ମତଦାନ ପରେ ଆଜି ପ୍ରକାଶ ପାଇଥିବା ଏକଜିଟ୍ ପୋଲ (ବୁଥ୍ ବାହୁଡ଼ା ମତ) ଫଳାଫଳରୁ ଏହି ସୂଚନା ମିଳିଛି। ଏବେ ବିଭିନ୍ନ ଗଣମାଧ୍ୟମ ଓ ଗବେଷଣା ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ଫଳାଫଳ ପ୍ରକାଶ ଆରମ୍ଭ ହୋଇଥିବା ବେ‌ଳେ ଉତ୍ତରପ୍ରଦେଶରେ ଆଗରେ ରହିଛି ବିଜେପି।
ରିପବ୍ଲିକ୍ ଓ ପି-ମାର୍କ ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଛି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବ। ୪୦୩ ବିଧାନସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ ରିପବ୍ଲିକ୍ ଓ ପି-ମାର୍କ ଏକଜିଟ୍ ପୋଲ୍ ଅନୁଯାୟୀ ବିଜେପି ୨୪୦ଟି ସିଟ୍ (+ -୧୫) ଜିତିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି +୧୪୦ଟି ସିଟ୍ (+ -୧୦) ଜିତିବାର ସମ୍ଭାବନା ଥିବା ବେଳେ ବିଏସପି ୧୭ଟି ସିଟ୍ ଏବଂ କଂଗ୍ରେସ ୪ (+ -୨) ଜିତିବାର ସମ୍ଭାବନା ରହିଛି। ଏଠାରେ କଂଗ୍ରେସ ସବୁଠାରୁ କମ୍ ଆସନ ପାଇବ ବୋଲି ଆକଳନ କରିଛି ବୁଥବାହୁଡ଼ା ମତ।
ସେହିପରି ଜନ କି ବାତ୍ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ଫଳାଫଳ ଅନୁସାରେ ଉତ୍ତରପ୍ରଦେଶରେ ବହୁମତ ହାସଲ କରି ସରକାର ଗଢ଼ିବ ବିଜେପି। ଜନ କି ବାତ୍ ଏକଜିଟ୍ ପୋଲ୍ କହିଛି ବିଜେପି ଉତ୍ତରପ୍ରଦେଶରେ ୨୨୨-୨୬୦ଟି ଆସନରେ ଆଗୁଆ ରହିବ । ଅନ୍ୟ ପକ୍ଷରେ ସମାଜବାଦୀ ପାର୍ଟି ୧୩୫-୧୬୫ସିଟ୍, ବିଏସପି ୦୪-୦୯ଟି ସିଟ୍ ଏବଂ କଂଗ୍ରେସ ୦୧-୦୩ରେ ଅଟକିବ ବୋଲି ଏହି ଏକଜିଟ୍ ପୋଲ ସୂଚନା ଦେଇଛି।
‌‌ସେହିଭଳି ଭେଟୋ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲରେ ମଧ୍ୟ ଉତ୍ତରପ୍ରଦେଶରେ ବିଜେପି ବହୁମତ ହାସଲ କରି ସରକାର ଗଢ଼ିବ ବୋଲି କହାଯାଇଛି । ଭେଟୋ ଏକଜିଟ୍ ପୋଲ୍ ଫଳାଫଳ ଅନୁସାରେ ବିଜେପି ଉତ୍ତରପ୍ରଦେଶରେ ୨୨୫ଟି ଆସନରେ ଆଗୁଆ ରହିବ ବୋଲି ଆଶା କରାଯାଉଥିବା ବେଳେ ସମାଜବାଦୀ ପାର୍ଟି ୧୫୧ ସିଟ୍, ବିଏସପି ୧୪ଟି ସିଟ୍ ଏବଂ କଂଗ୍ରେସ ୯ଟି ଆସନ ପାଇବେ ।
ଇଣ୍ଡିଆ ଟୁୁଡେ ଆକ୍ସିସ ମାଇଁ ଇଣ୍ଡିଆ ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଛି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବ। ୪୦୩ ବିଧାନସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ ଇଣ୍ଡିଆ ଟୁୁଡେ ଆକ୍ସିସ ମାଇଁ ଇଣ୍ଡିଆ ଏକଜିଟ୍ ପୋଲ୍ ଅନୁଯାୟୀ ବିଜେପି ୨୮୮-୩୨୬ଟି ସିଟ୍ (+ -୧୫) ଜିତିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ୭୧-୧୦୧ଟି ସିଟ୍ (+ -୧୦) ଜିତିବାର ସମ୍ଭାବନା ଥିବା ବେଳେ ବିଏସପି ୦୩-୦୯ଟି ସିଟ୍ ଏବଂ କଂଗ୍ରେସ ୦୧-୦୩ ଜିତିବାର ସମ୍ଭାବନା ରହିଛି। ଏଠାରେ କଂଗ୍ରେସ ସବୁଠାରୁ କମ୍ ଆସନ ପାଇବ ବୋଲି ଆକଳନ କରିଛି ବୁଥବାହୁଡ଼ା ମତ।
ତେବେ ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ୪୦୩ ସଦସ୍ୟ ବିଶିଷ୍ଟ ବିଧାନସଭା ଆସନ ମଧ୍ୟରୁ ୩୧୨ଟି ଆସନ ଜିତିଥିବା ବେଳେ ବହୁଜନ ସମାଜ ପାର୍ଟି (ବିଏସପି) ମାତ୍ର ୧୯ଟି ଆସନ ଜିତିଥିଲା। ଅନ୍ୟପକ୍ଷରେ ଏସପି-କଂଗ୍ରେସ ଗଠବନ୍ଧନ ଅଧିକ ଆସନ ଜିତିବାରେ ବିଫଳ ହୋଇଥିଲା। ଏସପି-କଂଗ୍ରେସ ଗଠବନ୍ଧନ କେବଳ ୫୪ଟି ଆସନ ଜିତିବାରେ ସଫଳ ହୋଇଥିଲା। ତେବେ ଚଳିତ ବର୍ଷ କିଏ କ୍ଷମତା ହାସଲ କରିବ, ତାହା ଉପରେ ସମସ୍ତଙ୍କ ନଜର।

nis-ad
Leave A Reply

Your email address will not be published.