ପ୍ରଥମ ଟେଷ୍ଟ: ଶ୍ରୀଲଙ୍କା ବିରୋଧରେ ବିଶାଳ ଇଂନିସ ଓ ୨୨୨ ରନ୍‌ରେ ଜିତିଲା ଭାରତ

ମୋହାଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତ ଗୋଟିଏ ବିଶାଳ ଇଂନିସ ଓ ୨୨୨ ରନ୍‌ରେ ଜିତି ନେଇଛି। ୫ ଦିନର ଏହି ମ୍ୟାଚ୍‌ ୩ ଦିନରେ ଶେଷ ହୋଇଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରବୀନ୍ଦ୍ର ଜାଦେଜାଙ୍କ ଅପରାଜିତ ୧୭୫ ରନ୍, ଋଷଭ୍ ପନ୍ତଙ୍କ ୯୬ ଓ ଅନ୍ୟ ବ୍ୟାଟର୍ ମାନଙ୍କ ଉପଯୋଗୀ ଯୋଗଦାନ ଯୋଗୁଁ ଭାରତ ବିଶାଳ ୫୭୪/୮ ରନ୍ କରି ପାଳି ସମାପ୍ତି ଘୋଷଣା କରିଥିଲା।
ଏହାପରେ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରି ଭାରତୀୟ ବୋଲରଙ୍କ ମୁକାବିଲା କରି ନପାରି ପ୍ରଥମ ଇଂନିସରେ ମାତ୍ର ୧୭୪ ରନରେ ହିଁ ଅଲଆଉଟ୍ ହୋଇଯାଇଥିଲା। ପ୍ରଥମ ଇଂନିସରେ ପାଥୁମ୍ ନିଶାଙ୍କ ଅତିଥି ଟିମ୍‌ ତରଫରୁ ସର୍ବାଧିକ ୬୧ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ପ୍ରଥମ ଇଂନିସରେ ରବୀନ୍ଦ୍ର ଜାଦେଜା ଭାରତ ପାଇଁ ସର୍ବାଧିକ ୫ଟି ଓ୍ଵିକେଟ୍ ନେଇଥିଲେ।
୧୭୪ ରନ୍‌ରେ ଅଲଆଉଟ୍ ହେବା ଯୋଗୁଁ ଶ୍ରୀଲଙ୍କା ଫୋଲୋ-ଅନକୁ ସାମନା କରିଥିଲା। ତେଣୁ ଭାରତ ପୁଣି ଥରେ ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ତେବେ ଦ୍ଵିତୀୟ ଇଂନିସରେ ମଧ୍ୟ ଶ୍ରୀଲଙ୍କା ଦଳ ଭାରତୀୟ ବୋଲରଙ୍କୁ ସାମନା କରି ନପାରି ୬୦ ଓଭରରେ ମାତ୍ର ୧୭୮ ରନରେ ଅଲଅଆଉଟ୍ ହୋଇଯାଇଥିଲେ। ଦ୍ଵିତୀୟ ଇଂନିସରେ ଶ୍ରୀଲଙ୍କାର ଓ୍ଵିକେଟ କିପର୍ ବ୍ୟାଟର୍ ନିରୋଶନ୍ ଡିକଓ୍ଵେଲା ସର୍ବାଧିକ ୫୧ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।
ଶ୍ରୀଲଙ୍କାର ଦ୍ଵିତୀୟ ଇଂନିସରେ ଭାରତ ପକ୍ଷରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ୍ ଅଶ୍ଵିନ୍ ୪ଟି ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲେ ଓ ମହମ୍ମଦ ସାମି ୨ଟି ଓ୍ଵିକେଟ୍ ନେଇଥିଲେ। ଏହି ମ୍ୟାଚରେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଭାରତ ପାଇଁ ସର୍ବାଧିକ ୧୭୫ ରନ୍ କରିବା ସହ ୯ଟି ଓ୍ଵିକେଟ୍ ହାସଲ କରିଛନ୍ତି।
ଉଲ୍ଲେଖନୀୟ ଯେ ଏହା ଭାରତର ପୂର୍ବତନ ଅଧିନାୟର ବିରାଟ କୋହଲିଙ୍କ ୧୦୦ତମ ଟେଷ୍ଟ ମ୍ୟାଚ୍ ଥିଲା। ପ୍ରଥମ ଟେଷ୍ଟ ଜିତିବା ପରେ ଭାରତ ଚଳିତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି। ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟ ବାଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଆସନ୍ତା ୧୨ ତାରିଖ ଠାରୁ ଖେଳାଯିବ।

nis-ad
Leave A Reply

Your email address will not be published.